ବରଗଡ଼: ବରଗଡ଼ର ସ୍ବାଭାବିକ ପାଣିପାଗ ଦୁଇ ଦଶନ୍ଧି ହେଲା ବଦଳୁଛି। ଖରା ଦିନେ ବର୍ଷା, ଶୀତ ଦିନେ ଖରା। ପାଣିପାଗରେ ଏଭଳି ତାରତମ୍ୟ ପରିଲକ୍ଷିତ ହେଉଛି। ତେବେ ଏଥର ମାର୍ଚ୍ଚ ମାସରେ ଜଳବାୟୁ ପରିବର୍ତ୍ତନର ଭିନ୍ନ ରୂପ ଦେଖିବାକୁ ମିଳିଛି। ମାର୍ଚ୍ଚ ପ୍ରଥମାର୍ଦ୍ଧରେ ଦିନରେ ତାପମାତ୍ରା ୩୫ ଡିଗ୍ରି ରହୁଥିବାବେଳେ ରାତିରେ ସର୍ବନିମ୍ନ ତାପମାତ୍ରା ୧୬-୧୭ ଡିଗ୍ରି ରହୁଥିଲା। ଅର୍ଥାତ ଜିଲ୍ଲାରେ ମରୁଭୂମି ଭଳି ପାଣିପାଗ ରହିଥିଲା। ପୁଣି ତାପମାତ୍ରା ୩୫ ଡିଗ୍ରି ଅତିକ୍ରମ କରିବା ସହ ଶୀତ ଗାଏବ୍‌ ହୋଇଥିଲା। ତେବେ ଦ୍ବିତୀୟାର୍ଦ୍ଧରେ ବର୍ଷା ଓ ଖରାର ଖେଳ ଚାଲିଛି। ୧୫ ତାରିଖରୁ ମାର୍ଚ୍ଚମାସ ଶେଷ ଯାଏଁ ଜିଲ୍ଲାରେ ୧୦ ଦିନ ବର୍ଷା ହୋଇଛି। ଚଳିତ ମାର୍ଚ୍ଚରେ ଜିଲ୍ଲାରେ ରେକର୍ଡ ହାରାହାରି ୫୮.୧୮ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ଦଶନ୍ଧିରେ ସର୍ବାଧିକ। ଏଥର ଗାଇସିଲାଟ୍‌ ବ୍ଲକ୍‌ରେ ସର୍ବାଧିକ ୧୨୦ ମିମି ବର୍ଷା ହୋଇଛି। ସର୍ବନିମ୍ନ ଭଟଲି ବ୍ଲକ୍‌ରେ ମାତ୍ର ୧୭ ମିମି ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ୭ଟି ବ୍ଲକ୍‌ରେ ୫୦ ମିମିରୁ ଅଧିକ ବର୍ଷିଛି। ପରିସଂଖ୍ୟାନ ଅନୁସାରେ, ଜିଲ୍ଲାରେ ୧୯, ୨୦ ଏବଂ ୩୧ ତାରିଖ ମୋଟ୍‌ ବୃଷ୍ଟିପାତ ୧୨୦ମିମି ଉପରେ ରହିଛି। ସର୍ବାଧିକ ବୃଷ୍ଟିପାତ ୧୯ ତାରିଖ ୧୮୦.୨ ମିମି ରେକର୍ଡ ହୋଇଛି। ଫେବ୍ରୁଆରି ମଧ୍ୟ ଭାଗରୁ ଖରା ବଢ଼ୁଥିଲା, ରବି ଚାଷ ପାଇଁ ଆଗୁଆ ପାଣି ନିଅଣ୍ଟ ଆଶଙ୍କା ଥିଲା। ତେବେ ମାର୍ଚ୍ଚ ମାସର ବର୍ଷା ବିଶେଷକରି ଅଣଜଳସେଚିତ ଇଲାକାର ଚାଷୀଙ୍କୁ ସାମାନ୍ୟ ଆଶ୍ବସ୍ତ କରିଛି।

୧୦ ବର୍ଷରେ ହାରାହାରି ବୃଷ୍ଟିପାତ (ମାର୍ଚ୍ଚ)

Advertisment

୨୦୨୩                 ୫୮.୧୮
୨୦୨୨                 ୦.୦୭
୨୦୨୧                 ୪.୫୮
୨୦୨୦                 ୫୬.୬୩
୨୦୧୯                  ୩୮.୭୯
୨୦୧୮                  ୦.୧୮
୨୦୧୭                 ୧୧.୮୩
୨୦୧୬                 ୧୫.୦୦
୨୦୧୫                 ୬.୮୮
୨୦୧୪                ୨୩.୭୫

ବ୍ଲକ୍‌ ମୋଟ୍‌ ବୃଷ୍ଟିପାତ (ମାର୍ଚ୍ଚ)

ଅମ୍ବାଭୋନା           ୪୮.୨୦
ଅତାବିରା              ୫୯.୨୦
ବରଗଡ଼                ୭୮.୮୦
ବରପାଲି               ୧୭.୦୦
ଭଟଲି                  ୨୪.୦୦
ଭେଡ଼େନ              ୨୯.୯୦
ବିଜେପୁର             ୪୮.୦୦
ଗାଇସିଲାଟ୍           ୧୨୦.୦୦
ଝାରବନ୍ଧ               ୫୬.୬୦
ପଦ୍ମପୁର               ୭୧.୦୦
ପାଇକମାଳ           ୯୪.୦୦
ସୋହେଲା            ୫୨.୦୦