ଭୁବନେଶ୍ବର: ଆସନ୍ତା ୬ ତାରିଖରୁ ବଢ଼ିବ ବର୍ଷା। ଏବେ ପ୍ରାୟ ୩ ଦିନ କାଁ ଭାଁ ବର୍ଷା ହେବ ଓ ଅଧିକାଂଶ ଜାଗାରେ ପାଗ ଶୁଖିଲା ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୪ ଓ ୫ ପ୍ରାୟତଃ ପାଗ ଶୁଖିଲା ରହିବ। ୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ ପୂର୍ବାନୁମାନ କରିଛି। ଯାହାଫଳରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ଏଣୁ ୬ ତାରିଖ ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କାରେ ସତର୍କ ସୂଚନା ଜାରି କରାଯାଇଛି। ୭ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ୮ ତାରିଖ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରାଯାଇଛି।

Advertisment

ଲଘୁଚାପ ଜନିତ ବର୍ଷା ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ପିପିଲିରେ ୧୦୯ ମିମି, କଣାସ ୬୨ମିମି, ଜଗତସିଂହପୁରରେ ୭୨ମିମି, କୋରାପୁଟ ଜିଲ୍ଲାର ନନ୍ଦପୁର ଠାରେ ୬୪ମିମି, ମାଲକାନାଗିରିରେ ୭୦ ମିମି ଓ ଖଇରପୁଟରେ ୫୩ମିମି ରେକର୍ଡ କରାଯାଇଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲା ପିପିଲିରେ ସର୍ବାଧିକ ୧୦୯ ମିମି ବର୍ଷା ରେକର୍ଡ କରାଯାଇଛି। ଜୁନ୍ ମାସରେ ୧୫୬.୩୦ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ଠାରୁ ୨୪.୧ % କମ୍। ଜୁଲାଇ ମାସରେ ହୋଇଥିବା ୩୨୦.୮ ମିମି ବର୍ଷା ସ୍ବାଭାବିକ ଠାରୁ ୫.୨ % କମ୍। ଅଗଷ୍ଟ ମାସ ୩ ତାରିଖ ପର୍ଯ୍ୟନ୍ତ ହୋଇଥିବା ୪୧.୮ ମିମି ବୃଷ୍ଟିପାତ ସ୍ବାଭାବିକ ଠାରୁ ୨୧.୪ % ଅଧିକ। ଅର୍ଥାତ୍‌ ଜୁନ୍ ୧ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ୫୧୯ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ବାଭାବିକ ଠାରୁ ୧୦.୩ % କମ୍।

ଗତକାଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଠାରୁ ମିଳିଥିବା ସୂଚନା ମୁତାବକ ମତ୍ସ୍ୟଜୀବୀମାନଙ୍କୁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ କୁହାଯାଇଛି। ମତ୍ସ୍ୟ ଓ ପଶୁ ସଂପଦ ବିଭାଗ, ଗଞ୍ଜାମ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏହା ଅନୁପାଳନ କରିବା ପାଇଁ ସ୍ବତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। କଟକଣା ସତ୍ତ୍ୱେ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ପ୍ରବେଶ କରିଥିବା ଦେଖାଯାଇଛି। ଗତ କାଲି ସନ୍ଧ୍ୟାରେ ଏକ ମାଛ ବୋଝେଇ ଟ୍ରଲର ସହିତ ୭ ଜଣ ମତ୍ସ୍ୟଜୀବୀ ପାରାଦ୍ବୀପ ମହାନଦୀ ମୁହାଣରେ ଫସି ରହିଥିଲେ। ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ସମସ୍ତ ୭ ଜଣ ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।