ଉଭେଇ ଗଲାଣି ବର୍ଷା, ଧାନ ବିଲ ଫାଟି ଆଁ କଲାଣି

ଭଦ୍ରକ: କୃଷି ପ୍ରଧାନ ଭଦ୍ରକ ଜିଲ୍ଲାର ୮୦ ପ୍ରତିଶତ ଲୋକ ଧାନ ଚାଷ ଉପରେ ନିର୍ଭର କରି ଚଳନ୍ତି। ଜିଲ୍ଲାରେ ମୋଟ ୧ ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଚଳିତ ବର୍ଷ ଖରିଫ ଧାନ ଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଥିବା ବେଳେ ବର୍ଷାର ଲୁଚକାଳି ଖେଳ ଧାର୍ଯ୍ୟ ଟାର୍ଗେଟ ପୂରଣ କରିବାରେ ବିଫଳ ହେବ ବୋଲି ଜଣା ପଡ଼ିଲାଣି। ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ଧାନ ଚାଷ ପାଇଁ ଯେଉଁ ପରିମାଣରେ ବର୍ଷା ହେବା କଥା ତାହା ହେଲା ନାହିଁ। ବର୍ଷାକୁ ଚାହିଁ ଚାହିଁ ଚାଷୀ ହତାଶ ହୋଇଛନ୍ତି।

ବର୍ଷା ବିନା ଅଧିକାଂଶ ସ୍ଥାନରେ ଧାନତଳି ଉପୁଡା ହୋଇ ପାରୁନଥିବା ବେଳେ ରୁଆ ହୋଇଥିବା ଜମି ଶୁଖିବାକୁ ବସିଲାଣି। ବିଲରେ ପାଣି ନଥିବାରୁ କାଦୁଅ ମଧ୍ୟ କରାଯାଇ ପାରୁନାହିଁ। ପରିସ୍ଥିତିକୁ ମୁକାବିଲା କରିବାକୁ କେଉଁଠି ଲିଫ୍‌ଟ ପଏଣ୍ଟ ଜରିଆରେ ବିଲକୁ ପାଣି ମଡାଯାଉଛି ତ କେଉଁଠି ପମ୍ପ ଲଗାଇ କ୍ଷେତକୁ ପାଣି ମଡା ଯାଉଛି। ଜିଲ୍ଲାବ୍ୟାପୀ ଚାଷ ଜମିରେ ଏହି ଧରଣର ସଙ୍କଟ ଲାଗି ରହିବା ଯୋଗୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଖରିଫ ଧାନ ଚାଷ ୫୦ ପ୍ରତିଶତ ମଧ୍ୟ କରାଯାଇନାହିଁ।

ଭଦ୍ରକ ଜିଲ୍ଲାରେ ସ୍ୱାଭାବିକତା ଠାରୁ ଯଥେଷ୍ଟ କମ ବୃଷ୍ଟିପାତ ଯୋଗୁ ଖରିଫଧାନ ଚାଷ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜୁନ ଏବଂ ଜୁଲାଇ ମାସରେ ସ୍ୱାଭାବିକ ଠାରୁ ୫୦ ପ୍ରତିଶତ କମ ବର୍ଷା ଜିଲ୍ଲାରେ ଖରିଫ ଧାନ ଚାଷକୁ ଭୀଷଣ ଭାବେ ପ୍ରଭାବିତ କରିଛି।

ତେବେ ଅଗଷ୍ଟ ମାସ ବର୍ଷାକୁ ଭରସା କରି ଚାଷୀମାନେ ତଳି ପକାଇ ବିଲ ରୋଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଚାଷୀଙ୍କୁ ହତାଶ ହେବାକୁ ପଡ଼ିଛି। ଅଗଷ୍ଟ ମାସରେ ଜିଲ୍ଲାରେ ରେକର୍ଡ ପରିମିତ ୩୧୧ ମିମି ବୃଷ୍ଟିପାତ ଅନୁଭୂତ ହେଉଥିବା ବେଳେ ଅଗଷ୍ଟ ମାସ ୨୫ ତାରିଖ ସୁଦ୍ଧା ଜିଲ୍ଲାରେ ମାତ୍ର ୯୮ ମିମି ବୃଷ୍ଟିପାତ ହୋଇଛି, ଯାହାକ ଚାଷୀକୁଳଙ୍କୁ ହତାଶ କରିଛି।

ଭଦ୍ରକ ଜିଲ୍ଲାର ନାଲଗାରାର ଚାଷୀ ସୀତାକାନ୍ତ ସାହୁ କହନ୍ତି, ବର୍ଷା ଅଭାବରୁ ଏଥର ତଳିପକା ଠିକ୍‌ ସମୟରେ ହୋଇ ପାରିଲା ନାହିଁ। ଆମର ସାଳନ୍ଦୀ କୂଳରେ ଜମି ଥିବାରୁ ଏଇ ସବୁ ଅଞ୍ଚଳରେ ଯାଇଥିବା କେନାଲ ପାଣିକୁ କେବଳ ଭରସା କରି ଚାଷ କରିଛି। ଯେଉଁ ଜମିକୁ କେନାଲ ପାଣି ମାଡ଼ିବ ନାହିଁ, ସେହି ସବୁ ଉଚ୍ଚ ଜମି ଏବେ ଫାଟି ବାକୁ ବସିଲାଣି। ଚାଷ କାମ ବିଳମ୍ବ ହେଉଥିବାରୁ ଏଥର ଧାନ ଅମଳ ମଧ୍ୟ କମ୍‌ ହେବ। ବର୍ଷା ନହେଲେ ମରୁଡ଼ି ହେବ ବୋଲି ଆଶଙ୍କା ଭିତରେ ରହିଛନ୍ତି। ସରକାର ଚାଷୀ ମାନଙ୍କ ପାଇଁ ସ୍‌ତନ୍ତ୍ର ସହାୟତା ଦେବାକୁ ସେ ଦାବି କରିଛନ୍ତି। ଜିଲ୍ଲାର ବନ୍ତ ବ୍ଲକ୍‌ରେ କେନାଲ ଏରିଆ ହୋଇଥିବାରୁ ଏଠାରେ ଜମିରେ ଚାଷ କାମ ଲାଗି ପାଣି ରହିଛି। ମାତ୍ର ଭଣ୍ଡାରୀପୋଖରୀ, ଧାମ ନଗର, ତିହିଡି, ଚାନ୍ଦବାଲି, ବାସୁଦେବପୁର, ଭଦ୍ରକ ବ୍ଲକ୍‌ରେ ଚାଷ କାମ ୬୫ ପ୍ରତିଶତ ବି ହୋଇ ନାହିଁ।

ସମ୍ବନ୍ଧିତ ଖବର