ଧାରା ଶ୍ରାବଣରେ ବର୍ଷା ଉଭାନ୍‌, ୧୫ ଯାଏ କାଁଭାଁ ବର୍ଷା

ଭୁବନେଶ୍ବର : ଧାରା ଶ୍ରାବଣରେ ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଛି। କାଁ ଭାଁ କେଉଁଠି କେମିତି ବର୍ଷା ହେଉଛି, କିନ୍ତୁ ସାରା ରାଜ୍ୟରୁ ଏବେ ମୌସୁମୀ ଢେର୍‌ ଦିନ ହେଲା ବିରତି ନେଇଛି। ଆସନ୍ତା ଅଗଷ୍ଟ ୧୫ତାରିଖ ଯାଏ ଏହି ସ୍ଥିତି ଜାରି ରହିବ ବୋଲି ଅନୁମାନ କରାଯାଉଛି। ତେବେ ଅଗଷ୍ଟ ଆରମ୍ଭରୁ ମୌସୁମୀର ଏହି ଦୁର୍ବଳ ସ୍ଥିତି ନିଅଣ୍ଟିଆ ବର୍ଷାର ପରିମାଣକୁ ଆହୁରି ବଢ଼ାଇ ଦେଇଛି। ଅଗଷ୍ଟ ୧ରୁ ୯ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି। ଫଳରେ ଏହି ୯ଦିନରେ ରାଜ୍ୟରେ ବର୍ଷାର ପରିମାଣ ଖୁବ୍‌ କମ୍‌ ରହିଛି। ଅଗଷ୍ଟର ପ୍ରଥମ ୯ ଦିନରେ ରାଜ୍ୟରେ ମାତ୍ର ୨୮.୫ ମିମି ବର୍ଷା ହୋଇଛି। ସ୍ବାଭାବିକ ଭାବେ ଏହି ସମୟରେ ରାଜ୍ୟରେ ୧୧୫.୪ମିମି ବର୍ଷା ହୋଇଥାଏ। ଅର୍ଥାତ୍‌ ରାଜ୍ୟରେ ଏହି ଅଗଷ୍ଟ ମାସରେ ୭୫% ନିଅଣ୍ଟିଆ ବର୍ଷା ବର୍ତ୍ତମାନ ସୁଦ୍ଧା ରେକର୍ଡ ହେଲାଣି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ର କହିଛି ଯେ ଅଗଷ୍ଟର ଏହି ୯ ଦିନର ନିଅଣ୍ଟିଆ ବର୍ଷା ଫଳରେ ରାଜ୍ୟରେ ମୌସୁମୀରେ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ୧ ଜୁନ୍‌ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ୧୯% ନିଅଣ୍ଟିଆ ବର୍ଷା ସ୍ଥିତି ଉପୁଜିଥିବା ବେଳେ ଏବେ ମାତ୍ର ୯ ଦିନରେ ଆଉ ୯% ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ି ରାଜ୍ୟରେ ୨୮% ଅଭାବୀ ବର୍ଷାର ରେକର୍ଡ ହେଲାଣି। ଏଥିସହ ରାଜ୍ୟର ୨୦ ଜିଲ୍ଲାରେ ଅଭାବୀ ବର୍ଷା ଅନୁଭୂତ ହୋଇଥିବା ବେଳେ ୧୦ଜିଲ୍ଲାରେ ବର୍ଷାର ପରିମାଣ ସ୍ବାଭାବିକ ରହିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀଜନିତ ସର୍ବମୋଟ୍‌ ବର୍ଷା ୪୮୪.୮ମିମି ହୋଇଥିବା ବେଳେ ଏହି ସମୟ ପରିଧି ମଧ୍ୟରେ ସ୍ବାଭାବିକ ଭାବେ ୬୭୭.୭ମିମି ବର୍ଷା ହୋଇଥାଏ। ଭଦ୍ରକ, ବଲାଙ୍ଗୀର, ଗଜପତି ଓ ଯାଜପୁରରେ ଅଭାବୀ ବର୍ଷାର ପରିମାଣ ୪୦%ରୁ ଅଧିକ ରହିଛି। ମୌସୁମୀ ଟ୍ରଫ୍‌ ଲାଇନ୍‌ ଏବେ ଉତ୍ତରପ୍ରଦେଶ ଓ ବିହାର ଦେଇ ଉତ୍ତରପୂର୍ବ ଆଡ଼କୁ ଗତି କରୁଛି। ଫଳରେ ରାଜ୍ୟରେ ‘ମୌସୁମୀ-ବିରତି’ ଜାରି ରହିଛି। ଏଣୁ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ କମ୍‌ ରହିଛି। ପରିଚଳନଜନିତ ବର୍ଷା ରାଜ୍ୟର କିଛି କିଛି ସ୍ଥାନରେ ହୋଇପାରେ। ଆସନ୍ତା ୨୪ ଘଣ୍ଟାରେ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍‌ଣ ଆଡ଼କୁ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର