ପାଣି ଘେରରେ ପୁଣି ଶ୍ରୀଅଲାରନାଥ : ସୁଧୁରୁନି ସ୍ଥିତି, ଜଳ ନିଷ୍କାସନ ବାଟ ବନ୍ଦ; ୩ ଘଣ୍ଟା ଜମି ରହିଲା ପାଣି, ମନ୍ଦିର ନୀତି ବିଳମ୍ବ

ବ୍ରହ୍ମଗିରି : ମହାପ୍ରଭୂ ଶ୍ରୀ ଅଲାରନାଥଙ୍କୁ ଜଳବନ୍ଦୀରୁ ମୁକ୍ତି ମିଳୁ ନାହିଁ। ଅସରାଏ ବର୍ଷାରେ ଶ୍ରୀଜୀଉ ଜଳବନ୍ଦୀ ହୋଇ ପଡ଼ୁଛନ୍ତି। ଏମିତିକି ଶ୍ରୀଜୀଉଙ୍କ ରତ୍ନସିଂହାସନ ପର୍ଯ୍ୟନ୍ତ ବର୍ଷା ପାଣି ଲାଗିଯାଉଛି। ଚଳିତବର୍ଷ ମୌସୁମୀ ଆରମ୍ଭରୁ ଥରେ ଦୁଇଥର ଏଭଳି ହେବା ପରେ ସ୍ଥାନୀୟ ଲୋକ ତଥା ଭକ୍ତ ଓ ପର୍ଯ୍ୟଟକ ମହଲରେ ଅସନ୍ତୋଷ ଦେଖା ଦେଇଥିଲା। ତଥାପି ପ୍ରଶାସନ ସମାଧାନର କୌଣସି ବାଟ ବାହାର କରି ନ ଥିବା ଜଣାପଡ଼ିଛି। ଫଳରେ ଆଜି ଆଉଥରେ ଅସରାଏ ବର୍ଷାରେ ମନ୍ଦିର ପରିସରରେ ଆଣ୍ଠୁଏ ପାଣି ଜମା ହୋଇଛି।

ଆଜି ପୂର୍ବାହ୍ନ ୧୧ଟାରେ ବ୍ରହ୍ମଗିରିରେ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା। ଦୀର୍ଘ ଦେଢ଼ ଘଣ୍ଟା ଧରି ବର୍ଷା ଲାଗି ରହିଥିଲା। ଏହାରି ଭିତରେ ଅଲାରନାଥଙ୍କ ମନ୍ଦିର ପରିସର ପୂରା ବୁଡି ଯାଇଥିଲା ବର୍ଷା ପାଣିରେ। ଯୁଆଡ଼େ ଚାହିଁବ ସେଠାରେ ପାଣି। ଦର୍ଶନ ପାଇଁ ଆସିଥିବା ଭକ୍ତ ମନ୍ଦିର କଡ଼ରେ, ବେଢ଼ା ପାଖରେ ଅଟକି ରହିଥିଲେ। ପାଣି ନିଷ୍କାସନ ବାଟ ବନ୍ଦ ହୋଇ ରହିଥିଲା। କିନ୍ତୁ ପ୍ରଶାସନର ଜଣେ ହେଲେ କର୍ମଚାରୀଙ୍କ ଦେଖା ହିଁ ମିଳି ନଥିଲା। ଉନ୍ନୟନ କମିଟି ପକ୍ଷରୁ ଦୁଇଟି ପାଣି ପମ୍ପ ଲଗାଯାଇ ବର୍ଷା ପାଣି ନିଷ୍କାସନ କରାଯାଇଥିଲା। ଦୀର୍ଘ ୩ ଘଣ୍ଟା ଧରି ପମ୍ପ ଲାଗିବା ପରେ ବର୍ଷା ପାଣି ବାହାରକୁ ବାହାରି ଥିଲା। ତେବେ ଏହାରି ଭିତରେ ଶ୍ରୀଜୀଉଙ୍କ ନୀତିକାନ୍ତିରେ କିଛି ସମୟ ବିଳମ୍ବ ହୋଇଥିଲା।

ସୂଚନାଯୋଗ୍ୟ, ମହାପ୍ରଭୁଙ୍କର ମହାଅଣସର ଦର୍ଶନ ପୂର୍ବରୁ ମନ୍ଦିରର ଉନ୍ନତୀକରଣ ପାଇଁ ୨କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ କାମ ହୋଇଥିଲା। କିନ୍ତୁ ବର୍ଷା ବେଳେ ପାଣି ଜମି ରହିବା ପରେ ପୁଣି ଥରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିର ପରିସର ମଧ୍ୟରେ ଥିବା ଶ୍ରୀମହାଲକ୍ଷ୍ମୀଙ୍କ ମନ୍ଦିର ପାଖରେ ଏକ ସୋକ୍‌ପିଟ କରାଯାଇଥିଲା। କିନ୍ତୁ ତାହା ଅଧିକ ବର୍ଷା ହେଲେ ପୂର୍ଣ୍ଣ ହୋଇଯାଇ କାମ କରୁ ନାହିଁ। ସ୍ଥାୟୀ ଭାବରେ ମନ୍ଦିର ଭିତରୁ ବର୍ଷା ପାଣି ନିଷ୍କାସନ ବାଟ ବନ୍ଦ ହୋଇ ଯାଇଛି। ଏବେ ଏହାର ସ୍ଥାୟୀ ବ୍ୟବସ୍ଥା କରା ନ ଗଲେ ଆଗକୁ ମନ୍ଦିର ପ୍ରତି ବିପଦ ଦେଖାଦେବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର