ଭୁବନେଶ୍ବର : ଆଜି ଦିନ ପ୍ରାୟ ୧୦ଟା ସମୟରେ ସୂର୍ଯ୍ୟଙ୍କ ଚାରିପାଖରେ ଏକ ବଳୟ ତଥା ରିଙ୍ଗ ସଦୃଶ୍ୟ ଦୃଶ୍ୟମାନ ହୋଇଥିଲା। ରାଜ୍ୟର କିଛି ସ୍ଥାନରେ ଇନ୍ଦ୍ରଧନୁର ରଙ୍ଗ ଥିବା ଏକ ବଳୟ ସୂର୍ଯ୍ୟ ଚାରିପଟେ ଥିବା ଦେଖିବାକୁ ମିଳିଛି। ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ପ୍ରକୃତରେ ଏହା ମେଘ ଓ ଆଲୋକ ଦ୍ବାରା ସଂଗଠିତ ଏକ ଅସାଧାରଣ ଦୃଶ୍ୟ। ଆମ ଆଖିର ଏକ ଦୃଷ୍ଟିଭ୍ରମରୁ ଏହା ସୃଷ୍ଟି ହୁଏ ବୋଲି କୁହାଯାଇପାରେ। ଏପରି ବଳୟ ଗୋଟିଏ ବର୍ଷରେ ଶହେରୁ ଅଧିକ ଥର ଘଟିଥାଏ। ଏପରିକି ବେଳେବେଳେ ଚନ୍ଦ୍ରର ଚାରିପାଖରେ ମଧ୍ୟ ଏପରି ବଳୟ ସୃଷ୍ଟି ହୋଇଥାଏ ବୋଲି ସେ କହିଛନ୍ତି।
କୋରାପୁଟ ଜିଲ୍ଲାରେ ଦୃଶ୍ୟମାନ ହେଲା ସୂର୍ଯ୍ୟଙ୍କ ଚାରିପାଖରେ ଉଜ୍ଜ୍ଵଳ ଆଲୋକ ବଳୟ ।#Koraput#Sun#Odisha#Sambadpic.twitter.com/eudOk3EVWL
— Sambad (ସମ୍ବାଦ) (@sambad_odisha) April 19, 2020
ଡ. ପଟ୍ଟନାୟକଙ୍କ କହିବା ମୁତାବକ ଆମ ବାୟୁମଣ୍ଡଳରେ ଥିବା ମେଘଗୁଡ଼ିକ ଛୋଟଛୋଟ ବରଫ ସ୍ଫଟିକରେ ତିଆରି। ବରଫ ସ୍ଫଟିକଗୁଡ଼ିକ ଖୁବ୍ ପତଳା ଓ ଷଡ଼ଭୁଜ ଆକାରର। ଏହି ଷଡ଼ଭୁଜ ସ୍ଫଟିକଗୁଡ଼ିକ ଯୋଡ଼ି ହୋଇ ରହିଥିବା ଦୁଇଟି ପ୍ରିଜିମ୍ ଭଳି କାର୍ଯ୍ୟ କରେ। ଫଳରେ ଏହି ବରଫ ସ୍ଫଟିକ ମାଧ୍ୟମରେ ସୂର୍ଯ୍ୟ ଆଲୋକ ଗତି କଲାବେଳେ ପ୍ରତିଶରିତ ହୋଇ ୨୨ଡିଗ୍ରି କୋଣରେ ବାଙ୍କି ଯାଇଥାଏ। ଏଥିସହ ଆଲୋକ ୭ଟି ରଙ୍ଗରେ ବିଭାଜିତ ହୁଏ। ଯଦି କେତେବେଳେ ଆମଠାରୁ ୨୦ ହଜାର ଫୁଟ କିମ୍ବା ତା’ଠାରୁ ଅଧିକ ଉଚ୍ଚତାରେ ପତଳା ମେଘ ରହେ, ତେବେ ଦିନରେ ସୂର୍ଯ୍ୟ ଚାରିପାଖରେ ଓ ରାତିରେ ଚନ୍ଦ୍ର ଚାରିପାଖରେ ଏହିପରି ଏକ ବଳୟ ଦେଖାଯାଏ। ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ପଡ଼େ ନାହିଁ। ସାଧାରଣତଃ ବାୟୁମଣ୍ଡଳରେ ଝଡ଼ ପୂର୍ବରୁ ମେଘ ପତଳା ହୋଇ ଖୁବ୍ ଉପରକୁ ଉଠିଯାଏ ଏବଂ ଗୋଟେ ଦିନ ପରେ ଏହା ତଳକୁ ଆସି ବହୁତ ବର୍ଷା କରିଥାଏ। ତେଣୁ ସାଧାରଣତଃ ସୂର୍ଯ୍ୟ ବା ଚନ୍ଦ୍ର ଚାରିପାଖରେ ବଳୟ ଦେଖାଗଲେ ପରବର୍ତୀ ସମୟରେ ବର୍ଷା ହେବାର ସମ୍ଭାବନା ଥାଏ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/sun-f.jpg)