୨୫ରୁ ଧୀରେଧୀରେ ବର୍ଷା କମିବ

ଭୁବନେଶ୍ୱର : କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ସୋନପୁର ଆଦି ଜିଲ୍ଲାର କେତେକ ଅଞ୍ଚଳରେ ଶୁକ୍ରବାର ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଆଦି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଅବଶିଷ୍ଟ ଓଡ଼ିଶାରେ ପାଗ ଆଜି ମେଘୁଆ ରହିଥିଲା। ଆଉ ଦୁଇ ଦିନ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ୨୫ରୁ ବର୍ଷାର ଅନୁପାତ, ବ୍ୟାପ୍ତି ଓ ପ୍ରଭାବ ଧୀ‌ରେ ଧୀରେ କମିବ।

ଆଜି ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର କେତେକାଂଶରେ ଭୀଷଣ ବର୍ଷାର ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ‌ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୨୪ ତାରିଖ ଦିନ ଗଜପତି, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ପୁରୀ, ଖୋର୍ଧା, ନୟାଗଡ଼, ବୌଦ୍ଧ, ଅନୁଗୁଳ, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ ଆଦି ଜିଲ୍ଲ‌ାରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୫ ତାରିଖରୁ ରାଜ୍ୟରେ ବର୍ଷା କମିବ। କାଁଭାଁ ଅଞ୍ଚଳରେ ୨୫ ଓ ୨୬ ତାରିଖରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର କହିଛି।

ସମ୍ବନ୍ଧିତ ଖବର