ଆସୁଛି ବର୍ଷା, ସତର୍କ କରାଇଲା ପ୍ରଶାସନ

କୋରାପୁଟ : କୋହଲା ପବନ ବହିବା ଆରମ୍ଭ ହେଲାଣି। ଆସନ୍ତାକାଲି ବେଳକୁ ଆରମ୍ଭ ହୋଇପାରେ ବର୍ଷା। ପୁଣି ଦୁଇ ତିନି ଦିନ ଲାଗି ରହିବ। ଏହାକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଥିଲା ବେଳେ ପ୍ରଶାସନ ଚାଷୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି।

ବଙ୍ଗୋପ ସାଗରରେ ସୃଷ୍ଟ ବାତ୍ୟା ଧୀରେ ଧୀରେ ବଡ ହେବାରେ ଲାଗିଛି। ଓଡ଼ିଶା‌େର ବିଶେଷ ପ୍ରଭାବ ପଡିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜିଠାରୁ କୋହଲା ପବନ ବହିବା ଆରମ୍ଭ ହୋଇଯାଇଛି। ବର୍ଷା ବି ଟୋପା ଟୋପା ପଡିଲାଣି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତାକାଲି ଠାରୁ କୋରାପୁଟରେ ବର୍ଷା ହୋଇପାରେ। ୧୮ ତାରିଖ ପର୍ଯ୍ୟନ୍ତ ଏମିତି ବର୍ଷା ଲାଗି ରହିପାରେ ବୋଲି ଅନୁମାନ କରାଯାଉଛି। ଏହାକୁ ନେଇ ଚାଷୀ ଛାନିଆ ହୋଇ ପଡିଛନ୍ତି। ମଣ୍ଡିରେ ଧାନ କିଣାବିକା ସ୍ବାଭାବିକ ହୋଇ ପାରୁ ନ ଥିଲା ବେଳେ ବହୁ ଧାନ ମଣ୍ଡିରେ ପଡି ରହିଛି। କେବଳ ଏତିକି ନୁହେଁ, ବିଲରେ ବି ଧାନ ଅଛି। ତେଣୁ ବର୍ଷା ହେଲେ ଚାଷୀର ବ୍ୟାପକ କ୍ଷତି ହେବାର ଆଶଙ୍କା ରହିଛି। ପୁଣି ବର୍ଷା ହେଲେ ପନିପରିବା ଚାଷ ମଧ୍ୟ ପ୍ରଭାବିତ ହେବ। ସେଥିପାଇଁ ବର୍ଷା ଆସିବା ଶୁଣି ଚାଷୀକୁଳ ଚିନ୍ତାରେ ପଡି ଯାଇଛନ୍ତି। ଫସଲକୁ ରକ୍ଷା କରିବା ପାଇଁ ଚଷାପୁଅ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଚଳାଇଥିଲା ବେଳେ ଆସନ୍ତାକାଲି ବର୍ଷା ହେଲେ ବହୁ ଫସଲ ନଷ୍ଟ ହେବା ଏକ ପ୍ରକାର ନିଶ୍ଚିତ।

ଅପରପକ୍ଷରେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଲାଣି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଡିଓ, ତହସିଲଦାର, ପୌରପାଳିକାର ନିର୍ବାହୀ ଅଧିକାରୀ, କୃଷି ଅଧିକାରୀ, ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଫସଲ ଯେମିତି ନଷ୍ଟ ନ ହେବ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିନେଇ ଚାଷୀଙ୍କୁ ସତର୍କ କରାଇବା ସହ ଉପଯୁକ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ।

ସମ୍ବନ୍ଧିତ ଖବର