ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା ଓ ପଶ୍ଚିମବଙ୍ଗ ଅତିକ୍ରମ କରି ଏବେ ଦକ୍ଷିଣ-ପଶ୍ଚିମ ବିହାର ଉପରେ ରହିଛି । ଫଳରେ ଆଜିଠାରୁ ଓଡ଼ିଶାରେ ବର୍ଷା କମିବା ସହ ପାଗ ବଦଳିବା ଆରମ୍ଭ କରିଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ ଅନୁସାରେ ଲଘୁଚାପ ଏବେ ଦକ୍ଷିଣ-ପଶ୍ଚିମ ବିହାର ଉପରେ ରହିଛି ଓ ଏହା ଆସନ୍ତା ୨ ଦିନରେ ଉତ୍ତରପ୍ରଦେଶ ଆଡ଼କୁ ଗତି କରିବ ଓ କ୍ରମଶଃ ଦୁର୍ବଳ ହୋଇଯିବ । ଫଳରେ ଆଗାମୀ କିଛି ଦିନ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଦକ୍ଷିଣ ଉତ୍ତରପ୍ରଦେଶରେ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଲଘୁଚାପ ହଟିଯାଇଥିବାରୁ ଓଡ଼ିଶାରେ ଚାଲିଥିବା ଲଗାଣ ବର୍ଷା କମିଯାଇଛି । ଆଗାମୀ ଅଗଷ୍ଟ ୩ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତୋଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । ତେବେ ୩ ତାରିଖ ପରେ ରାଜ୍ୟର ସୁନ୍ଦରଗଡ଼,ମୟୁରଭଞ୍ଜ,କେନ୍ଦୁଝର, ଭଦ୍ରକ,ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।