ଭୁବନେଶ୍ବର, ୨୯/୭(ଇମିସ): ଉତ୍ତର ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସହ ସକ୍ରିୟ ମୌସୁମୀ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗିରହିଛି। ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ଜଗତ୍‌ସିଂହପୁର ଜିଲ୍ଲାର କୁଜଙ୍ଗରେ ସର୍ବାଧିକ ୧୧୦ ମିମି ବର୍ଷା ରେକର୍ଡ କରାଯାଇଛି। ବାଲେଶ୍ବର, ଭୁବନେଶ୍ବର, କଟକ, ବଲାଙ୍ଗୀର, ମାଲକାନଗିରି, ଖୋର୍ଦ୍ଧା, ଢେଙ୍କାନାଳ, ରାଉରକେଲା, ବାରିପଦା, ହୀରାକୁଦ ପ୍ରଭୃତି ସହରରେ ଆଜି ସକାଳଠାରୁ ବର୍ଷା ହେଉଛି। ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ବୁଧବାର ସକାଳ ସୁଦ୍ଧା ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିବ। ଏହାପରେ ବର୍ଷାର ପ୍ରକୋପ ବଢ଼ିବ। ଜୁଲାଇ ୩୧ ଓ ଅଗଷ୍ଟ ୧ରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ ସମୟରେ ଜାରି ରହିଥିବା ନିଅଣ୍ଟିଆ ବର୍ଷା ଆଜି ମଧ୍ୟ ବଳବତ୍ତର ରହିଛି। ଜୁନ୍‌ ପହିଲାରୁ ଏବେ ସୁଦ୍ଧା ୫୨୬.୪ ମିମି ବର୍ଷା ହେବା ସ୍ଥାନରେ ୪୭୮.୮ ମିମି ବର୍ଷା ହୋଇଛି। ଗୋଟିଏ ଜିଲ୍ଲାରେ ସ୍ବାଭାବିକ ଠାରୁ ବହୁ ଅଧିକ ବର୍ଷା ହୋଇଥିବା ବେଳେ ୩ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ, ୧୫ଟି ଜିଲ୍ଲାରେ ସ୍ବାଭାବିକ ଓ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗିରହିଛି।

ଅନ୍ୟପକ୍ଷରେ ଭୁବନେଶ୍ବର ଓ କଟକ ସହରରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହେବାକୁ ଥିବାରୁ ଏସ୍‌ଆରସିଙ୍କ ପକ୍ଷରୁ ବିଏମ୍‌ସି ଓ ସିଏମ୍‌ସି ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା, ରାସ୍ତା ଓ ଡ୍ରେନ୍‌ ଉପ‌ରେ ପାଣି ଜମି ରହିବା ଭଳି ସମସ୍ୟା ହୋଇପାରେ। ତେଣୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା, ପର୍ଯ୍ୟାପ୍ତ ପମ୍ପ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ରାତିରେ ବୌଦ୍ଧ ଜିଲ୍ଲାପାଳଙ୍କ ସହ ଏସ୍‌ଆରସି ଆଲୋଚନା କରିବା ସହ ବର୍ଷାରେ ବୁଡ଼ି ରହିଥିବା ରାସ୍ତା ଉପରେ ଚଳାଚଳ ନିଷେଧ କରିବା, ପୁଲିସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।