ଭୁବନେଶ୍ବର: ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଓ ଦକ୍ଷିଣ ବାଂଲାଦେଶ ନିକଟରେ ଗତକାଲି ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ଲମ୍ବିଛି। ଶନିବାର ପୂର୍ବାହ୍ନ ସୁଦ୍ଧା ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର ଓ ପଶ୍ଚିମ ଦିଗରେ ଗତି କରିବାରେ ସମ୍ଭାବନା ରହିଛି। ପ୍ରଭାବରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶନିବାର ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ କ୍ଷେତ୍ର ଓଡ଼ିଶାଠାରୁ ଯଥେଷ୍ଟ ଦୂରରେ ସକ୍ରିୟ ରହିଛି ଏବଂ ଧୀରେ ଧୀରେ ପଶ୍ଚିମ-ଉତ୍ତର ଓ ପଶ୍ଚିମ ଦିଗରେ ଗତି କରୁଛି। ରାଜ୍ୟଠାରୁ ଏହା ଦୂରେଇ ଯାଉଥିବାରୁ ଶନିବାରଠାରୁ ବର୍ଷାର ପ୍ରଭାବ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ସୁନ୍ଦରଗଡ଼ର ଲହୁଣିପଡ଼ାରେ ୯୦ ମିମି ବର୍ଷା ହୋଇଥିବା ବେଳେ ଟେନ୍‌ସାରେ ୮୩.୪, ବଣାଇଗଡ଼ରେ ୬୨, ଗୁରୁଣ୍ଡିଆରେ ୫୯, କଟକ ଜିଲ୍ଲାର ମାହାଙ୍ଗାରେ ୭୮, କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାରେ ୫୭, ସମ୍ବଲପୁର ଜିଲ୍ଲାର ବାମରାରେ ୫୨.୬, ନାକଟିଦେଉଳରେ ୪୯ ମିମି ବର୍ଷା ହୋଇଛି। ଆଜି ଦିନ‌ ସମୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି।