ରାଜନଗରରେ ଅମ୍ଫାନ ପ୍ରଭାବରେ ବର୍ଷା, ପବନ

ସ୍ଥିତି ସମୀକ୍ଷା କଲେ ଡିଆଇଜି, ସଂଧ୍ୟା ସୁଦ୍ଧା ୫ହଜାର ସ୍ଥାନାନ୍ତର

ରାଜନଗର : ବାତ୍ୟା ଅମ୍ଫାନ ୨୦ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ମାଡ଼ ହେବ। ବଙ୍ଗୋପସାଗର ଦେଇ ଏହା ଅତିକ୍ରମ କରିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଂଚଳ ଅଧିକ ଭାବେ ପ୍ରଭାବିତ ହେବାର ପୂର୍ବାନୁମାନ କରାଯାଇଛି। ତେବେ, ଏହାର ପ୍ରଭାବରେ ଆଜିଠାରୁ ବର୍ଷା, ପବନ ଆରମ୍ଭ ହୋଇଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂଧ୍ୟା ସୁଦ୍ଧା ୫,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ବ୍ଲକ୍‌ ଅନ୍ତର୍ଗତ ବ୍ରାହ୍ମଣସାହି, ହାତିନା, ସାତଭାୟା, ଗୁପ୍ତି, ଡେରା, ତାଳଚୁଆ, ଖମାରସାହି, ବାଘମାରି, ଡାଙ୍ଗମାଳ, କୃଷ୍ଣନଗର, ରଂଗଣୀ, କେରୁଆଁପାଳ ପ୍ରଭୃତି ପଂଚାୟତ ଅଧିକ ଭାବେ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ରାଜନଗର ବ୍ଲକର ୪୬ଟି ଗାଁ ସମୁଦ୍ର କୂଳଠାରୁ ୨ କିଲୋମିଟର ମଧ୍ୟରେ ଅବସ୍ଥିତ ଥିବାରୁ ସେହି ଗାଁଗୁଡ଼ିକ ଅଧିକ ପ୍ରଭାବିତ ହେବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି।

ଗତକାଲି ରାତି ସୁଦ୍ଧା ୫ଶହ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ୧୫ଟି ବାତ୍ୟା ଆଶ୍ରୟସ୍ଥଳ ଓ ୭ଟି ବିଦ୍ୟାଳୟକୁ ୫ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ରାତି ସୁଦ୍ଧା ୧୦ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ବିଡିଓ ମନ୍ଦରଧର ମହାଳିକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ରାଜନଗର ବ୍ଲକରେ ପହଞ୍ଚି ବାତ୍ୟା ସମୀକ୍ଷା କରିଥିଲେ। ଏହାପରେ ସମୁଦ୍ର କୂଳରେ ଥିବା ପେଣ୍ଠ, ପ୍ରସନ୍ନପୁର ଓ ସାତଭାୟାର ବଗପାଟିଆରେ ପହଞ୍ଚି ସ୍ଥିତି ପରଖିଥିଲେ। ଜିଲ୍ଲାପାଳଙ୍କ ସହିତ ବିଡିଓ, ତହସିଲଦାର ଭୋଳାନାଥ ସେଠୀ, ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ରଶ୍ମିରଂଜନ ମହାନ୍ତି, ସହକାରୀ ନିର୍ବାହୀଯନ୍ତ୍ରୀ ଜଳଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଗସ୍ତ ସମୟରେ ଜିଲ୍ଲାପାଳ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ସାମାଜିକ ଦୂରତା ରଖିବା ଓ ମାସ୍କ ପିନ୍ଧିବାକୁ କହିଥିବା ସହ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସମୁଦ୍ର ଆଁ ମୁହଁରେ ଥିବା ସାତଭାୟାର ୫୭୧ ପରିବାରକୁ ବଗପାଟିଆରେ ଥଇଥାନ କରାଯାଇଛି। ଅବଶିଷ୍ଟ ପ୍ରାୟ ୮୦ ପରିବାର ମଗରକନ୍ଦା, ରବୀନ୍ଦ୍ରପଲ୍ଲୀ, ଅଡାସଲରେ କଚ୍ଚାଘରେ ଅଛନ୍ତି। ରାଜନଗର ବ୍ଲକର କନିଷ୍ଠଯନ୍ତ୍ରୀ ଦେବରଂଜନ ବେହେରା ଓ ସାତଭାୟା ଓସ୍‌ଡମାର ସଂପାଦକ କରୁଣାକର ସ୍ବାଇଁ ଘାଟପାରି ହୋଇ ବିପନ୍ନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଥଇଥାନସ୍ଥଳୀକୁ ଆଣିଛନ୍ତି। କୁମ୍ଭୀର ସାଲୁବାଲୁ ବାଉଁଶଗଡ଼ ନଈ ପାର କରାଇ ୮୦ ପରିବାରକୁ ବଗପାଟିଆ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି।

ପୁଲିସ ଡିଆଇଜି ଆଶିଷ ସିଂ, କେନ୍ଦ୍ରପଡା ଏସପି ନୀତି ଶେଖର, ଅଧିକ ବାତ୍ୟା ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା ତାଳଚୁଆ ଅଂଚଳରେ ପହଁଛି ସ୍ଥିତି ସମୀକ୍ଷା କରିଛନ୍ତି। ତାଳଚୁଆ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଜୟ କୁମାର ସେଠୀଙ୍କୁ ସଂଧ୍ୟା ସୁଦ୍ଧା କଚ୍ଚାଘରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର