ଭୁବନେଶ୍ବର: ଲଗାତାର ଦୁଇଟି ଲଘୁଚାପ ସୃଷ୍ଟି ହେବା ଦ୍ବାରା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହୋଇଛି। ପ୍ରଭାବରେ ଅନୁଗୁଳ ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ବରଗଡ଼, ରାୟଗଡ଼ା, ସୁବର୍ଣ୍ଣପୁର, ବଲାଙ୍ଗୀର, ନୟାଗଡ଼, ବୌଦ୍ଧ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ ୧୫୪.୪ ମିମି ବର୍ଷା ହୋଇଛି। ନୂଆପଡ଼ା ଜିଲ୍ଲାର ବୋଡେନ୍‌ରେ ୧୪୨, ବରଗଡ଼ ଜିଲ୍ଲାର ପଦ୍ମପୁରରେ ୧୧୩, ରାୟଗଡ଼ା ଜିଲ୍ଲାର ପଦ୍ମପୁରରେ ୧୧୩, ନୂଆପଡ଼ା ଜିଲ୍ଲାର ସିନାପାଲ୍ଲିରେ ୧୧୨, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲ୍ଲିରେ ୧୧୦, ନୂଆପଡ଼ାରେ ୧୦୨, ବଲାଙ୍ଗୀରରେ ୧୦୦ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ଦିନ ସମୟରେ ମାଲକାନଗିରିରେ ୮୨.୨ ମିମି ବର୍ଷା ହୋଇଛି।

Advertisment

ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଛତିଶଗଡ଼ ଉପରେ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ର ରହିଥିବାରୁ ଆସନ୍ତା‌ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ରହିବ। ସୋମବାର ସକାଳ ସୁଦ୍ଧା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ସମେତ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୩ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଏବଂ ୨୪ ତାରିଖରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ‌ତେବେ ଓଡ଼ିଶାରେ ଏବେ ମଧ୍ୟ ନିଅଣ୍ଟିଆ ବର୍ଷା ଲାଗିରହିଛି। ଜୁନ୍‌ ପହିଲାରୁ ଆଜି ମଧ୍ୟରେ ଓଡ଼ିଶାରେ ୪୩୪.୧ ମିମି ବର୍ଷା ହେବା କଥା। ମାତ୍ର ଏବେ ସୁଦ୍ଧା ୩୫୯.୫ ମିମି ବର୍ଷା ହୋଇଛି। ମାଲକାନଗିରିରେ ବହୁ ଅଧିକ ପରିମାଣର ବର୍ଷା ହୋଇଥିବା ବେଳେ ୧୩ଟି ଜିଲ୍ଲାରେ ସ୍ବାଭାବିକ ଓ ୧୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି।