ବର୍ଷାରେ ବେହାଲ ଏସ୍‌ସିବି ମେଡିକାଲ, ସର୍ଜରି, ରଞ୍ଜନରଶ୍ମି ବିଭାଗରେ ପାଣି

କଟକ : ଅସରାଏ ବର୍ଷାରେ ଉବୁଟୁବୁ ହୋଇଛି କଟକ ବଡମେଡିକାଲ। ଏସ୍‌ସିବି ମେଡିକାଲର ରଞ୍ଜନ ରଶ୍ମି ବିଭାଗ, ସର୍ଜରି ୱାର୍ଡରେ ଆଜି ବର୍ଷା ପାଣି ପଶି ଯାଇଛି। ଏପିରିକି ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର କିଛି ସ୍ଥାନରେ ମଧ୍ୟ ପାଣି ପଶିଛି। ପାଣି ଭିତରେ ରହିବାକୁ ରୋଗୀ ବାଧ୍ୟ ହୋଇଛନ୍ତି। ରଂଜନରଶ୍ମି ବିଭାଗରେ ପାଣି ପଶିଯିବା ଫଳରେ ଏକ୍ସରେ ପାଇଁ ହନ୍ତସନ୍ତ ହୋଇଥିଲେ ରୋଗୀ। ୪ଟି ମେସିନ୍‌ରେ ମଧ୍ୟ ପାଣି ପଶିବା ଫଳରେ କାଳେ କିଛି ଅଘଟଣ ବା ସର୍ଟସର୍କିଟ ହେବ ସେହି ଆଶଙ୍କାରେ ଏଯାଏ ମେସିନ୍‌ ମଧ୍ୟ ଚାର୍ଜ କରି ପାରୁନାହାନ୍ତି କର୍ମଚାରୀ। ଏପରିକି ପିପି ସେଣ୍ଟର ଗେଟ୍‌ ଭିତରେ ମଧ୍ୟ ପାଣି ପଶି ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆଜି ଅପରାହ୍ନରେ କଟକରେ ଘଣ୍ଟାଏ କାଳ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସହରର ଅନ୍ୟ ଅଞ୍ଚଳ ସହିତ ଏସ୍‌ସିବି ‌ମେଡିକାଲର ସର୍ଜରି, ରଞ୍ଜନ ରଶ୍ମି ବିଭାଗରେ ପାଣି ପଶି ଯାଇଥିଲା। ଘଣ୍ଟାଏରୁ ଅଧିକ ସମୟ ପାଣି ଜମି ରହିଥିଲା। ତେବେ ସର୍ଜରି ବିଭାଗରେ ହଠାତ୍‌ ପାଣି ପଶିଯିବା ଫଳରେ ତଳେ ଶୋଇଥିବା ରୋଗୀ ସମସ୍ୟାରେ ପଡିଥିଲେ। ସେମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। କିଛି ରୋଗୀ ମଧ୍ୟ ଷ୍ଟ୍ରେଚରରେ ପାଣି ଭିତରେ ରହିଥିବା ଦେଖିବାକୁ ମିଳିଥିଲା। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସମ୍ମୁଖରେ ମଧ୍ୟ ପାଣି ଜମି ରହିଥିଲା। ରଂଜନ ରଶ୍ମି ବିଭାଗ ପଛପଟେ ଥିବା ଡ୍ରେନ୍‌ ଜାମ୍‌ ଥିବାରୁ ପାଣି ବିଭାଗ ଭିତରେ ପଶିଥିବା ଅଭିଯୋଗ ହୋଇଛି। କିନ୍ତୁ ପ୍ରଶାସନ ଡ୍ରେନ ସଫେଇ ଉପରେ ଗୁରୁତ୍ବ ଦେଇଥିବା କୁହାଯାଉଥିବା ବେଳେ ଘଣ୍ଟାଏ ବର୍ଷାରେ ସହରବାସୀ ଏଭଳି ନୟାନ୍ତ ହେବା ଘଟଣା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର