ଭୁବନେଶ୍ୱର: ଓଡ଼ିଶାର କେତେକ ସ୍ଥାନରେ ଏବେ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଠାଏ ଠାଏ ବର୍ଷା ହେଉଛି। ବିଶେଷକରି ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହୁଛି। ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ହାଲ୍କା ବର୍ଷା ଜାରି ରହିବ। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ଖୋର୍ଧା, ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପୂର୍ବର୍ାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆହୁରି କୁହାଯାଇଛି ଯେ ଅଗଷ୍ଟ ୨ ଓ ୩ରେ ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହ ବର୍ଷା ହୋଇପାରେ। ୫ ତାରିଖ ବେଳକୁ ପୁଣିଥରେ ବର୍ଷା ବଢ଼ିବ। ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ର୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଏବେ ଉତ୍ତରପ୍ରଦେଶ ଉପରେ ଲଘୁଚାପ ରହିଛି। ତାହା କ୍ରମଶଃ ମନସୁନ୍ ଟ୍ରପ୍ରେ ପରିଣତ ହୋଇ ପୂର୍ବ ଆଡ଼କୁ ବଢ଼ିବ। ୫ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରର ଶୀର୍ଷ ଭାଗ ଓ ସଲଗ୍ନ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିସ୍ତୃତ ବର୍ଷା ହେବ ନାହିଁ। ମନ୍ସୁନ୍ ସକ୍ରିୟ ରହିଥିବାରୁ ପ୍ରତିଦିନ କିଛି ସ୍ଥାନରେ ବର୍ଷା ହେବ। ହେଲେ ୫ ତାରିଖଠାରୁ ରାଜ୍ୟରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି ବୋଲି ସେ ପୂର୍ବାନୁମାନ କରିଛନ୍ତି। ଆଜି ଦିନରେ ବାଲେଶ୍ୱରରେ ୩୪ ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୨୯, କୋରାପୁଟରେ ୫, ମାଲକାନଗିରି ଓ ପାରାଦୀପରେ ୪, ଚାନ୍ଦବାଲିରେ ୨ ମିମି ବର୍ଷା ହୋଇଛି। ଭୁବନେଶ୍ୱର ସମେତ ପୁରୀ, ସମ୍ବଲପୁର, ଝାରସୁଗୁଡ଼ା, ଭବାନୀପାଟଣାରେ ହାଲୁକା ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅଗଷ୍ଟ ୫ ପରେ ବର୍ଷା ବଢ଼ିପାରେ
/sambad/media/post_attachments/wp-content/uploads/2018/07/rain-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)