ସମ୍ବଲପୁର/ଯୁଯୁମୁରା: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ପଶ୍ଚିମଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ପ୍ରକୋପ ଜାରି ରହିଛି। ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିବା ବର୍ଷାର ଧାରା ବୁଧବାର ଦିନସାରା ଲାଗି ରହିଥିଲା। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲଗୁଡ଼ିକ ଉପରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନେକ ସ୍ଥାନରେ ତଳି ଅଞ୍ଚଳରେ ବନ୍ୟାଜଳ ପଶିବାରୁ ଲୋକେ ବିପନ୍ନ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଉଦ୍ଧାର କରି ସୁରକ୍ଷିତ ଆଶ୍ରୟସ୍ଥଳରେ ରଖାଯାଇଛି। ପ୍ରବଳ ବର୍ଷା କାରଣରୁ ସମ୍ବଲପୁର ସହରର ସ୍ଥିତି ବେହାଲ୍‌ ହୋଇଛି। ତଳି ଅଞ୍ଚଳରେ ଥିବା ଅନେକ ଘର, ଦୋକାନ, ମନ୍ଦିରରେ ପାଣି ପଶିଛି। ରାଜପଥ ଉପରେ ବର୍ଷାପାଣି ଚାଲିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। 

Advertisment

ରାସ୍ତା ଓ ପୋଲ ଉପରେ ବନ୍ୟାଜଳ ପ୍ରବାହିତ
ଯୋଗାଯୋଗ ବିଚ୍ଛିନ୍ନ, ସମ୍ବଲପୁର ସହର ସ୍ଥିତି ଗମ୍ଭୀର
ରେଳ ଅଣ୍ଡର୍‌ପାସ୍‌ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଉପରମୁଣ୍ଡର ବର୍ଷା ଓ ତଳମୁଣ୍ଡରେ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳ ପରିଚାଳନାକୁ ସନ୍ତୁଳିତ ରଖିବାକୁ ଉଦ୍ୟମ କରାଯାଉଛି। ବୁଧବାର ସନ୍ଧ୍ୟା ସୁଦ୍ଧା ହୀରାକୁଦର ମୋଟ ୧୬ଟି ଗେଟ୍‌ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ଯୁଯୁମୁରା ଥାନା ଅନ୍ତର୍ଗତ ମାରୱାଡ଼ିବନ୍ଧ ରେଳ ଅଣ୍ଡର୍‌ପାସ୍‌ରେ ଜମିଥିବା ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଝାଙ୍କରପାଲି ପଞ୍ଚାୟତ ଠରଲି ଗାଁର ଭ୍ରମର ଭୁଏ (୪୭)। ବୁଧବାର ସନ୍ଧ୍ୟାରେ ଭ୍ରମର ସାଇକଲରେ ଘରକୁ ଫେରୁଥିବାବେଳେ ଅଣ୍ଡର୍‌ପାସ୍‌ରେ ପ୍ରବେଶ କରିବା ମାତ୍ରେ ସେଥିରେ ଥିବା ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ କହିଛନ୍ତି ଯେ ଅଣ୍ଡର୍‌ପାସ୍‌ରେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ପ୍ରତିଥର ବର୍ଷାରେ ଭୟଙ୍କର ପରିସ୍ଥିତି ଉପୁଜୁଛି। ରେଳବାଇର ଅବହେଳା କାରଣରୁ ଆଜି ଅକାଳରେ ଜଣକର ଜୀବନ ଗଲା।

ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ୮ଟା ୩୦ରୁ ବୁଧବାର ସେହି ସମୟ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବାଧିକ ୨୩୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇଛି। ଏହାମଧ୍ୟରୁ ସମ୍ବଲପୁର ମହାନଗର ଅନ୍ତର୍ଗତ ବୁର୍ଲାରେ ୨୩୦ ମିମି, ସମ୍ବଲପୁର ସହର ଓ ଧନକଉଡ଼ା ବ୍ଲକ୍‌ ଅଞ୍ଚଳରେ ୧୮୦ ମିମି, ହୀରାକୁଦରେ ୧୬୦ ମିମି, ଯୁଯୁମୁରାରେ ୮୦ ମିମି, ଅତାବିରାରେ ୧୨୦ ମିମି, ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ରେ ୧୮୦ ମିମି, ବରଗଡ଼ରେ ୧୧୦ ମିମି, ସୋହେଲାରେ ୧୦୦ ମିମି, ଭଟଲି ଓ ବିଜେପୁରରେ ୯୦ ମିମି, ପାଇକମାଳରେ ୮୦ ମିମି, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ୧୦୦ ମିମି, ଖପ୍ରାଖୋଲରେ ୯୦ ମିମି, ବେଲଗାଁରେ ୮୦ ମିମି, ନୂଆପଡ଼ା ଜିଲ୍ଲା ନୂଆପଡ଼ାରେ ୯୦ ମିମି, କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁରରେ ୯୦ ମିମି, ସୁନ୍ଦରଗଡ଼ ଜିଲ୍ଲା ହେମଗିରରେ ହାରାହାରି ୮୦ ମିମି ବର୍ଷା ରେକର୍ଡ ହୋଇଛି। ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଥିବାବେଳେ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି।