ବର୍ଷା କମିବ, ଥଣ୍ଡା ବଢ଼ିବ; ହାଲ୍‌କାରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ

ଭୁବନେଶ୍ବର : ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ଏଥି ସହ ଢେଙ୍କାନାଳ, ଯାଜପୁର, କେନ୍ଦୁଝର ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବରରେ କୁଆପଥର ବର୍ଷା ହୋଇପାରେ। ଏହି ବର୍ଷା ଦ୍ବାରା ପନିପରିବା ଓ ଉଦ୍ୟାନ କୃଷି ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ଚାଷୀ ଭାଇମାନେ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଅନୁଗୁଳ ଆଦି ଜିଲ୍ଲା ପାଇଁ ୫ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି।

କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ୫ ତାରିଖ ଅପରାହ୍‌ଣରୁ ପାଗରେ ପରିବର୍ତ୍ତନ ଆସିବ। ବର୍ଷା କମିବା ସହ ଉପକୂଳ ଓଡ଼ିଶା ସମେତ ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କେରାପୁଟ ଜିଲ୍ଲାରେ ହାଲ୍‌କାରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ। ରାଜ୍ୟର ବାକି ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ଷା କମିବା ସହ ଥଣ୍ଡା ବଢ଼ିବ ବୋଲି ଆକଳନ କରାଯାଇଛି। ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା‌ ବାର ଗାଁ ଠାରେ ସର୍ବାଧିକ ୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ଏତଦ୍‌ବ୍ୟତୀତ ଝାରସୁଗୁଡ଼ା ଜିଳ୍ଲା ଲାଇକେରା, କିରିମିରା, ଦେଓଗାଁ, କେନ୍ଦୁଝରର ଚମ୍ପୁଆ, ମୟୂରଭଞ୍ଜର ବେତନଟୀଠାରେ ୪ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର