୧୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା; ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତତ୍‌ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ସକାଳେ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ଯାଏ ରାଜ୍ୟରେ ପ୍ରବଳ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ପ୍ରଭାବ ଅଧିକ ରହିବ ଓ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ହଳଦିଆ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ଲଘୁଚାପ ବଳୟଟି ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଅଞ୍ଚଳରେ ରହିଛି। ଯାହାକି ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଉପରେ ରହିଛି। ଏହାଛଡ଼ା ଆଉ ଏକ ଟ୍ରଫ୍‌ ଲାଇନ୍‌ ଦକ୍ଷିଣ-ପୂର୍ବ ରାଜସ୍ଥାନରୁ ଲଘୁଚାପର କେନ୍ଦ୍ର ପର୍ଯ୍ୟନ୍ତ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତାରେ ରହିଛି। ଫଳରେ ୧୦ ତାରିଖ ଦିନ ଲଘୁଚାପର ପ୍ରଭାବ ଅଧିକ ରହିବ।


ଏଥିସହ କନ୍ଧମାଳ, ବୌଦ୍ଧ, ନୟାଗଡ଼ ଓ ନୂଆପଡ଼ାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୧ ତାରିଖରେ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ, ୧୨ ତାରିଖ ଦିନ ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି ଓ କନ୍ଧମାଳ ଏବଂ ୧୩ରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା, ନବରଙ୍ଗପୁର ଓ ଦେବଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏହି ୩ ଦିନ ପାଇଁ ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସମ୍ବନ୍ଧିତ ଖବର