୧୦ ଜିଲ୍ଲାରେ ପ୍ରବଳ ବର୍ଷିବ

 ଭୁବନେଶ୍ବର : ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ-ଉପକୂଳ ଆନ୍ଧ୍ରପ୍ରଦେଶରେ ସମୁଦ୍ର ପୃଷ୍ଠରୁ ୩.୧ କିଲୋମିଟର ଉପରେ ରହିଛି । ଏହାର ପ୍ରଭାବରେ ଉପକୂଳ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବର୍ଷା ଲାଗି ରହିଛି । ଅନ୍ୟପକ୍ଷରେ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପଛକୁ ପଛ ଘୂର୍ଣ୍ଣିବ​ଳୟ ଫଳରେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହୋଇଛି ।

ଓଡ଼ିଶାରେ ଏବେ ମୌସୁମୀ ସକ୍ରିୟ ରହିଥିବାରୁ ଗତ କିଛିଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଦେଖିବାକୁ ମିଳିଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ବର୍ଷା ଲାଗିରହିବ । ବିଶେଷକରି ୧୦ ଟି ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ,ଗଜପତି, କଟକ,ରାୟଗଡ଼ା, ଅନୁଗୁଳ, କୋରାପୁଟ ଓ ମାଲକାନଗିରିରେ ପ୍ରବ​ଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା (ୟେଲୋ ଓ୍ବାର୍ଣ୍ଣିଂ) ଜାରି କରାଯାଇଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ବି ମଧ୍ୟମ ଧରଣର ବର୍ଷା ହେବ ।

ଲଗାଣ ବର୍ଷା ଯୋଗୁଁ ଗତ ଦୁଇଦିନ ହେଲା ପାର୍ବଣ ଉତ୍ସାହରେ ଭଟ୍ଟା ପଡ଼ିଥିଲା । ଗୁରୁବାର ବର୍ଷା ଲାଗିରହିଥିବାରୁ ଭସାଣୀ ଯାତ୍ରା ବି ପ୍ରଭାବିତ ହେଉଥିବା ପରିଲକ୍ଷିତ ହୋଇଛି ।

 

 

ସମ୍ବନ୍ଧିତ ଖବର