ଗଞ୍ଜାମରେ ସ୍ବାଭାବିକଠୁ କମ୍ ବର୍ଷା; ଗଜା ମରୁଡ଼ି ଆଶଙ୍କା, ଚିନ୍ତାରେ ଚାଷୀକୁଳ 

ଛତ୍ରପୁର: ଜୁନ୍ ସରି ଜୁଲାଇ ଅଧା ହେଲାଣି। ହେଲେ ଗଞ୍ଜାମ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ବର୍ଷା ହୋଇପାରିନି। ଚଳିତ ମାସରେ ସାଧାରଣତଃ ୨୨୦.୮ ମିମି ବର୍ଷା ହେବା କଥା। କିନ୍ତୁ ଆଜି ସୁଦ୍ଧା ମାତ୍ର ୧୫୩.୪୬ ମିମି ବର୍ଷା ହୋଇଛି। ଏଭଳି ପରିସ୍ଥିତି ଜାରି ରହିଲେ ଜିଲ୍ଲାରେ ଗଜା ମରୁଡ଼ିି ଆଶଙ୍କା ଏଡ଼ାଇ ଦେଇ ହେବନି ବୋଲି ମତପ୍ରକାଶ ପାଇଛି। ଗୋଟିଏ ପଟେ କରୋନା ମହାମାରୀର ପ୍ରାଦୁର୍ଭାବ ବେଳେ ଅନ୍ୟପଟେ ଖରିଫ୍ ଆରମ୍ଭରୁ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି। ଫଳରେ ଚାଷୀକୁଳ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି। ପାଣିପାଗ ବିଭାଗର ଆକଳନ ଅନୁସାରେ ଗତମାସରେ ଜିଲ୍ଲାରେ ୧୬୮.୩ ମିମି ବର୍ଷା ହେବା କଥା। କିନ୍ତୁ ମାତ୍ର ୧୦୨.୧୮ ମିମି ବର୍ଷା ହୋଇଥିଲା। ସେହିପରି ଚଳିତମାସ ଆଜି ସୁଦ୍ଧା ଜିଲ୍ଲାରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ବର୍ଷା ହୋଇନାହିଁ। ଫଳରେ ଚାଷଜମିରେ ବୁଣା ଧାନ ମଧ୍ୟ ଉଠୁ ନଥିବା ଦେଖାଦେଇଛି। ବର୍ଷା ଅଭାବରୁ ତଳି ପୋଡ଼ି ଯାଉଥିବା ବିଭିନ୍ନ ବ୍ଲକର ଚାଷୀ ଏବଂ ଚାଷୀନେତା ମାନେ କହିଛନ୍ତି।

ଧାନ ତଳି ପକାଇବାର ପ୍ରାୟ ଦେଢ଼ ମାସ ବିତିଗଲାଣି। ତଳି ରୁଆ ହେବା ପାଇଁ ପ୍ରସ୍ତୁତି ହେବା କଥା। ମାତ୍ର ବର୍ଷା ଅଭାବରୁ ତାହା ପୋଡ଼ିଗଲାଣି। କେତେକ ସ୍ଥାନରେ ରୋଗ ପୋକ ବି ଲାଗିଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ବିଭାଗର ପରିଚାଳନା ଦାୟିତ୍ବ ନେଇଥିବା ଟାଟା କମ୍ପାନି କିଛି ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦେଇ ଥିବାରୁ ସେମାନେ ଆସି ବକେୟା ଅଳ୍ପ ବିଲ୍ ଥିଲେ ସୁଦ୍ଧା ଏଲଆଇ ପଏଣ୍ଟରୁ ବିଦ୍ୟୁତ୍ ବିଚ୍ଛିନ୍ନ କରିଦେଉଛନ୍ତି। ଫଳରେ ପମ୍ପ୍ ବି ଅଚଳ ହୋଇ ପଡ଼ିଛି। ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ବି ସେ ଶୁଣୁନାହାନ୍ତି।

ପଦ୍ମଚରଣ ସାହୁ, ଆବାହକ, ଋଷିକୁଲ୍ୟା ରୟତ ମହାସଭା, ହିଞ୍ଜିଳି ବ୍ଲକ 

 

ବର୍ଷା ଅଭାବରୁ କେତେ ତଳି ପୋଡ଼ିଗଲାଣି। ଆଉ କେତେ ତଳି ବୁଢ଼ା ହୋଇଗଲାଣି। ଅଚିହ୍ନା ରୋଗ ପୋକ ଲାଗି କିଛି ତଳି ନଷ୍ଟ ହୋଇ ଗଲାଣି। କୃଷି ଅଧିକାରୀ ମଧ୍ୟ ଆସୁନାହାନ୍ତି। ଏମିତି ଅବସ୍ଥାରେ ଚାଷ ଉପରେ ଆଉ ଭରସା ନାହିଁ। ଚାଷୀଙ୍କ ପାଖରେ ବିହନ ବି ନାହିଁ।

ରବି ଶତପଥୀ, ଭଞ୍ଜନଗର ବ୍ଲକ୍ ଶାଖା ସଭାପତି

ଚଳିତ ବର୍ଷ ନଥିବାରୁ ଧାନ ତଳି ପୋଡ଼ି ଗଲାଣି। ଗଞ୍ଜାମ ବ୍ଲକ୍ ଅଧୀନ ଅଧିକାଂଶ ପଞ୍ଚାୟତରେ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। କେନାଲରେ ପାଣି ମଧ୍ୟ ଆସୁନାହିଁ। ଚାଷୀ ବର୍ଷାକୁ ଅପେକ୍ଷା କରିଥିବା ବେଳେ ପୁଣି ଧାନ ତଳି ପକାଇ ରୁଆ କାମ କରିବା ସମ୍ଭବ ନାହିଁ। ତଥାପି କୃଷି ଅଧିକାରୀଙ୍କ ଦେଖା ନାହିଁ।

ଶରତ ପଟ୍ଟନାୟକ, ଗଞ୍ଜାମ ବ୍ଲକ୍, ସଭାପତି

ବର୍ତ୍ତମାନ ଧାନ ରୁଆ ହେବା କଥା, ମାତ୍ର ବର୍ଷା ଅଭାବରୁ ଅର୍ଦ୍ଧାଧିକ ତଳି ପୋଡ଼ିଗଲାଣି। କେନାଲରେ ପାଣି ଆସୁନାହିଁ କି, ଏଲ୍ଆ‌ଇ ପଏଣ୍ଟ୍ର‌ ବି ସୁବିଧା ନାହିଁ। ଚାଷୀମାନେ ବର୍ଷାକୁ ଅନାଇ ବସିଛନ୍ତି। ଚଳିତ ବର୍ଷ ଭଲ ବର୍ଷା ସହ ଅଧିକ ଅମଳ ହେବ ବୋଲି ଆଶା କରାଯାଉଥିଲା। ମାତ୍ର କମ୍ ବର୍ଷା ଯୋଗୁଁ ତଳି ପୋଡ଼ିବା ସହ ବୁଣାଧାନ ଗଜା ମରୁଡ଼ି ହୋଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ସମସ୍ତ କେନାଲରେ ପାଣି ଛାଡ଼ିବା ସହ ସବୁ ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ କରିବା ଜରୁରୀ।

ଅଭିମନ୍ୟୁ ପାତ୍ର, ଚାଷୀ ନେତା, ଦିଗପହଣ୍ତି

ସମ୍ବନ୍ଧିତ ଖବର