ବର୍ଷା ନେଲା ତିନି ଜୀବନ

ଅସ୍ତରଙ୍ଗରେ ରେକର୍ଡ ୫୩୦ମିମି ବର୍ଷା
୧୧ଜିଲ୍ଲାର ୫୩ବ୍ଲକରେ ୧୯.୫୩ଲକ୍ଷ ପ୍ରଭାବିତ
୨୭୮୯ଟି ଗାଁ, ୧୪ଟି ସହରାଞ୍ଚଳ ପ୍ରଭାବିତ

ଭୁବନେଶ୍ବର : ଲଘୁଚାପ ଜନିତ ବର୍ଷା ଉପକୂଳ ଓଡ଼ିଶାର ୬ଟି ଜିଲ୍ଲା ଓ ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲାରେ ବିତ୍ପାତ ରଚିଛି। ଗତ ୨୪ଘଣ୍ଟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ରେକର୍ଡ ୫୩୦ମିମି ବର୍ଷା ହୋଇଥିବା ବେଳେ କାକଟପୁରରେ ୫୨୫ମିମି ବର୍ଷା ହୋଇଛି। ସେହିପରି ୨୮ଟି ବ୍ଲକରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି। ଲଗାଣ ବର୍ଷାରେ କେନ୍ଦ୍ରାପଡ଼ାରେ ଦୁଇ ଜଣଙ୍କର କାନ୍ଥ ପଡ଼ି ଏବଂ ଖୋର୍ଦ୍ଧାରେ ଜଣଙ୍କର ଭାସି ଯାଇ ମୃତ୍ୟୁ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ଏହିଭଳି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ ୨୪ଘଣ୍ଟା ଧରି ଚାଲିଥିବା ଲଗାଣ ବର୍ଷାରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, କଟକ, ଯାଜପୁର, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଖୋର୍ଦ୍ଧା ଓ ଅନୁଗୁଳ ଭଳି ୧୧ଟି ଜିଲ୍ଲାର ୫୩ଟି ବ୍ଲକ୍ ପ୍ରଭାବିତ ହୋଇଛି। ଏହି ୧୧ଟି ଜିଲ୍ଲାର ୨୭୮୯ଟି ଗାଁ, ୧୪ଟି ସହରାଞ୍ଚଳର ୧୯ଲକ୍ଷ ୫୩ହଜାର ୬୪୭ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୨୬୫ଟି ଘର ଭାଙ୍ଗିଥିବା ବେଳେ ୩୮୧୯ଜଣଙ୍କୁ ଉଦ୍ଧାର କରାଯାଇଛି।

ବର୍ଷାରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୦ଟି ବ୍ଲକର ୧୮ଟି ଗ୍ରାମପଞ୍ଚାୟତର ୩୨ଟି ଗାଁ, ୨ଟି ସହରାଞ୍ଚଳର ୪୧ଟି ୱାର୍ଡର ମୋଟ୍‌ ୧୨୫୭ଜଣ ପ୍ରଭାବିତ ହୋଇଛନ୍ତି। ୯୮ଟି ଘର ଭାଙ୍ଗିଛି। ଟାଙ୍ଗି ବ୍ଲକର ନୂଆଗଡ଼ ଗ୍ରାମପଞ୍ଚାୟତର ୨୯ବର୍ଷୀୟ ଯୁବକ ଖମ୍ବେଶ୍ବର ପାଟ୍ଟଶାଣୀଙ୍କର କେନାଲରେ ଭାସିଯିବା ଯୋଗୁଁ ମୃତ୍ୟୁ ହୋଇଛି। ସେହିପରି ଜଗତସିଂପୁର ଜିଲ୍ଲାରେ ୮ଟି ବ୍ଲକର ୧୯୮ଟି ଗ୍ରାମପଞ୍ଚାୟତର ୧୩୨୧ଟି ଗାଁ, ୨ଟି ସହରାଞ୍ଚଳର ୧୧,୩୬,୯୭୧ ଜଣ ପ୍ରଭାବିତ ହୋଇଛନ୍ତି। ୫୩୦୪୨.୯ ହେକ୍ଟର ଜମିର ଶସ୍ୟ ପ୍ରଭାବିତ ହୋଇଛି। ୭୫ଟି ଘର ଭାଙ୍ଗିଛି। ବିଭିନ୍ନ ସ୍ଥାନରେ ଚୁଡ଼ା, ଗୁଡ଼, ବିସ୍କୁଟ ରିଲିଫ ବଣ୍ଟାଯାଇଛି। ବାସହରାଙ୍କୁ ପଲିଥିନ୍ ଦିଆଯାଇଛି। ବର୍ଷା ଜଳ ନିଷ୍କାସନ ପାଇଁ ୭ଟି ସ୍ଥାନରେ ରାସ୍ତା କଟାଯାଇଛି।

କେନ୍ଦ୍ରାପଡ଼ାରେ ୫ଟି ବ୍ଲକର ୮୧୧ଟି ଗାଁ, ୨ଟି ସହରାଞ୍ଚଳର ୭,୭୯,୨୪୧ଜଣ ପ୍ରଭାବିତ ହୋଇଛନ୍ତି। ଡେରାବିଶ ବ୍ଲକର ବଡ଼ବେତାର ଗ୍ରାମର ୬୨ବର୍ଷୀୟ ବୃଦ୍ଧା ନର୍ମଦା ସାହୁ ଏବଂ ଗରଦପୁର ବ୍ଲକର ବଡ଼ବେତାର ଗ୍ରାମର ୬୮ବର୍ଷୀୟ ବୃଦ୍ଧ ଅଭୟ ମହାପାତ୍ରଙ୍କର କାନ୍ଥ ପଡ଼ି ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲାର ୨ଟି ବ୍ଲକର ୩ଟି ଗାଁର ୪୪ଜଣ ପ୍ରଭାବିତ ହୋଇଛନ୍ତି। କନ୍ଧମାଳ ଜିଲ୍ଲାର ତିନିଟି ବ୍ଲକର ୨୦ଟି ଗାଁ, ଗୋଟିଏ ସହରାଞ୍ଚଳର ୫ହଜାର ଲୋକ ପ୍ରଭାବିତ ହୋଇଛନ୍ତି। କୋରାପୁଟ ଜିଲ୍ଲାରେ ୫ଟି ବ୍ଲକର ୨୦ଟି ଗାଁର ୧୨୫ଜଣ ପ୍ରଭାବିତ ହୋଇଛନ୍ତି।

କଟକ ଜିଲ୍ଲାରେ ୨ଟି ବ୍ଲକର ୨ଟି ଗାଁ, ୨ଟି ସହରାଞ୍ଚଳର ୨୫୫୬ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ନିଆଳି ଓ କଟକ ସଦସର ବ୍ଲକରେ ରିଲିଫ ଦିଆଯାଉଛି। ଯାଜପୁର ବ୍ଲକରେ ୮ଟି ବ୍ଲକର ୫୧୫ଟି ଗାଁର ୮ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ୩୭୮୧୩ହେକ୍ଟର କୃଷି ଜମି ଜଳମଗ୍ନ ହୋଇଛି। ୧୨ଟି ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି। ପୁରୀରେ ୪ଟି ବ୍ଲକରେ ୫୨ଟି ଗାଁ, ୪ଟି ସହରାଞ୍ଚଳର ୧୫୪୩୪ଜଣ ପ୍ରଭାବିତ ହୋଇଛନ୍ତି। ଢେଙ୍କାନାଳରେ ୩ଟି ବ୍ଲକର ୯ଟି ଗାଁ, ଗୋଟିଏ ସହରାଞ୍ଚଳ ପ୍ରଭାବିତ ହୋଇଛି। ୧୧ଟି ପ୍ରାଣୀଧନଙ୍କର ମୃତ୍ୟୁ ହୋଇଛି।ଅନୁଗୁଳରେ ୩ଟି ବ୍ଲକର ୪ଟି ଗାଁର ୧୯ଜଣ ପ୍ରଭାବିତ ହୋଇଛନ୍ତି।

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ବୌଦ୍ଧ, ଯାଜପୁର, ସୋନପୁର ଜିଲ୍ଲାରେ ୧୦୦ମିମିରୁ ଅଧିକ ବର୍ଷା ହୋଇଛି। ଏଥିରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ୫୦୦ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ପୁରୀ, ଗୋପ, ସତ୍ୟବାଦୀ ଓ ନିମାପଡ଼ା ବ୍ଲକରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି। ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୪୪୦ମିମି ବର୍ଷା ହୋଇଛି। କଟକର କଣ୍ଟାପଡ଼ା, ନିଆଳିରେ ୩୦୦ମିମିରୁ ଅଧିକ ବର୍ଷା ହୋଇଛି। ଏହାବାଦ୍ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ ଓ ସୋନପୁରର ବିଭିନ୍ନ ବ୍ଲକରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି।

 

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉପରୋକ୍ତ ଅଞ୍ଚଳଗୁଡ଼ିକରେ ଏବେ ବର୍ଷା ସମ୍ଭାବନା ନାହିଁ। ରବିବାରର ଅବପାତ ସୋମବାର ସକାଳେ ଗଭୀର ଅବପାତର ରୂପ ନେଇଥିଲା। ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳ‌ରେ ଏହାର କେନ୍ଦ୍ର ରହିଥିବା ବେଳେ ଏହା ଆଜି ଚାନ୍ଦବାଲିଠାରୁ ଉତ୍ତର-ପଶ୍ଚିମ ଦିନରେ ୭୦ କିମି ଦୂରରେ ଓ ପୂର୍ବ-ଦକ୍ଷିଣପୂର୍ବ ଦିଗରେ କେନ୍ଦୁଝରଠାରୁ ୯୦ କିମି ଦୂରରେ ରହିଛି। ଏହି ଗଭୀର ଅବପାତ ଯୋଗୁଁ ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ଏହା ପ୍ରଭାବରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାରେ ସୋମବାର ଅତିରୁ ଅତିପ୍ରବଳ ବର୍ଷା ହୋଇଯାଇଛି। ଏଥିସହ ଉପକୂଳରେ ରବିବାର ଭଳି ସୋମବାର ବି ବର୍ଷା ବିଭୀଷିକା ଜାରି ରହିଥିଲା।

ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଧା, କେନ୍ଦୁଝର, ବୌଦ୍ଧ, ସୁନ୍ଦରଗଡ଼ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଯାଇଛି। ଆସନ୍ତାକାଲି ରାଜ୍ୟରେ ବର୍ଷା ଧୀରେଧୀରେ କମିଯିବ ଓ ପଶ୍ଚିମ ଓଡ଼ିଶାର କିଛି କିଛି ଜିଲ୍ଲା ଯଥା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ୧୫ ତାରିଖ ଆଡ଼କୁ ଏହି ଅବପାତ ମଧ୍ୟପ୍ରଦେଶରେ ଥିବା ବେଳେ ଏହା ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଫଳରେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ ଓ ୧୫ ତାରିଖ ଆଡ଼କୁ ରାଜ୍ୟରେ ବର୍ଷା ହେବ। ୧୮ ତାରିଖରେ ବଙ୍ଗୋ‌ପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ୧୮ରୁ ୨୧ ତାରିଖ ଯାଏ ରାଜ୍ୟରେ ପୁଣି ବର୍ଷା ହେବ।

ସମ୍ବନ୍ଧିତ ଖବର