ବାଦଲ ପାଖେଇଲାଣି, ଆଜିଠାରୁ କାଁ ଭାଁ ବର୍ଷା

ଭୁବନେଶ୍ୱର : ଓଡ଼ିଶା ଉପକୂଳବର୍ତୀ ସମୁଦ୍ର ଉପରେ ଖଣ୍ଡ ଖଣ୍ଡ ବାଦଲ ଖେଳିଲାଣି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଖେଳିଯିବ ଉପକୂଳ ଆକାଶ। ଏଥର ପୂର୍ବଭଳି ଘୂର୍ଣ୍ଣିବଳୟ ନାହିଁ କି ସୃଷ୍ଟି ହୋଇନାହିଁ ଲଘୁଚାପ। ଗୁରୁଚାପ ଏବଂ ଥଣ୍ଡା ପବନର ସମ୍ମିଶ୍ରଣରେ ହୋଇପାରେ ବର୍ଷା। କିନ୍ତୁ ଏହି ବ୍ୟବସ୍ଥା ସେତେଟା ଘନୀଭୂତ ହୋଇନାହିଁ ଯେ ନିଶ୍ଚିତ ରୂପେ ବର୍ଷିବ। ବରଂ କାଁ ଭାଁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ, ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ମୃଦୁରୁ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ସୂଚନା ମୁତାବକ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗୁରୁଚାପ ଯୋଗୁଁ ଜଳୀୟବାଷ୍ପଭରା ଉଷ୍ମ ପବନ ସମୁଦ୍ରରୁ ଉପକୂଳକୁ ବହିଆସିବ। ବର୍ତମାନ ଉତ୍ତର ଦିଗରୁ କାଲୁଆ ପବନ ରାଜ୍ୟ ଭିତରକୁ ବହୁଥିବାରୁ ଥଣ୍ଡା ବେଶ୍‌ ଅନୁଭୂତ ହେଉଛି। ଜଳୀୟବାଷ୍ପଭରା ପବନ-ଥଣ୍ଡା ପବନର ସମ୍ମିଶ୍ରଣରେ କାଁ ଭାଁ ବର୍ଷା ହେବ। ଆସନ୍ତାକାଲି ଉପକୂଳ, ୧ ଓ ୨ ତାରିଖରେ ଉପକୂଳ ସହିତ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ। ଆକାଶରେ ମେଘ ହେଉ ବା ନ ହେଉ ଉପକୂଳବର୍ତୀ କିଛି ସ୍ଥାନରେ ଆଜି ରାତିରୁ କୁହୁଡ଼ି ଦେଖାଯିବ। ଗୋଟିଏ ୨ଟି ସ୍ଥାନରେ ଘନ କୁହୁଡ଼ି ସୃଷ୍ଟି ହେବ। କୁହୁଡ଼ି ଏବଂ ବର୍ଷା ଯୋଗୁଁ ତାପମାତ୍ରା ବଢ଼ିବାର ସମ୍ଭାବନା ଥିଲେ ବି ଥଣ୍ଡା ଅନୁଭୂତ ହେବ।

ଗତକାଲି ରାଜ୍ୟର ୧୨ଟି ସ୍ଥାନରେ ୧୦°ରୁ ତଳକୁ ପାରଦ ଖସିଥିଲା ପାରଦ। ଆଜି ୮ଟି ସ୍ଥାନରେ ପାରଦ ୧୦° ତଳେ ରହିଛି। ସେହି ସ୍ଥାନଗୁଡ଼ିକ ହେଉଛି ଦାରିଙ୍ଗିବାଡ଼ି(୪.୫°), ଫୁଲବାଣୀ(୫.୫°), ସୁନ୍ଦରଗଡ଼(୭.୫°), ହୀରାକୁଦ(୮.୬°), ଭବାନୀପାଟଣା(୯.୫°), ଅନୁଗୁଳ(୯.୬°), କେନ୍ଦୁଝର(୯.୭°), ଝାରସୁଗୁଡ଼ା(୯.୮°)। ସେହିପରି ବଲାଙ୍ଗୀର, ସୋନପୁର, କୋରାପୁଟରେ ୧୦°, ସମ୍ବଲପୁରରେ ୧୦.୮°, ଢେଙ୍କାନାଳରେ ୧୧.୨°, ତାଳଚେରରେ ୧୧.୩°, ଟିଟିଲାଗଡ଼ରେ ୧୧.୫°, କଟକରେ ୧୨°, ବାଲେଶ୍ୱରରେ ୧୨.୨°, ଭୁବନେଶ୍ୱରରେ ୧୨.୩°, ବାରିପଦାରେ ୧୨.୪° ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର