୧୮ରୁ ପୁଣି ରାଜ୍ୟରେ ବର୍ଷା ବଢ଼ିବ

ଭୁବନେଶ୍ବର: ଆସନ୍ତା ୧୮ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। ଅନ୍ୟପଟେ ଆଜି ବାୟୁ ଚଳାଚଳର ତାରତମ୍ୟ ପ୍ରଭାବରେ ମେଘ ଦକ୍ଷିଣ ଦିଗରୁ ଉପକୂଳ ଓଡ଼ିଶା ମୁହାଁ ହେବା ଫଳରେ ଉପକୂଳ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗି ରହିଥିଲା। ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରବାହ ରହିଥିବାରୁ ଆସନ୍ତାକାଲି ଓ ୧୫ ତାରିଖ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ଆ‌ଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, କଟକ ଓ ଗଞ୍ଜାମ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୫ ତାରିଖ ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରପଡ଼ା ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏହାପରେ ୨ ଦିନ ପାଗ ଶୁଖିଲା ରହିବ। ୧୮ରୁ ପୁଣି ବର୍ଷା ସମ୍ଭାବନା ରହିଛି। ଜୁନ୍‌ ୧ ତାରିଖରୁ ସେପ୍ଟେମ୍ବର ୧୩ ତାରିଖ ମଧ୍ୟରେ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ସର୍ବମୋଟ ୧୦୮୪.୩ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ଏହି ସମୟ ଅବଧି ମଧ୍ୟରେ ହେଉଥିବା ସ୍ବାଭାବିକ ବର୍ଷାଠାରୁ ୫% ଅଧିକ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବ।

ସମ୍ବନ୍ଧିତ ଖବର