କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର: ତିନି ଦିନ ଆଗରୁ ଆଜି କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ଏହି ଘୋଷଣା କରିଛି। ଏହାର ପ୍ରଭାବରେ କେରଳରେ ପ୍ରବଳ ବର୍ଷା ଜାରି ରହିଛି। ତାମିଲନାଡୁ ଓ ଲାକ୍ଷାଦୀପରେ ମଧ୍ୟ ବର୍ଷା ଲାଗି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ କର୍ଣ୍ଣାଟକ ଛୁଇଁପାରେ। ପାଗ ଅନୁକୂଳ ଥିବାରୁ ମୌସୁମୀ ଆଗୁଆ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି। ଯଦିଓ ଆଜି ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି ଓ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ରେକର୍ଡ କରାଯାଇଛି, ତଥାପି ଆସନ୍ତାକାଲି ପରେ ତାପମାତ୍ରା କମିବ। ଏପରିକି ୩୧ ତାରିଖବେଳକୁ ଅଧିକାଂଶ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିପାରେ। ଜୁନ୍‌ ପହିଲା କିମ୍ବା ୨ ତାରିଖରେ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ମଧ୍ୟ ଆରମ୍ଭ ହୋଇଯିବ। ଆଜି ବଲାଙ୍ଗୀର, ସୋନପୁରରେ ୪୩ ଡିଗ୍ରି, ତାଳଚେର, ଭବାନୀପାଟଣାରେ ୪୧.୫ ଡିଗ୍ରି, ସମ୍ବଲପୁର, ମାଲକାନଗିରିରେ ୪୧.୪ ଡିଗ୍ରି, ଝାରସୁୁଗୁଡାରେ ୪୦.୩ ଡିଗ୍ରି ଓ ହୀରାକୁଦରେ ୪୦.୧ ଡିଗ୍ରି ତାତି ଥିବା ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ଚଳିତବର୍ଷ ମାର୍ଚ୍ଚରୁ ମେ’ ମଧ୍ୟରେ ରାଜ୍ୟରେ ୧୮%ରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ କହୁଛି। ଅର୍ଥାତ୍‌ ଗ୍ରୀଷ୍ମଋତୁରେ ବର୍ଷାର ପ୍ରଭାବ କିଛି କମ୍‌ ନାହିଁ। ସାଧାରଣତଃ ଏହି ସମୟ ମଧ୍ୟରେ ରାଜ୍ୟରେ ହାରାହାରି ୧୩୦.୭ ମିଲିମିଟର ବର୍ଷା ହୋଇଥାଏ। ଏଥର କିନ୍ତୁ ମେ’ ୨୯ ତାରିଖ ସୁଦ୍ଧା ଏହା ୧୫୩.୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାଜ୍ୟର କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଏହି ପରିସଂଖ୍ୟାନକୁ ଦେଖିଲେ ବାଲେଶ୍ୱର ଓ ତା ପରେ ଭୁବନେଶ୍ୱରରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ଜଣାପଡିଛି।

ପାଣିପାଗ ବିଭାଗ ଆଞ୍ଚଳିକ କେନ୍ଦ୍ର ନିର୍ଦେଶକ ଡ. ଶରତ ସାହୁ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇ ଆରବ ସାଗରର ଦକ୍ଷିଣ ପୂର୍ବ ଅଞ୍ଚଳ, ମାଳଦୀପ, ଲାକ୍ଷାଦୀପ, କେରଳ ଅଧିକାଂଶ ଅଞ୍ଚଳ ଓ ତାମିଲନାଡୁର କିଛି ଅଞ୍ଚଳରେ ନିଜ ଉପସ୍ଥିତି ରଖିଛି। ଏହାବ୍ୟତୀତ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତର ପୂର୍ବ ଅଞ୍ଚଳରେ ମଧ୍ୟ ଏହାର କିଛିଟା ପ୍ରଭାବ ଅନୁଭୂତ ହେଲାଣି। ସାଧାରଣତଃ ଜୁନ୍‌ ପହିଲା ବେଳକୁ ମୌସୁମୀ କେରଳ ଛୁଇଁଥାଏ। ହେଲେ ଏଥର ଏହାର ତିନି ଆଗରୁ କେରଳ ଛୁଇଁଛି। ଯେହେତୁ ପାଗ ବେଶ ଅନୁକୂଳ ରହିଛି, ଏହାକୁ ଆଗକୁ ବଢାଇବାକୁ ସାହାଯ୍ୟ କରିବ।

ଡ. ସାହୁଙ୍କ କହିବା କଥା ହେଉଛି, ପୂର୍ବ କେନ୍ଦ୍ରୀୟ ଓ ଏହା ନିକଟସ୍ଥ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଅବପାତ ସୃଷ୍ଟି ହୋଇଛି। ଏହା ବାଲେଶ୍ୱର ଠାରୁ ୭୧୫ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ ଅଧିକ ଘନୀଭୂତ ହୋଇ ଭୀଷଣ ଅବପାତରେ ପରିଣତ ହୋଇଛି। ଏହା ମିଆଁମାର ଓ ବାଂଲାଦେଶ ଉପକୂଳ ଆଡକୁ ଆଜି ରାତିରେ ଗତି କରୁଛି। ଏହା ସ୍ଥଳଭାଗକୁ ଛୁଇଁବା ପରେ ଆସାମ ଅଞ୍ଚଳରେ ମୌସୁମୀକୁ ସକ୍ରିୟ କରିବାରେ ସାହାଯ୍ୟ କରିବ। ଏଣୁ ଓଡ଼ିଶାକୁ ମୌସୁମୀ ପ୍ରବେଶର ସ୍ଥିତି ବେଶ୍‌ ଅନୁକୂଳ ରହିଥିବା ଡ. ସାହୁ କହିଛନ୍ତି। ଏପରିକି ନିର୍ଧାରିତ ସମୟ ଆଗରୁ ଅର୍ଥାତ୍‌ ୬ କିମ୍ବା ୭ତାରିଖ ବେଳକୁ ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନାକୁ ପାଣିପାଗ ବିଜ୍ଞାନୀ ଏ଼ଡ଼ାଇନାହାନ୍ତି।

ଏପଟେ ପାଣିପାଗବିତ୍‌ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି ଏଥର ମୌସୁମୀ ସ୍ୱାଭାବିକ ରହିବ। ଫସଲ ଅମଳ ଭଲ ରହିବ। ଜୁନ୍‌ ୫ କିମ୍ବା ୬ ବେଳକୁ ରାଜ୍ୟରେ ମୌସୁମୀ ବର୍ଷା ହେବାର ସମ୍ଭାବନା ଅଧିକ। ପ୍ରାରମ୍ଭିକ ଭାବେ ଉପକୂଳବର୍ତୀ ଅଞ୍ଚଳରେ ଅଧିକ ବର୍ଷା ହେବ। ଜୁନ୍‌ ଦ୍ୱିତୀୟ ସପ୍ତାହରେ ଲଘୁଚାପ ଜନିତ ପ୍ରଭାବରେ ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରଫେସର ପଶୁପାଳକ ପୂର୍ବାନୁମାନ କରୁଛନ୍ତି, ଚଳିତବର୍ଷ ରାଜ୍ୟରେ ମୌସୁମୀ ବର୍ଷା ଜୁନ୍‌ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ୱାଭାବିକ ତଥା ସ୍ୱାଭାବିକ୍‌ଠାରୁ ଅଧିକ ରହିବ। କିନ୍ତୁ ଜୁଲାଇ ମାସରେ ଦକ୍ଷିଣ ଓଡ଼ିଶାରେ ଯଥା ମାଲକାନଗିରି, ରାୟଗଡ଼ା, ଗଜପତି, କୋରାପୁଟ ଓ ଗଞ୍ଜାମର କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ହୋଇପାରେ। ସେହିପରି ଜୁନ୍‌ ମାସରେ ଉକ୍ତ ଜିଲ୍ଲାଗୁଡ଼ିକରେ ବର୍ଷା ସ୍ୱାଭାବିକଠାରୁ ସାମାନ୍ୟ କମିପାରେ। ମାତ୍ର ଏହି ଅଞ୍ଚଳଗୁଡ଼ିକରେ ବୁଣାବୁଣି କରିବା ପାଇଁ ବର୍ଷା ଯଥେଷ୍ଟ ହେବ। ସେହିଭଳି ଉତ୍ତର ଓଡ଼ିଶାରେ ଉଭୟ ଜୁନ୍‌ ଓ ଜୁଲାଇ ମାସରେ ସ୍ୱାଭାବିକ ଓ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ବର୍ଷା ସ୍ୱାଭାବିକ ରହିଛି। ଚାଷୀଙ୍କୁ ପରାମର୍ଶ ଦେଇ ପ୍ରଫେସର ପଶୁପାଳକ କହିଛନ୍ତି, ଜୁନ୍‌ ୧ ଯାଏ ରାଜ୍ୟରେ ଗରମର ପ୍ରଭାବ ରହିବ। ଏହା ପରେ ମୌସୁମୀ ପହଞ୍ଚିବ ଓ ବର୍ଷା ଆରମ୍ଭ ହୋଇଯିବ। ତେଣୁ ଚାଷୀମାନେ ପାଖରେ ସାର ଓ ବିହନ ସାଇତି ରଖିବା ଆବଶ୍ୟକ। ଜୁନ୍‌ ଦ୍ୱିତୀୟ ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ଏବେଠାରୁ ଖାଲ ଜମିକୁ ପ୍ରସ୍ତୁତ କରି ରଖିବା ଲାଗି ସେ ପରାମର୍ଶ ଦେବା ସହିତ ଢ଼ିପ ଜମିରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଣଧାନ ଫସଲ ତଥା ମିଶ୍ର୍ରିତ ଫସଲ କରିବା ଲାଭଦାୟକ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ମୌସୁମୀ କେରଳ ଛୁଇଁସାରିଲାଣି ବୋଲି ଗତକାଲି ଠାରୁ ପାଣିପାଗ ସଂପର୍କରେ ଆକଳନ କରୁଥିବା ଘରୋଇ ସଂସ୍ଥା ସ୍କାଏମେଟ୍‌ ପ୍ରକାଶ କରିଥିଲା। ଗତ ୨୫ ତାରିଖରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଥିଲା।

ସମ୍ବନ୍ଧିତ ଖବର