ସମ୍ବଲପୁର : ସମ୍ବଲପୁରରେ ବର୍ଷା ଗତ ୩୬ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୮୨ ମସିହାରେ ଗୋଟିଏ ଦିନରେ ସର୍ବାଧିକ ୫୮୨ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ତେବେ ଶନିବାର ସକାଳୁ ରବିବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୫୬୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ମଧ୍ୟରୁ ୫୫୦ ମିଲିମିଟରରୁ ଅଧିକ ବୃଷ୍ଟିପାତ କେବଳ ଶନିବାର ଅପରାହ୍ଣ ୪ଟାରୁ ରବିବାର ଭୋର ୪ଟା ମଧ୍ୟରେ ଅର୍ଥାତ ମାତ୍ର ୧୨ ଘଣ୍ଟାରେ ହୋଇଛି। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲାରେ ରେକର୍ଡ ୬୨୧ ମିଲିମିଟର ବର୍ଷା ହୋଇଥିବା ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣା ପଡ଼ିଛି।
ବାଦଲଫଟା ଭଳି ଏହି ଅସ୍ୱାଭାବିକ ବର୍ଷାରେ ସମ୍ବଲପୁର ମହାନଗରରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ବର୍ଷା ପାଣିରେ ଭାସି ଯାଇ ତପସ୍ୱିନୀ ନାଗ (୨୬) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସମ୍ବଲପୁର ମହାନଗର ଅନ୍ତର୍ଗତ ୪୦ରୁ ଅଧିକ ପଡ଼ା ଓ କଲୋନି ତଥା ୧୨ ଗ୍ରାମ ପ୍ରବଳ ବର୍ଷା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ମହାନଗରର ସାଢ଼େ ତିନି ଲକ୍ଷ ଜନସଂଖ୍ୟା ମଧ୍ୟରୁ ୧ ଲକ୍ଷ ୨୫ ହଜାର ଲୋକ ଏହି ବର୍ଷା ଦ୍ୱାରା ବିଭିନ୍ନ ପ୍ରକାରେ ପ୍ରଭାବିତ ହୋଇଛନ୍ତି। ୭୨୬ଟି ଘର ସଂପୂର୍ଣ୍ଣ ବା ଆଂଶିକ ଭାଙ୍ଗି ଯାଇଛି। ୫ ହଜାରରୁ ଅଧିକ ଘରେ ବର୍ଷା ପାଣି ପଶିଛି।
ଅନ୍ୟପକ୍ଷରେ, ପ୍ରବଳ ବର୍ଷାରେ ଜଳ ନିଷ୍କାସନ ହୋଇ ନପାରି ବାରୁ ଶନିବାର ସଂଧ୍ୟାରୁ ସମ୍ବଲପୁର ସହରରେ ଅସ୍ୱାଭାବିକ ପରିସ୍ଥିତି ଲାଗି ରହିଥିଲା। ସହରର ସମସ୍ତ ମୁଖ୍ୟ ରାସ୍ତାରେ ଫୁଟେରୁ ୩ ଫୁଟ ପର୍ଯ୍ୟନ୍ତ ପାଣି ଚାଲିଥିଲା। ବର୍ଷା ଯୋଗୁଁ ସମ୍ବଲପୁର ସଦର ଡାକ୍ତରଖାନାର ବିଭିନ୍ନ ଓ୍ଵାର୍ଡରେ ପାଣି ପଶି ଯାଇଥିଲା। ମୁଣ୍ଡୋଘାଟ-ଗୋଶାଲା ନବନିର୍ମିତ ପକ୍କା ରାସ୍ତା ବର୍ଷା ଯୋଗୁଁ ଧୋଇ ହୋଇ ଯାଇଛି। ଶାସନ ହୁମା ଟେଲ କେନାଲରେ ଘାଇ ସୃଷ୍ଟି ହୋଇ ଶହଶହ ଏକର ଜମି ଜଳପ୍ଳାବିତ ହୋଇଛି। ହଜାର ହଜାର ଲୋକଙ୍କ ଘରେ ପାଣି ପଶିବାରୁ କୋଟି କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ହୋଇଛି। ହଠାତ ଅତିଶୟ ବର୍ଷା ଯୋଗୁଁ ଚାଷ କାମ ବ୍ୟାହତ ହୋଇଛି। ବର୍ଷା ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ମହାନଦୀରେ ମିଶୁଥିବା ହରଡ଼ ନଦୀ ଓ ମାଳତୀ ନଦୀ ଫୁଲିବାରେ ଲାଗିଛି। ତେବେ ରବିବାର ଝିପିଝିପି ବର୍ଷା ଲାଗି ରହିଥିଲେ ବି ବର୍ଷାର ପରିମାଣ କମିବାରୁ ଲୋକେ ଓ ପ୍ରଶାସନ ଆଶ୍ୱସ୍ତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/SBPHO22-SB-111.jpg)