ଲଘୁଚାପ ପ୍ରଭାବ : ଗୁରୁବାର ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ଓଡ଼ିଶା ଓ ଦକ୍ଷିଣ ପଶ୍ଚିମବଙ୍ଗ ଅତିକ୍ରମ କରି ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଛତିଶଗଡ଼ ଉପରେ ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ ।

ଏହି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେବେ କେତେକ ଜିଲ୍ଲା ଯେପରିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏଥିପାଇଁ ଏସବୁ ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି ।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଅସରାଏ ଦୁଇ ଅସରା ବର୍ଷା ହେବ ।

ଅନ୍ୟପକ୍ଷରେ ୨୨ ତାରିଖ  ପରଠାରୁ ରାଜ୍ୟରେ ବର୍ଷା ପରିମାଣ କମିବା ଆଶା କରାଯାଉଛି । କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ମଧ୍ୟାହ୍ନ ବୁଲେଟିନରେ କୁହାଯାଇଛି । ତେବେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ସତର୍କତା ଜାରି କରାଯାଇନାହିଁ ।

 

 

ସମ୍ବନ୍ଧିତ ଖବର