ହାଟଡିହି : ୫-ଟିରେ ସାମିଲ ହୋଇ ରୂପାନ୍ତରୀକରଣ ହୋଇଥିବା ହାଟଡିହି ବ୍ଲକ୍‌ ବଡ଼ରମ୍ପାସ ଗ୍ରାମରେ ଥିବା ଜପିଦାସ ବିଦ୍ୟାମନ୍ଦିରରେ ଲହଡ଼ି ମାରୁଛି ବର୍ଷାପାଣି। ଏଠାରେ ୫ଟି ଶ୍ରେଣୀରେ ୩ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସ୍କୁଲ ପରିସରରେ ବର୍ଷାପାଣି ଦୀର୍ଘଦିନ ହେବ ଜମି ରହିବା ଯୋଗୁଁ ଦୁର୍ଗନ୍ଧ ‌‌ହେଉଛି।

Advertisment

ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଲା, ବିଦ୍ୟାଳୟ ରୂପାନ୍ତରୀକରଣ ସମୟରେ ସ୍କୁଲ ଚାରିପଟେ ମାଟି ପକାଇ ଉଚ୍ଚା କରିଦିଆଗଲା। ଫଳରେ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ରହିଲା ନାହିଁ। ବର୍ଷାପାଣି ନିଷ୍କାସନ ‌ହୋଇନପାରି ସ୍କୁଲ ପରିସରରେ ଜମୁଛି। ଗତକାଲି ହୋଇଥିବା ବର୍ଷାରେ ଶ୍ରେଣୀଗୃହରେ ପାଣି ପଶିଯାଇଥିଲା ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଛାତ୍ରଛାତ୍ରୀ ଆଣ୍ଠୁଏ ପାଣିରେ ପଶି ଯାତାୟାତ କରୁଥିବା ବେଳେ ଚାଉଳ ରହୁଥିବା ଘରେ ପାଣି ପଶିବାରୁ ବସ୍ତାବସ୍ତା ଚାଉଳ ନଷ୍ଟ ହୋଇଯାଇଛି। ଗତ ୧୦/୧୨ଦିନ ହେବ ଏପରି ଅବସ୍ଥା ଲାଗି ରହିଥିବାରୁ ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ବସି ପାଠ ପଢ଼ିପାରୁ ନାହାନ୍ତି। ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ବିଦ୍ୟାଳୟର ଶିକ୍ଷକମାନେ କହିଛନ୍ତି।

ଏ ସମ୍ପର୍କରେ ବଡ଼ରମ୍ପାସ ସରପଞ୍ଚ ରବୀନ୍ଦ୍ର କୁମାର ଯେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଗତକାଲି ଏ ବାବଦରେ ଜାଣିବାକୁ ପାଇଲି। ତୁରନ୍ତ ସଂପୃକ୍ତ ଠିକାଦାରଙ୍କୁ କହି ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଯେନା କହିଛନ୍ତି।