ଭୁବନେଶ୍ବର: ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ତୁହାକୁ ତୁହା ବର୍ଷା ଲାଗିରହିଥିଲା। ଲଘୁଚାପର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ଅଧିକ ପଡ଼ିଥିବା ବେଳେ ସେଠାରେ ଭଲ ବର୍ଷା ହୋଇଛି। ବିଶେଷ କରି ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ସ୍ବାଭାବିକଠାରୁ ୬୦%ରୁ ଅଧିକ ବର୍ଷା ହୋଇଛି। ଏଥିସହ ଉପକୂଳରେ ବି ଭଲ ବର୍ଷିଛି। ୧ ଜୁନ୍‌ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ୮୪୭.୩ ମିମି ବର୍ଷା ହୋଇଯାଇଛି। ଯାହାକି ଏହି ସମୟ ଅବଧି ମଧ୍ୟରେ ହେଉଥିବା ସ୍ବାଭାବିକ ବର୍ଷା। ରାଜ୍ୟରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରୁ ବୁଧବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ଜୟପୁରରେ ୧୮୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କୋଟପାଡ଼ରେ ୧୫୯ ମିମି, କୋରାପୁଟ ବୋରିଗୁମ୍ମାରେ ୧୫୫ ମିମି ଓ ନନ୍ଦପୁରରେ ୧୨୫ ମିମି ଲେଖାଏଁ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

Advertisment

ବୁଧବାର ବି ସାରା ଓଡ଼ିଶାରେ ବର୍ଷା ଜ‌ାରି ରହିଥିଲା। ଗୁରୁବାର ସୁଦ୍ଧା ଲଘୁଚାପ କ୍ଷେତ୍ର ଓଡ଼ିଶାର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିସାରିଥିବ। ଫଳରେ ଗୁରୁବାର ପଶ୍ଚିମ ଓଡ଼ିଶା‌ରେ ପ୍ରବଳ ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେଷ କରି ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

ଏଥିସହ ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୯ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ କମିବ। ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୩୦ ତାରିଖରେ ମଧ୍ୟ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।