ବର୍ଷା ଧୋଇନେଲା ବାଉଁଶ ପୋଲ, ୨୦ଟି ଗାଁ’ର ଲୋକ ଆସିପାରୁନାହାନ୍ତି ରାଉରକେଲା

ପରିବା ଚାଷୀ, ବିକ୍ରେତା ଓ ଦିନ ମଜୁରିଆଙ୍କ ଆୟ ବନ୍ଦ

ରାଉରକେଲା: କୁଆରମୁଣ୍ଡା ଓ ନୂଆଗାଁ ବ୍ଲକର ପ୍ରାୟ ୨୦ରୁ ଅଧିକ ଗାଁରୁ ହଜାର ହଜାର ଲୋକ ଏହି ପୋଲ ଉପରେ ନିର୍ଭର କରୁଥିଲେ। ବିଶେଷକରି ପରିବା ଚାଷୀ, ବେପାରୀ ଓ ଦିନ ମଜୁରିଆ ଆଦି ଗରିବ ଖଟିଖିଆ ବର୍ଗର ଲୋକ ପ୍ରତିଦିନ କୋଏଲ ନଦୀରେ ଥିବା ଅସ୍ଥାୟୀ ବାଉଁଶ ପୋଲ ଦେଇ ରାଉରକେଲାକୁ ଆସୁଥିଲେ। ହେଲେ ‘ୟାସ୍‌’ ବାତ୍ୟା ସମୟରେ ଆସିଥିବା ବନ୍ୟା ଯୋଗୁଁ ପୋଲ ଧୋଇ ହୋଇଯାଇଛି। ଫଳରେ ଏମାନେ ଆଉ ରାଉରକେଲାକୁ ଆସିପାରୁନାହାନ୍ତି। ନଦୀ ପାର୍‌ ହୋଇ ଅନାୟାସରେ ସହର ଭିତରକୁ ଆସି ଯେଉଁ ଦି’ ପଇସା ରୋଜଗାର କରୁଥିଲେ, ତାହା ବି ବନ୍ଦ ହୋଇଯାଇଛି।

ଜନସାଧାରଣଙ୍କ ଗମନାଗମନ ପାଇଁ କୋଏଲନଗର ବୈକୁଣ୍ଠ ଘାଟ ଓ ହମୀରପୁରଠାରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରାଯାଇଛି। ଏହି ପୋଲ ଅତିକ୍ରମ କରି କୁଆଁରମୁଣ୍ଡା ଓ ନୂଆଗାଁ ବ୍ଲକର ଅଧିକାଂଶ ଚାଷୀ, ଦିନ ମଜୁରିଆ ଓ ବିଭିନ୍ନ ବର୍ଗର ଲୋକ ରାଉରକେଲାକୁ ଆସିଥାନ୍ତି। ଏମିତିକି ସ୍ଥାନୀୟ ଅଞ୍ଚଳର ରୋଗୀ ମଧ୍ୟ ଚିକିତ୍ସା ସେବା ପାଇଁ ଏହି ପୋଲ ଦେଇ ରାଉରକେଲାକୁ ଆସିଥାନ୍ତି। ଏହି ଦୁଇ ବ୍ଲକର ପ୍ରାୟ ୨୦ ଗାଁ, ଯଥା-ନୂଆଗାଁ ବ୍ଲକର ଲହଣ୍ଡା, ଅଙ୍କୁରପାଲି, କଦଳିବାହାଲ, ସେମେରତା, କେମାଙ୍ଗ, ଲାଙ୍କୋଇ, ବରେଇଗଡା, ସତରା ଓ କୁଆଁରମୁଣ୍ଡା ବ୍ଲକର କର୍ମାବାହାଲ, ଝାରବେଡା, କାରିଛାପଲ, ଲୋହାମାଲ, ଟାଙ୍ଗରାଣୀ, କଚାରୁ, ରାମପୁର, ସିଆଲଜର, ପସରା, ରିଉଁ ଆଦି ପ୍ରାୟ ୨୦ଟି ଗାଁର ଲୋକ ଏହି ବାଉଁଶ ପୋଲ ଉପରେ ନିର୍ଭରଶୀଳ।

‘ୟାସ୍‌’ ବାତ୍ୟାର ପ୍ରଭାବରେ ଗତ ୨୬ ଓ ୨୭ ତାରିଖ ଦୁଇ ଦିନ ସହରରେ ଲଗାଣ ବର୍ଷା ହୋଇଥିଲା। ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ଏହି ଅସ୍ଥାୟୀ ପୋଲଟି ନଦୀ ଜଳରେ ଭାସିଯାଇଥିଲା। ଏହାସହ ନଦୀ ଘାଟରେ ଥିବା ଡଙ୍ଗାଗୁଡ଼ିକ ମଧ୍ୟ ଭାସିଯାଇଛି। ଫଳରେ ସହରକୁ ଏହି ଗ୍ରାମଗୁଡ଼ିକରୁ ଲୋକଙ୍କ ଯିବାଆସିବା ଏବେ ବନ୍ଦ ହୋଇଯାଇଛି। ଏମାନଙ୍କୁ ରାଉରକେଲା ଆସିବାକୁ ହେଲେ ବର୍ତ୍ତମାନ ପ୍ରାୟ ୪୦/୪୫ କିଲୋମିଟର ବୁଲାବାଟରେ ବୁଲିବାକୁ ପଡ଼ୁଛି; ଯାହାକି ସମସ୍ତଙ୍କ ପାଇଁ ଏହା ସମ୍ଭବ ହେଉନାହିଁ। ଫଳରେ ପରିବା ବିକି ପେଟ ପୋଷୁଥିବା ତଥା କାର୍ଯ୍ୟ ଅନ୍ବେଷଣରେ ସହରକୁ ଆସୁଥିବା ଗରିବ ଲୋକଙ୍କ ଆୟ ବି ବନ୍ଦ ହୋଇଯାଇଛି।

ପ୍ରକାଶଥାଉକି ଏହି ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ମିଟକୁନ୍ଦରୀ ଠାରେ ଏକ ପୋଲ ନିର୍ମାଣାଧୀନ ରହିଛି। ମାତ୍ର ନିର୍ମାଣ କାର୍ଯ୍ୟ ଆଶାନୁରୂପ ଭାବେ ଆଗଉନାହିଁ। ଏନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ବି ବୃଦ୍ଧି ପାଇଲାଣି। ଏ ଦିଗରେ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର