ଭୁବନେଶ୍ବର: ଆସନ୍ତା ୨୧ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଥମେ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପ୍ରଭାବରେ ୨୨ ତାରିଖଠାରୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି, ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ। ୨୨ ତାରିଖ ସକାଳଠାରୁ ୨୩ ତାରିଖ ପୂର୍ବାହ୍ନ ମଧ୍ୟରେ ଉପକୂଳ ଜିଲ୍ଲାଗୁଡ଼ିକ ସମେତ ଖୋର୍ଦ୍ଧା, ନୟାପଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

ସେପଟେ ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ ରାଜ୍ୟରେ ହାରାହାରି ୨.୧ ମିମି ବର୍ଷା ହୋଇଛି। କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୬୩ ମିମି ବର୍ଷା ରେକର୍ଡ କରାଯାଇଛି। ଗଜପତି ଜିଲ୍ଲାର ଗୁମ୍ମା ଓ ନୂଆଗଡ଼ ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି। ଦୁଇ ଦିନ ହେଲା ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଆଦୌ ବର୍ଷା ହୋଇ ନାହିଁ। ତେଣୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ବନ୍ୟା ଦ୍ବାରା ବାଲେଶ୍ବର ଜିଲ୍ଲାର ୫ଟି ବ୍ଲକର ୧୪୧ଟି ଗାଁ ପ୍ରଭାବିତ ହୋଇଛି। ୩୫ ହଜାର ୬୫୪ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୧ ହଜାର ୮୫ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୫୧ଟି ରିଲିଫ୍‌ ସେଣ୍ଟର ଖୋଲିଛି। ୧୩୦ଟି ଘର ଭାଙ୍ଗିଥିବା ଜଣାପଡ଼ିଛି। ବାଲେଶ୍ବରରେ ୬ଟି ଓଡ୍ରାଫ୍‌, ଗୋଟିଏ ଏନ୍‌ଡିଆରଏଫ୍‌, ୧୪ଟି ଅଗ୍ନିଶମ ଦଳକୁ ମିଶାଇ ମୋଟ ୨୧ ଟିମ୍‌ ମୁତୟନ ହୋଇଛନ୍ତି।