୧୩ ଯାଏଁ ଲାଗି ରହିବ କାଁ ଭାଁ ବର୍ଷା 

ଭୁବନେଶ୍ୱର: ଗତକାଲି ଶକ୍ତିଶାଳୀ ଅବପାତ ପାଲଟିଥିବା ଲଘୁଚାପ ଆଜି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା କେନ୍ଦ୍ରୀଭୂତ ହୋଇଛି ଉତ୍ତର ଝାଡ଼ଖଣ୍ଡ ଏବଂ ଆଖପାଖ ପଶ୍ଚିମବଙ୍ଗ ଅଞ୍ଚଳରେ। ଏହା ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ଏହାର ପ୍ରଭାବ ଆପାତତଃ କ୍ଷୀଣ। ଏହା ସତ୍ତ୍ୱେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଲାଗି ରହିବ କାଁ ଭାଁ ବର୍ଷା। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ ଦିଗରୁ ଘଣ୍ଟାକୁ ୩୫ରୁ ୪୫ କି.ମି. ବେଗରେ ପବନ ବହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ସତର୍କତାର ସହିତ ଯିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ତେବେ ବନ୍ଦରଗୁଡ଼ିକରେ ଜାରି ହୋଇଥିବା ବିପଦସଙ୍କେତ ପ୍ରତ୍ୟାହାର କରାଯାଇଛି। ସୂଚନା ଅନୁଯାୟୀ ମୌସୁମୀ ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ଭରି ରହିଛି। ଖରା ହେବା ଯୋଗୁଁ ତାତି ବଢ଼ିଲେ ଜଳୀୟବାଷ୍ପ ସଂସ୍ପର୍ଶରେ ଆସି ଘଡ଼ଘଡ଼ି ସହିତ ବର୍ଷା କରାଇବାର ସମ୍ଭାବନା ରହୁଛି। ମୌସୁମୀ ଋତୁ ଗଡ଼ିଯାଇଛି। ଅକ୍ଟୋବର ମାସ ପହିଲାରୁ ଏ ପର୍ଯ୍ୟନ୍ତ ୪୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ପାରାଦୀପରେ ୪୨.୭ ମିଲିମିଟର ବର୍ଷା ହୋଇଥିବା ବେଳେ ଭବାନୀପାଟଣାରେ ୨୯ ମି.ମି., ଭୁବନେଶ୍ୱରରେ ୧୮.୮ ମି.ମି., ବାରିପଦାରେ ୧୬.୮ ମି.ମି., ଝାରସୁଗୁଡ଼ାରେ ୧୫.୮ ମି.ମି., ଫୁଲବାଣୀରେ ୧୪ ମି.ମି., ଚାନ୍ଦବାଲିରେ ୧୧.୮ ମି.ମି., ପୁରୀରେ ୧୦.୪ ମି.ମି. ଆଦି ସ୍ଥାନରେ ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା କୋରାପୁଟରେ ୭ ମି.ମି., , ଫୁଲବାଣୀ ଏବଂ ଅନ୍ୟାନ୍ୟ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର