ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବର୍ଷା ଜଳ ଅମଳ ପ୍ରକଳ୍ପ, ସ୍ଥାନୀୟ ଲୋକଙ୍କୁ ମିଳୁଛି କର୍ମନିଯୁକ୍ତି

ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ୧୭ଟି ବ୍ଲକରେ କାର୍ଯ୍ୟକାରୀ କରିବାକୁ ପ୍ରଶାସନର ଲକ୍ଷ୍ୟ 

ସୁନ୍ଦରଗଡ଼: ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ‘ରୁଫ୍ ଟପ୍ ରେନ୍ ୱାଟର ହାର୍ଭେଷ୍ଟିଂ’ ବା ଛାତ ଉପରେ ବର୍ଷା ଜଳ ଅମଳ ଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ୧୭ଟି ବ୍ଲକରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରାଥମିକତା ଦେଉଛି । ମେ’ ମାସ ଶେଷ ସୁଦ୍ଧା ଜିଲ୍ଲାରେ ଏଥିପାଇଁ ୬୫୧ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ୩୮୫ଟି ପ୍ରକଳ୍ପର କାମ ଚାଲିଛି । ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି ।

ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଥିବା ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସ, ଡାକ୍ତରଖାନା, ସ୍କୁଲ, କଲେଜ ଓ ହଷ୍ଟେଲ କୋଠା ଆଦିରୁ ବର୍ଷା ଜଳ ଅମଳ କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଏକ ଖସଡ଼ା ପ୍ରସ୍ତୁତ କରିଛି । ପ୍ରକଳ୍ପ ହେଉଥିବା କୋଠାର ଛାତରୁ ବର୍ଷା ଜଳ ପାଇପ୍ ଯୋଗେ ସିଧା ଗଡ଼ିଆସି କୋଠା ନିକଟରେ ତିଆରି କରାଯାଇଥିବା ପିଟରେ ପଡ଼ିଥାଏ । ତେଣୁ ଏହି ପାଣି ବାହାରକୁ ବହି ନଯାଇ ମାଟି ତଳକୁ ଯିବା ସହ ସେଠାରେ ଭୂତଳ ଜଳ ସ୍ତରକୁ ବଢ଼ା଼ଇବାରେ ସାହାଯ୍ୟ କରିଥାଏ ।

ବର୍ଷା ଜଳ ଅମଳ ପ୍ରକଳ୍ପ ଫଳରେ ନିକଟରେ ଥିବା କୂଅ, ପୋଖରୀ, ଟ୍ୟୁବୱେଲ ଓ ବୋରୱେଲ୍ ଆଦି ଜଳ ଉତ୍ସର ଜଳ ସ୍ତର ବୃଦ୍ଧି ପାଇଥାଏ । ଏଥି ଯୋଗୁଁ ଲୋକଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ପାଣିର ଅଭାବ ଦୂର ହୋଇପାରିବ । ସେହିପରି ଭୂତଳ ଜଳ ସ୍ତରରେ ବୃଦ୍ଧି ଫଳରେ ଏହା ଚାଷ କ୍ଷେତ ଏବଂ ଚାଷୀଙ୍କ ପାଇଁ ଲାଭଦାୟକ ହୋଇପାରିବ ।

“ପାଣିର ବ୍ୟବହାର ଦିନକୁ ଦିନ ବଢ଼ିବା ଫଳରେ ଆଜି ସାରା ପୃଥିବୀରେ ମାଟି ତଳୁ ଜଳ ସ୍ତର କମି କମି ଯାଉଛି । ତେଣୁ ଭୂତଳ ଜଳ ସ୍ତର ବାଇବା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ବିଭିନ୍ନ ସରକାରୀ କୋଠାବାଡ଼ି, ସର୍ବସାଧାରଣ ଅନୁଷ୍ଠାନର କୋଠାର ଛାତ ଉପରୁ ଜଳ ଅମଳ କରାଯାଇ ମାଟି ତଳକୁ ଛାଡ଼ିବା ଲାଗି ବ୍ୟବସ୍ଥା କରାଯାଉଛି । ଫଳରେ ଏହା ଦ୍ୱାରା ସଂପୃକ୍ତ ଅଞ୍ଚଳରେ ଭୂତଳ ଜଳ ସ୍ତର ବୃଦ୍ଧି ପାଇବୟ ଖରାଦିନେ ଲୋକଙ୍କ ଜଳକଷ୍ଟ ମଧ୍ୟ ଦୂର ହୋଇପାରିବ’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

ଯେଉଁ ଛାତର ଆୟତନ ପ୍ରାୟ ୧୫୦୦ ବର୍ଗଫୁଟ୍ କିମ୍ବା ତା’ଠୁ କମ୍ ବର୍ଷା ଜଳ ଅମଳ ପାଇଁ ସେହି କୋଠା ନିକଟରେ ଗୋଟିଏ ପିଟ୍ ନିର୍ମାଣ ହେଉଛି । ସେହିପରି ୧୫୦୦ ବର୍ଗଫୁଟରୁ ଅଧିକ ଆୟତନ ଥିବା ଛାତ କୋଠା ନିକଟରେ ଦୁଇଟି ପିଟ୍ ନିର୍ମାଣ କରାଯାଉଛି । ଛାତ ଉପରୁ ସଂଗୃହୀତ ବର୍ଷା ଜଳ ଗଡ଼ି ଆସି ସେହି ପିଟ୍ ଦେଇ ମାଟି ତଳକୁ ଯାଉଛି । କ୍ଷେତ୍ର ସ୍ତରରେ ଏହି ପ୍ରକଳ୍ପ କାର୍ଯ୍ୟର ପରିଚାଳନା ଲାଗି ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଦାୟିତ୍ୱ ଦିଆଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଏହି ପ୍ରକଳ୍ପ ସହିତ ଯୋଡ଼ା ଯାଇ ସେମାନଙ୍କୁ କର୍ମନିଯୁକ୍ତି ଦିଆଯାଉଛି । କରୋନା ମହାମାରୀ ଯୋଗୁଁ ବାହାର ରାଜ୍ୟରୁ ଫେରି ଆସିଥିବା ଲୋକମାନେ ମଧ୍ୟ ଏଥିରେ ଉପକୃତ ହେଉଛନ୍ତି ।

“ପୂର୍ବରୁ ବାହାର ରାଜ୍ୟକୁ ଯାଇ କାମ କରୁଥିଲି । କରୋନା ହେବା ପରେ କାମଧନ୍ଦା ନ ମିଳିବାରୁ ଗାଁକୁ ଫେରିଆସିଲି । ଆମ ଅଞ୍ଚଳରେ ଯେଉଁ ଜଳ ଅମଳ ପ୍ରକଳ୍ପ ଚାଲିଛି ସେଥିରେ ଆମ ଭଳି ଲୋକଙ୍କୁ କାମ ଧନ୍ଦା ମିଳିପାରିଛି’, କହିଛନ୍ତି ବଡ଼ଗାଁ ବ୍ଲକ ବରଙ୍ଗାକଚ୍ଛାର ଗ୍ରାମର ହେମନ୍ତ ପ୍ରଧାନ । ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଅନେକ ସମୟରେ ମୌସୁମୀ ବର୍ଷାରେ ଅନିୟମିତତା ଦେଖାଦେଉଛି । ପୁଣି ଯେତିକି ବର୍ଷା ହେଉଛି ସବୁ ପାଣି ନଦୀ, ସମୁଦ୍ରକୁ ବହିଯାଉଛି । ଅନ୍ୟପକ୍ଷରେ ଜନସଂଖ୍ୟା ବୃଦ୍ଧି ଫଳରେ ଭୂତଳ ଜଳର ବ୍ୟବହାର ମଧ୍ୟ ବଢ଼ୁଛିୟ ଫଳରେ ଆଜି ଅନେକ ସ୍ଥାନରେ ଜଳ ସଙ୍କଟ ସୃଷ୍ଟି ହୋଇଛି । ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ଭୂତଳ ଜଳସ୍ତର ବୃଦ୍ଧି ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ଜଳ ଅମଳ ପ୍ରକଳ୍ପକୁ ବ୍ୟାପକ କରି ଜଳ ସଙ୍କଟର ସମାଧାନ ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି । ଏଭଳି ପରିବେଶ ଅନୁକୂଳ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ କରିବା ପାଇଁ, ସାଧାରଣ ଲୋକେ କିପରି ନିଜ ନିଜ ଘର ଛାତ ଉପରେ ବର୍ଷା ଜଳ ଅମଳ କରିବେ, ସେଥିପାଇଁ ମଧ୍ୟ ସଚେତନ କରାଯାଉଛି ।

 

 

 

ସମ୍ବନ୍ଧିତ ଖବର