ଜଳେଶ୍ୱର: ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣିରୁ ନିସ୍ତାର ମିଳୁନି। ଯାହାଫଳରେ ସୀମାନ୍ତ ଓଡ଼ିଶାର ୬୧୫ ଗାଁ ଦୁର୍ଦ୍ଦଶା ଭିତରେ ଗତି କରୁଛି। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗର ରିପୋର୍ଟ ଅନୁସାରେ; ୭୦ ଦଶକରୁ ଏଯାଏ; ୫ ଦଶନ୍ଧି ହେବ, ଜଳେଶ୍ବର ଓ ଭୋଗରାଇ ବ୍ଲକ୍‌ବାସୀ ଅକଥନୀୟ କଷଣା ସହୁଛନ୍ତି।
ପଶ୍ଚିମବଙ୍ଗ ରାଜ୍ୟର ନୟାଗ୍ରାମ, ଦାନ୍ତୁନ, ମୋହନପୁର, ଏଗ୍ରା, ରାମନଗର ଓ ଦୀଘା ଅଞ୍ଚଳର ଉଦ୍‌ବୃତ୍ତ ବର୍ଷା ପାଣି ଓଡ଼ିଶାର ସୀମାନ୍ତ ବ୍ଲକ୍‌ ଜଳେଶ୍ୱର ଓ ଭୋଗରାଇକୁ ବିଭିନ୍ନ ନଦୀ ଓ ନାଳ ଦେଇ ବୋହି ଆସେ। ଫଳରେ ଜଳେଶ୍ୱର ବ୍ଲକ୍‌ ଅଧୀନ ୩୫ଟି ପଞ୍ଚାୟତର ୨୫୭ଟି ଗାଁ ଏବଂ ଜଳେଶ୍ୱର ମ୍ୟୁନିସିପାଲିଟିର ୧୭ଟି ୱାର୍ଡ ସହ ଭୋଗରାଇ ବ୍ଲକ୍‌ର ୫୦ଟି ପଞ୍ଚାୟତର ୩୫୪ଟି ଗାଁ ଜଳାର୍ଣ୍ଣାବ ହୋଇଥାଏ।

Advertisment

ସବୁଠାରୁ ଅଧିକ ପ୍ରଭାବିତ ହୁଏ ଜଳେଶ୍ୱର ବ୍ଲକ୍‌ର ନେତୁଆ, ସୁଗୋ, ସମ୍ପତିଆ, ଖାଲିନା, ନମ୍ପୋ, ଆରୁହା, ଗୋପୀମୋହନପୁର, ବର୍ତ୍ତନା, ଖଲୁଡ଼ା, ନଛିମପୁର, ପଶ୍ଚିମବାଡ଼, ବାଇଗଣବାଡ଼ିଆ, ଝାଡ଼ପିପଳ ଆଦି ୧୩ଟି ପଞ୍ଚାୟତର ୮୯ଟି ଗାଁ ସହ ମ୍ୟୁନିସିପାଲିଟିର ୧୭ଟି ୱାର୍ଡ। ସେହିପରି ଭୋଗରାଇ ବ୍ଲକ୍‌ ଅଧୀନ ବାଲିମ, ନହରା, ନାଚିନ୍ଦା, କମର୍ଦ୍ଦା, ବାଉଁଶଡ଼ିହା, କଚୁଆଡ଼ି, ଦାହୁଣଦା, ଦେଉଳା, ପାଣିଷଣ୍ଡା, ମନ୍ଦାରସାହି, କଖଡ଼ା, ଗୁଣସାର୍ଥା, ସିଆଁରୋଇ, ଦାରୁହା, ମହେଶପୁର, ଦୁଡ଼ପଳ, କୁଶୁଡ଼ା, ଗବଗାଁ, ମହଗବ, କୁଳିଦା, ପୁଟିଣା, ଖରିଦପିପଳ, ଆରୁହାବୃତ୍ତି (୧) ଆଦି ୨୩ଟି ପଞ୍ଚାୟତର ୧୪୩ଟି ଗାଁ’ରେ ପଶ୍ଚିମବଙ୍ଗ ଉଦ୍‌ବୃତ୍ତ ବର୍ଷା ପାଣି ପଶିଥାଏ। ଫଳରେ ସଂପୃକ୍ତ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ରାସ୍ତାଘାଟ, ଚାଷଜମି, ଘରଦ୍ୱାର; ସବୁକିଛି ଉପରେ ପ୍ରଭାବ ପଡ଼େ। ଲୋକେ ଦହଗଞ୍ଜ ହୁଅନ୍ତି।କେବଳ ସେତିକି ନୁହେଁ, କୃଷି ବିଭାଗ ତଥ୍ୟ ଅନୁଯାୟୀ; ପଶ୍ଚିମବଙ୍ଗ ଉଦ୍‌ବୃତ୍ତ ବର୍ଷାପାଣି ଯୋଗୁଁ ଖରିଫ ଋତୁରେ ଉଭୟ ଜଳେଶ୍ବର ଓ ଭୋଗରାଇ ବ୍ଲକ୍‌ର ପାଖାପାଖି ୬ ହଜାର ହେକ୍ଟର ଚାଷଜମି ପଡ଼ିଆ ପଡ଼େ। ସେହିପରି ପଶ୍ଚିମବଙ୍ଗ ଉଦ୍‌ବୃତ୍ତ ବର୍ଷାପାଣି ଯୋଗୁଁ ରବି ଋତୁରେ ମଧ୍ୟ ଚାଷ ପ୍ରଭାବିତ ହୋଇଥାଏ। ଯାହାଦ୍ବାରା ଚାଷୀମାନେ ଚାଷରୁ ମୁହଁ ଫେରାଇ ନେଉଥିବା ଜଣାପଡ଼ିଛି।

ତେବେ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ଏପରି ସ୍ଥିତି ଉପୁଜୁଥିବା କୁହାଯାଉଛି। ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ନାଳ ଓ ନଦୀ ସଫା କରାଯାଉଥିବା ବେଳେ ସେଥିରେ ବ୍ୟାପକ ଦୁର୍ନୀତି ହେଉଛି। ଯାହାଦ୍ବାରା ଲକ୍ଷ୍ୟ ପୂରଣ ହେଉନି କି କୌଣସି ସୁଫଳ ମିଳିପାରୁନି। ଉଲ୍ଲେଖ ଥାଉକି; ଦକ୍ଷିଣ ଭୋଗରାଇରୁ ପଶ୍ଚିମବଙ୍ଗ ଉଦ୍‌ବୃତ୍ତ ଜଳ ନିଷ୍କାସନ ପାଇଁ ସରକାର ନିକଟରେ ପାଖାପାଖି ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଯାହା ଆଶା କରାଯାଉଛି; ଉତ୍ତର ଭୋଗରାଇ ସହ ଜଳେଶ୍ୱର ବ୍ଲକ୍‌ ଓ ମ୍ୟୁନିସିପାଲିଟି ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ମଧ୍ୟ ନୂଆ ସରକାର ଖୁବ୍‌ଶୀଘ୍ର ଅର୍ଥ ମଞ୍ଜୁର କରିବେ।