ବାଲିପାଟଣା: ଲଗାତାର ବର୍ଷା ଯୋଗୁ ରାଜଧାନୀ ଉପକଣ୍ଠରେ ଥିବା ବାଲିପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବାଲିପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷା ପାଣି ପ୍ରବେଶ କରିଛି। ଫଳରେ ଖଟିଆରେ ରୋଗୀ ସେବା ଜାରି ରହିଛି।
ଅସରାଏ ବର୍ଷାରେ ଡାକ୍ତରଖାନାର ଏଭଳି ଅବସ୍ଥା ଯୋଗୁ ରୋଗୀ ସେବା ବ୍ୟାହତ ହୋଇଛି। ବୁଧବାର ବର୍ଷା ହେବା ପରେ ସ୍ବାସ୍ଥ୍ୟକେନ୍ଦ୍ର ଚାରିପଟେ ପାଣି ଜମିଥିଲା । ଅପରାହ୍ନରେ ଡାକ୍ତରଖାନାରେ ପାଣି ପଶିଥିଲା । ବିଭିନ୍ନ ବିଭାଗରେ ବର୍ଷା ପାଣି ପଶିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି।
ସ୍ବାସ୍ଥ୍ୟକେନ୍ଦ୍ର ବାରଣ୍ଡାରେ ଖଟିଆ ପକାଇ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ପାଣି ବାହାର କରିବାରେ ଲାଗିଛନ୍ତି। ତେବେ ପାଣି ନିଷ୍କାସନ ହେଉ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ଏକ ଠିକା ସଂସ୍ଥା ଡାକ୍ତରଖାନା ବାହାରେ ଗୋଡ଼ି ଗଦା କରିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।