ରାଉରକେଲା: ଚଳିତବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ସ୍ବଳ୍ପବୃଷ୍ଟି ଦେଖିବାକୁ ମିଳିଛି। ମୌସୁମୀ ଆସିବାପରଠାରୁ ଦୁଇ ମାସ, ଅର୍ଥାତ୍‌ ଜୁନ ଓ ଜୁଲାଇ ମାସରେ ବର୍ଷାର ପରିମାଣ ଅତି ନଗଣ୍ୟ। ଗତ ବର୍ଷ ଜୁନ ଓ ଜୁଲାଇ ମାସରେ ଜିଲ୍ଲାରେ ଯେତିକି ପରିମାଣର ବର୍ଷା ରେକର୍ଡ କରାଯାଇଥିଲା, ଏଥର ସେହି ତୁଳନାରେ ଆଶାତୀତ କମ୍‌ ବର୍ଷା ହୋଇଛି।
Advertisment
୨୦୨୩ ଜୁନ ଓ ଜୁଲାଇ ମାସ ତୁଳନାରେ ଏଥର ଯଥାକ୍ରମେ ୪୨.୮୩% ଓ ୪୬.୧୧% କମ୍‌ ବର୍ଷା ହୋଇଛି। ଏହାସହ ଚଳିତବର୍ଷ ରାଜ୍ୟର ସ୍ବଳ୍ପବୃଷ୍ଟି ଜିଲ୍ଲା ତାଲିକାରେ ସୁନ୍ଦରଗଡ଼ ଶେଷ ଚାରି ସ୍ଥାନ ଭିତରେ ରହିଛି। ସୁନ୍ଦରଗଡ଼ ସମେତ ଝାରସୁଗୁଡ଼ା, ବାଲେଶ୍ବର ଓ ଭଦ୍ରକରେ ଏଥର ଅନ୍ୟ ଜିଲ୍ଲା ତୁଳନାରେ ଢ଼େର୍‌ କମ୍‌ ବର୍ଷା ହୋଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଜିଲ୍ଲାରେ ଜୁଲାଇ ମାସରେ ୩୫୨.୨ ମିଲିମିଟର ବର୍ଷା ହେବା କଥା। ତେବେ ଏଥର କେବଳ ୧୮୯.୮ ମିଲିମିଟର (୫୩.୮୮%) ବର୍ଷା ହୋଇଛି। କିନ୍ତୁ ୨୦୨୩ ଜୁଲାଇ ମାସରେ ଜୁଲାଇରେ ୩୧୦.୨ ମିଲିମିଟର ବର୍ଷା ହୋଇଥିଲା। ସେହଭିଳି ଜୁନରେ ମଧ୍ୟ ବର୍ଷା ପରିମାଣ ବହୁତ କମ୍‌। ଜୁନ ମାସରେ ଜିଲ୍ଲାରେ ହାରାହାରି ୨୦୪.୩ ମିଲିମିଟର ବର୍ଷା ହୋଇଥାଏ। ଏଥର କିନ୍ତୁ ୧୧୬.୮ ମିଲିମିଟର ବର୍ଷା ହୋଇଥିଲା। ଅପରପକ୍ଷରେ ୨୦୨୩ ଜୁନରେ ଜୁନରେ ୨୧୮.୮ ମିଲିମିଟର କମ୍‌ ବର୍ଷା ରେକର୍ଡ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଚଳିତ ଜୁଲାଇ ମାସରେ ଜିଲ୍ଲାରେ ମୋଟ୍‌ ୩୪୧୬.୧ ମିଲିମିଟର ବର୍ଷା ହୋଇଥବୋବେଳେ ୨୦୨୩ ଜୁଲାଇରେ ଜିଲ୍ଲାରେ ୫୪୬୩.୨ ମିଲିମିଟର ବର୍ଷା ହୋଇଥିଲା। ଅର୍ଥାତ୍‌, ଗତ ଜୁଲାଇ ତୁଳନାରେ ଏଥର ୨୦୪୭.୧ ମିଲିମିଟର ବର୍ଷା କମ୍‌ ହୋଇଛି। ଏବର୍ଷ ଜୁଲାଇ ମାସରେ ହେମଗିର ବ୍ଲକରେ ସର୍ବାଧିକ ୩୬୩.୪ ମିଲିମିଟର ବର୍ଷା ହୋଇଥିବାବେଳେ ସର୍ବନିମ୍ନ ୬୫.୯ ମିଲିମିଟର ବର୍ଷା ରାଉରକେଲା ମହାନଗର ନିଗମ ଅଞ୍ଚଳରେ ହୋଇଛି।
ସ୍ବଳ୍ପବୃଷ୍ଟି ଯୋଗୁଁ ଜିଲ୍ଲାର ଚାଷ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ବିଶେଷକରି ଧାନଚାଷ ବହୁମାତ୍ରାରେ ପ୍ରଭାବିତ ହୋଇଛି। ଅଗଷ୍ଟ ମାସରେ ବର୍ଷାହେଲେ ଧାନଚାଷ କିଛିମାତ୍ରାରେ ଉଧେଇବାର ସମ୍ଭାବନା ରହିଛି। କିନ୍ତୁ ସ୍ବଳ୍ପବୃଷ୍ଟି ଜାରିରହିଲେ, ଗଜାମରୁଡ଼ି ଆଶଙ୍କା ଜଳଜଳ ହୋଇ ଦିଶିଲାଣି।