ଭୁବନେଶ୍ବର: ଆଗାମୀ ୫ ଦିନ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଶନିବାର ଠାରୁ ବର୍ଷା ପରିମାଣ ବଢ଼ିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ର‌ାୟଗଡ଼ା, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ସହ ବର୍ଷା ହୋଇପାରେ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।

Advertisment

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ୧୪ ତାରିଖରେ ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ପ୍ରକାଶ ପାଇଛି। ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ଏବଂ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୧୬ ତାରିଖରେ ମଧ୍ୟ ସେହି ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ରହିପା‌ରେ। ପରବର୍ତ୍ତୀ ସମୟରେ ବର୍ଷା ପରିମାଣ ବଢ଼ିବ। ସେପଟେ ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ୭୩.୭ ମିମି ବର୍ଷା ହୋଇଛି। ଯେତେବେଳେ କି ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ରେ ୫୧.୪, କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରରେ ୪୨, କୋରାପୁଟ ଜିଲ୍ଲାର ଲମ୍‌ଟାପୁଟରେ ୩୫.୩, କଳାହାଣ୍ଡି ଜିଲ୍ଲାର କଲାମପୁରରେ ୩୪ ମିମି ବର୍ଷା ରେକର୍ଡ କରାଯାଇଛି।