ବାବା ଆଖଣ୍ଡଳମଣି ମନ୍ଦିର ଗର୍ଭଗୃହରେ ପ୍ରବେଶ କଲା ବର୍ଷା ଜଳ, ଭିଡିଓରେ ଦେଖନ୍ତୁ କେମିତି ପୂଜା କଲେ ସେବାୟତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ଆଜି ବର୍ଷା ଜଳ ପ୍ରବେଶ କରିଛି। ଲଘୁଚାପ ବର୍ଷା ଯୋଗୁଁ ମଧ୍ୟରାତ୍ରୀରେ ବର୍ଷା ଜଳ ପ୍ରବେଶ କରିବାରୁ ଆଜି ସକାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବାରେ ବିଳମ୍ବ ହୋଇଛି। ମନ୍ଦିରର ସେବାୟତମାନେ ଆଣ୍ଠୁଏ ପାଣି ଭିତରେ ଛିଡ଼ା ହୋଇ ମଙ୍ଗଳ ଆରତି, ସକାଳ ଧୂପ ଆଦି ନୀତିକାନ୍ତି ଶେଷ କରିଛନ୍ତି।

ସୂଚନା ଅନୁସାରେ ଗତ ତିନି ଦିନ ଧରି ଲଘୁଚାପ ବର୍ଷା ପ୍ରଭାବରେ ଗତକାଲି ରାତିରେ ମନ୍ଦିରର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡ ଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ବର୍ଷା ପାଣି ପ୍ରବେଶ କରିଥିଲା। ବର୍ଷା ଜଳରେ ମଣିବାବାଙ୍କ ବିଗ୍ରହ ସଂପୂର୍ଣ୍ଣ ବୁଡ଼ିଯାଇଥିଲା। ଫଳରେ ଆଜି ସକାଳୁ ମଙ୍ଗଳ ଆଳତୀ ନୀତି ସମେତ ଅନ୍ୟ ନୀତିରେ ବିଳମ୍ବ ହୋଇଥିଲା। ବାବାଙ୍କ ସେବାୟତ ମନ୍ଦିର ପହଡ଼ ଖୋଲିବା ପରେ ବିଗ୍ରହ ଜଳମଗ୍ନ ଥିବା ଦେଖିଥିଲେ। ମନ୍ଦିର ଗର୍ଭଗୃହରେ ପାଣି ନିଷ୍କାସନ ପାଇଁ ପାଣି ପମ୍ପ ଲଗାଯାଇଥିଲା।

ବିଶେଷକରି ମଣିବାବାଙ୍କ ମନ୍ଦିରରେ ବର୍ଷା ଦିନରେ ପାଣି ପ୍ରବେଶ କରିଥାଏ। ତିନି ବର୍ଷ ପୂର୍ବରୁ ମନ୍ଦିରର ମରାମତି କାମ ହୋଇଥିଲେ ବି ଏବେ ପୁଣି ସମସ୍ୟା ଦେଖାଯାଇଛି। ଲଘୁଚାପ ଯୋଗୁଁ ଚାନ୍ଦବାଲି ଅଂଚଳରେ ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସକାଳ ସାଢ଼େ ୮ଟା ମଧ୍ୟରେ ୧୧୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ବାରମ୍ବାର ବର୍ଷାଜଳ ପ୍ରବେଶ କରୁଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର