ଭୁବନେଶ୍ବର: ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ମିଆଁମାର୍ ଉପକୂଳ ଉପରେ ରହିଛି। ଏହା ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳିରହିଛି। ଏହା ପ୍ରଭାବରେ ମଙ୍ଗଳବାର ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷିବା ସହ ସଂଲଗ୍ନ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେଷ କରି ଆସନ୍ତାକାଲି ମାଲକାନଗିରି ଓ କୋରାପୁଟରେ ପ୍ରବଳ ଛେଚିବ ବୋଲି ଜଣାପଡ଼ିଛି। ଏଣୁ ଏହି ଦୁଇ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ଏଥିସହ ଆସନ୍ତାକାଲି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଓ ନୂଆପଡ଼ା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସମଗ୍ର ଉପକୂଳରେ ବି ବର୍ଷା ସମ୍ଭାବନା ରହିଛି। ଏଣୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩ ତାରିଖ ଦିନ ବି ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ରାଜ୍ୟରେ ୫ ତାରିଖ ଯାଏଁ ବର୍ଷା ଜାରି ରହିବ। ରାଜ୍ୟରେ ଲଗାତାର ବର୍ଷା ଜାରି ରହିଥିଲେ ସୁଦ୍ଧା ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଯାଜପୁରରେ ୨୦%ରୁ ବି ଅଧିକ ନିଅଣ୍ଟ ବର୍ଷା ରେକର୍ଡ ହୋଇଛି। ତେବେ ଏହି ଲଘୁଚାପ ବର୍ଷାରେ ନିଅଣ୍ଟ ସ୍ଥିତି ଭରଣା ହୋଇପାରିବ ବୋଲି ଆଶା କରାଯାଉଛି।