ବର୍ଷା ଧରା ପକାଇଦେଲା ଏଏସ୍‌ଆଇର ମିଛ

କୋଣାର୍କ : ଆଜି ଅପରାହ୍ନରେ ଦୁଇ ଘଣ୍ଟାର ଲଗାଣ ବର୍ଷା ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ମିଛକୁ ପଦାରେ ପକାଇ ଦେଇଛି। ବର୍ଷା‌ରେ ସୂର୍ଯ୍ୟମନ୍ଦିର ପରିସରରେ ୩ ଫୁଟ୍‌ରୁ ଅଧିକ ଉଚ୍ଚର ପାଣି ଜମି ରହିଛି। ମନ୍ଦିର ପରିସରରେ ବର୍ଷା ପାଣି ଜମି ରହିବା ଘଟଣାକୁ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ତେବେ ଏଏସ୍‌ଆଇ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବା ତ ଦୂରର କଥା, ଏହାକୁ ହେୟଜ୍ଞାନ କରିଚାଲିଛି। ଏଏସ୍‌ଆଇର ଅବହେଳା ଯୋଗୁଁ ପର୍ଯ୍ୟଟକମାନେ ହୀନସ୍ତା ହେଉଛନ୍ତି।

ସୂଚନାଯୋଗ୍ୟ, ମନ୍ଦିର ପରିସରରେ ଜମି ରହୁଥିବା ବର୍ଷା ପାଣି ମନ୍ଦିରର ମୂଳଦୁଆକୁ ଦୁର୍ବଳ କରୁଥିବା ନେଇ ବହୁବାର ଅଭିଯୋଗ ହେଲାଣି। ୨୦୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିର ଚାରିପାଖରୁ ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନେଜ୍‌ ବିଭାଗ ପକ୍ଷରୁ ଡ୍ରେନ୍‌ ନିର୍ମାଣ କରାଯାଇଥିଲା। ମାତ୍ର କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ଏଏସ୍‌ଆଇ କର୍ତ୍ତୃପକ୍ଷ ମନ୍ଦିର ପରିସରରୁ ବର୍ଷା ପାଣି ନିଷ୍କାସନର କୌଣସି ସ୍ଥାୟୀ ସମାଧାନ କଲେ ନାହିଁ। ବିଭିନ୍ନ ସମୟରେ ମନ୍ଦିରର ସଂରକ୍ଷଣ ପାଇଁ ବିଶେଷଜ୍ଞ କମିଟି ଦ୍ବାରା ହୋଇଥିବା ଉଚ୍ଚସ୍ତରୀୟ ଯାଞ୍ଚ ପ୍ରକ୍ରିୟାରେ ମନ୍ଦିର ପରିସରରେ ବର୍ଷା ପାଣି ଜମି ରହିବା ଘଟଣାକୁ ଗୁରୁତ୍ବ ଦିଆଯାଇ ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଉଛି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ଅସରାଏ ବର୍ଷାରେ ମନ୍ଦିର ପରିସରରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି।

ମନ୍ଦିରର ସ୍ଥିତି ଅନୁଧ୍ୟାନ ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‌ କ୍ୟୁରିଙ୍କ ଗସ୍ତ ପୂର୍ବରୁ ଗତ ମାସରେ ଏଏସ୍‌ଆଇର ଏଡିଜି ମନ୍ଦିର ପରିଦର୍ଶନ କରିଥିଲେ। ବର୍ଷା ପାଣି ଜମି ରହିବା ଘଟଣା ସଂପର୍କରେ ସେ ଜାଣିବାକୁ ଚାହୁଁଥିବା ସମୟରେ ଏଏସ୍‌ଆଇର ଜଣେ ଅଣଓଡ଼ିଆ ଅଧିକାରୀ ତାଙ୍କୁ ଭୁଲ୍‌ ତଥ୍ୟ ପ୍ରଦାନ କରିଥିଲେ। ଯାହାକୁ ନେଇ ସଂପୃକ୍ତ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ମନ୍ଦିରର ବାସ୍ତବ ସ୍ଥିତି ସଂପର୍କରେ ଉକ୍ତ ଅଣଓଡ଼ିଆ ଅଧିକାରୀ ଭୁଲ ତଥ୍ୟ ପ୍ରଦାନ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ଏଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଆମିକସ୍‌ କ୍ୟୁରିଙ୍କ ମନ୍ଦିର ପରିଦର୍ଶନ ପୂର୍ବରୁ ଏଏସ୍‌ଆଇ ପାଣି ପମ୍ପ୍‌ ଲଗାଇ ମନ୍ଦିରରୁ ବର୍ଷା ପାଣି ନିଷ୍କାସନ କରିଥିଲା। ତେବେ ଏ ସଂପର୍କରେ ଆମିକସ୍‌ କ୍ୟୁରି ଅବଗତ ହେବା ପରେ ମନ୍ଦିରରୁ ଜଳ ନିଷ୍କାସନ ପାଇଁ ହୋଇଥିବା ବ୍ୟବସ୍ଥାକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରିଥିଲେ। ନିୟମିତ ଭାବେ ମନ୍ଦିର ପରିସରରେ ବର୍ଷାପାଣି ଜମି ରହୁଥିଲେ ମଧ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଏଏସ୍‌ଆଇର ଅଣଓଡ଼ିଆ ଅଧିକାରୀମାନେ ଏହାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି। ତେବେ ଆଜି ଅସରାଏ ବର୍ଷାରେ ମନ୍ଦିରରେ ଆଣ୍ଠୁଏ ପାଣି ଜମି ରହିବା ଘଟଣା ଏଏସ୍‌ଆଇର ଅସଲ ମୁଖା ଖୋଲି ଦେଇଛି।

ସମ୍ବନ୍ଧିତ ଖବର