ଲଘୁଚାପଜନିତ ଲଗାଣ ବର୍ଷାରେ ଚାଷ ଜମିରେ ପାଣି ମାଡ଼ିଯିବାରୁ ଫସଲ ନଷ୍ଟ, ଚାଷୀ ହତାଶ

ରଣପୁର : ସଂପ୍ରତି ଲଘୁଚାପଜନିତ ଲଗାଣ ବର୍ଷାରେ ପନିପରିବା ଓ ଚାଷ ଜମିରେ ପାଣି ମାଡ଼ିଯିବାରୁ ଫସଲ ନଷ୍ଟ ହୋଇପଡ଼ିଥିବା ବେଳେ ଚାଷୀ କୂଳ ହତାଶ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଦୀର୍ଘ ଏକ ମାସ ଧରି ଲଗାଣ ବର୍ଷା ଚାଷୀର କଷ୍ଟକୁ ଦ୍ବିଗୁଣିତ କରିପକାଇଛି। ଚାଷୀ ବର୍ଷାଦିନିଆ ଫସଲ ବାଇଗଣ, ଝୁଲଣ, କାକୁଡି, ପୋଟଳ, ଜହ୍ନି ଆଦି ପନିପରିବା କରିଥିଲା। ହେଲେ ପ୍ରବଳ ବର୍ଷା ଯୋଗୁ ଫସଲ କ୍ଷେତରେ ପାଣି ମାଡ଼ି ଚାରା ନଷ୍ଟ ହେବା ସାଙ୍ଗକୁ ଅମଳକ୍ଷମ ଫସଲ ଧୋଇ ନେଇଛି। ପନିପରିବା ଫସଲ ପାଇଁ ସରକାରୀ ସହାୟତା ନ ମିଳିବାରୁ ହଜାର ହଜାର ଟଙ୍କା ଧାର୍‌କରଜ କରି ଚାଷୀ ଫସଲ କରିଥିଲା। ହେଲେ ଫସଲ ଧୋଇ ଯିବାରୁ ଏବେ ଚାଷୀ ମୁଣ୍ତରେ ହାତ ଦେଇ ବସିଛି। ସେହିପରି ଅନେକ ଚାଷୀଙ୍କ ଧାନ ଫସଲ ଧୋଇ ନେଇଥିବା ଜଣାଯାଇଛି। ଅନେକ ଚାଷୀ ଅନ୍ୟନୋପାୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବାହାରିଥିବା ଦେଖିବାକୁ ମିଳିଛି। ବିଶେଷକରି ରଣପୁର ବ୍ଲକ୍‌ ଅନ୍ତର୍ଗତ ବଜ୍ରକୋଟ, ବାଉଁଶଗଡ଼, ପିମ୍ପଲ, ମୟୂରଝାଲିଆ, କେରେଣ୍ତାଟାଙ୍ଗୀ, ରାଇପଡ଼ା, କାସନ୍ଦା, ସୁର୍କାବାଡ଼ି, କୁଳାସର, ବଧିପାଟଣା, ବଳଭଦ୍ରପୁର, ଗୋପଳପୁର ଆଦି ପଞ୍ଚାୟତରେ ବହୁ କ୍ଷତିଗ୍ରସ୍ତ ଚାଷୀ ଏହାର ଶିକାର ହୋଇଥିବା ଜଣାଯାଇଛି। ତେବେ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ କୃଷକ ମହଲ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର