୬ରୁ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ବର୍ଷା!

୭୨ ଘଣ୍ଟାରେ ସକ୍ରିୟ ହୋଇପାରେ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେବେ କେରଳ ଛୁଇଁବ? ଓଡ଼ିଶାକୁ କେବେ ଆସିବ? ତାତି କେବେଠୁ କମିବ? ଏଥର ପ୍ରାକ୍‌ ମୌସୁମୀ ବର୍ଷା ହେବ ନାହିଁ କି? ମୌସୁମୀ ଆଗମନକୁ ନେଇ ସମସ୍ତଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି। ତେବେ ପାଣିପାଗ ବିଭାଗ କିମ୍ବା ପାଣିପାଗ ବିଶେଷଜ୍ଞ କେହି ବି ଏପର୍ଯ୍ୟନ୍ତ ସଠିକ୍‌ ଆକଳନ କରିପାରୁ ନାହାନ୍ତି। ଭାରତୀୟ ପାଣିପାଗ ବିଭାଗ ଆଜି ପୂର୍ବାନୁମାନ କରିଛି ଯେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ କେରଳରେ ମୌସୁମୀ ସକ୍ରିୟ ହେବ। ୭୨ ଘଣ୍ଟା ଅର୍ଥାତ୍‌ ଜୁନ୍‌ ୭ ତାରିଖ ହୋଇଯିବ। ଦୁଇ ଦିନ ପୂର୍ବରୁ ବିଭାଗ କହିଥିଲା ୬ ତାରିଖରେ ଛୁଇଁବ। ଏବେ ଆଉ ଗୋଟିଏ ଦିନ ବିଳମ୍ବ ହେବ ବୋଲି ବିଭାଗ କହିଛି। ପାଣିପାଗ ବିଭାଗ ପୁଣି ଆକଳନ କରିଛି ଯେ ୬ ତାରିଖଠାରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହେବ। ୮ ତାରିଖରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିବ। ୩ରୁ ୪ ଦିନ ବର୍ଷା ଲାଗିରହିବ। ଯାହାକି ପ୍ରାକ୍‌ ମୌସୁମୀ ବର୍ଷା ବୋଲି ଅନୁମାନ କରାଯାଉଛି।

ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମାର୍ଟ’ ବି ସଠିକ୍‌ ଆକଳନ କରିପାରି ନାହିଁ। ପ୍ରଥମେ ଜୁନ୍‌ ପହିଲା ଓ ପରେ ଜୁନ୍‌ ୪ରେ ମୌସୁମୀ କେରଳ ଛୁଇଁବ ବୋଲି ସଂସ୍ଥା କହିଥିଲା। ତେବେ ଏବେ କହିଛି ୬ କିମ୍ବା ୭ ତାରିଖରେ ଆସିପାରେ। ମୌସୁମୀର ଏଭଳି ଲୁଚକାଳି ଖେଳ ଭିତରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ପ୍ରାକ୍‌ ମୌସୁମୀ ବର୍ଷା ହେବ କି ନାହିଁ କିଛି ଜାଣିପାରୁ ନାହାନ୍ତି। ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ମୌସୁମୀ ଏପର୍ଯ୍ୟନ୍ତ କେରଳରେ ସକ୍ରିୟ ହୋଇ ନାହିଁ। ୩ ଦିନ ଭିତରେ ‌ହୋଇପାରେ। ତେବେ ଖୁସିର ଖବର ହେଉଛି ଯେ ଦକ୍ଷିଶ ପଶ୍ଚିମ ବଙ୍ଗୋପସାଗର ଓ ଲାକ୍ଷଦୀପ ଉପରେ ଗୋଟିଏ ଲେଖାଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ମୌସୁମୀ ସକ୍ରିୟ ହେବାର ବହୁତ ସମ୍ଭାବନା ରହିଛି। ଦକ୍ଷିଶ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ତେବେ ଏହାକୁ ପ୍ରାକ୍‌ ମୌସୁମୀ ବର୍ଷା କହିବା ଠିକ୍‌ ହେବ ନାହିଁ। ଏହି ସମୟ ମଧ୍ୟରେ ଯଦି ମୌସୁମୀ କେରଳରେ ସକ୍ରିୟ ହୁଏ ତେବେ ସିଧାସଳଖ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ। ଆଉ ଯଦି ସକ୍ରିୟ ନହୁଏ ତେବେ ଓଡ଼ିଶାରୁ ୩ରୁ ୪ ଦିନ ବର୍ଷା ହେବା ପରେ ପୁଣିଥରେ ଛାଡ଼ିଯିବ।

ଅନ୍ୟପକ୍ଷରେ ମୌସୁମୀ ବର୍ଷା ଆଗମନକୁ ଦୃଷ୍ଟିରେ ରଖି କୃଷି ନିର୍ଦେଶାଳୟ ପକ୍ଷରୁ ଚାଷୀମାନଙ୍କ ଲାଗି କୃଷି ଉପଦେଶ ଜାରି ହୋଇଛି। ଆଗକୁ ବର୍ଷାର ସମ୍ଭାବନା ଥିବାରୁ ଜମିରେ ପାକଳ ଅବସ୍ଥାରେ ଥିବା ଧାନ ଓ ପନିପରିବା ଫସଲ ଅମଳ କରିଦେବାକୁ ପରାମର୍ଶ ଦିଆଯାଇଛି। ବର୍ଷା ପରେ ମାଟିର ବତର ଅବସ୍ଥା‌ ଦେଖି ଖରାଦିନିଆ ହଳ କରନ୍ତୁ। ମାଟିର ବତର ଅନୁକୂଳ ହେଲେ ସଙ୍ଗେ ସଙ୍ଗେ ସବୁଜ ସାର ବୁଣିଦେବାକୁ କୁହାଯାଇଛି। କାଳବୈଶାଖୀ ବର୍ଷା ଲାଗିରହିଥିବାରୁ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି। ଆଜି କେବଳ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ତଳେ ରହିଛି। ୨୪ ଘଣ୍ଟା ମଧ୍ୟରେ କୋ‌ରାପୁଟରେ ସର୍ବାଧିକ ୬୫ ମିମି ବର୍ଷା ହୋଇଛି। ବାରିପଦା, ମାଲକାନଗିରି, ଦାରିଙ୍ଗବାଡ଼ି, ଭବାନୀପାଟଣାରେ ବର୍ଷା ହୋଇଥିବାରୁ ତାପମାତ୍ରା କମିଛି। ତାତିରୁ ସାମାନ୍ୟ ତ୍ରାହି ମିଳିଛି।

ସମ୍ବନ୍ଧିତ ଖବର