କୋଣାର୍କକୁ ବିପଦ ବଢ଼ୁଛି : ପାଣି ଖାଉଛି ମନ୍ଦିର, ବର୍ଷା ହେଲେ ପୋଖରୀ ଭ୍ରମ

ପୁରୀ/କୋଣାର୍କ : ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର ପ୍ରତି ଘୋର ଅବହେଳା। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ରକ୍ଷଣାବେକ୍ଷଣ ନାମରେ ମନ୍ଦିରକୁ ଡୁବାଇ ଦେବାକୁ ବସିଛି। କୋଣାର୍କର ଦୟନୀୟ ସ୍ଥିତିରୁ ଏ କଥା ଜଳଜଳ ସ୍ପଷ୍ଟ। ଏଏସ୍‌ଆଇର ଚରମ ଅବହେଳା ଯୋଗୁ ସୂର୍ଯ୍ୟମନ୍ଦିରରେ ମାସ ମାସ ଧରି ପାଣି ଜମି ରହୁଛି। ଅସରାଏ ବର୍ଷା ହେଲେ ମନ୍ଦିର ପରିସରରେ ପୋଖରୀ ଭ୍ରମ ସୃଷ୍ଟି ହେଉଛି। ଜଳ ନିଷ୍କାସନ ପାଇଁ ରହିଥିବା ଡ୍ରେନ୍‌, ନଳା ସବୁ ଜାମ୍‌ ହେବା ଫଳରେ ଏଭଳି ସ୍ଥିତି ।

ବାରମ୍ବାର ପାଣି ଜମି ରହିବା ଫଳରେ ପ୍ରାଚୀନ କୀର୍ତ୍ତିରାଜିଗୁଡ଼ିକ ନଷ୍ଟ ହେବାକୁ ଲାଗିଲାଣି। ବର୍ଷା ଜଳ ଜମି ରହିବା ଯୋଗୁ ସୂର୍ଯ୍ୟମନ୍ଦିର ଦୁର୍ବଳ ହେବା ସହିତ ପଲସ୍ତରା ଫୁଲିଯାଉଛି। ଅନ୍ୟପକ୍ଷରେ ଦେଶ, ବିଦେଶରୁ ଆସୁୁଥିବା ପର୍ଯ୍ୟଟକମାନେ ଅଣ୍ଟାଏ ପାଣିରେ ପଶି ବିଶ୍ୱ ଐତିହ୍ୟ ଦର୍ଶନ କରିବାର ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ବିଶ୍ୱ ଐତିହ୍ୟ ପ୍ରତି ଏହା ଉପହାସ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଏଏସ୍‌ଆଇ ଏ ଦିଗ ପ୍ରତି ଆଦୌ ଗୁରୁତ୍ୱ ଦେଉନାହିଁ। ପ୍ରଶାସନ ମଧ୍ୟ ଗଳାବାଟ ଦେଖି ଖସିଯିବାକୁ ଉଦ୍ୟମ କରିଛି। ଯେହେତୁ ଏହା ଏଏସ୍‌ଆଇ ନିୟନ୍ତ୍ରଣରେ ରହିଛି ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଉକ୍ତ ସଂସ୍ଥାର କହି ପ୍ରଶାସନ ଦୋଷ ଖସାଇବାକୁ ଉଦ୍ୟମ କରୁଛି। ସରକାର ମଧ୍ୟ ଏ ବାବଦରେ ଏଏସ୍‌ଆଇକୁ ତାଗିଦ କରୁନାହାନ୍ତି। ମନ୍ଦିର ପ୍ରତି ଏଭଳି ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। କୋଣାର୍କ ପରିଦର୍ଶନ ପାଇଁ ଟିକଟ ମୂଲ୍ୟ ବୃଦ୍ଧି କରି କେନ୍ଦ୍ର ସଂସ୍କୃତି ବିଭାଗ ଓ ଏଏସ୍‌ଆଇ ଲାଭଖୋର ମନୋବୃତ୍ତି ରଖୁଥିବା ବେଳେ ମନ୍ଦିରର ରକ୍ଷଣାବେକ୍ଷଣ କଥା ଭୁଲିଯାଇଛି।

ସୂଚନାଯୋଗ୍ୟ, କୋଣାର୍କର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ୨୦୧୦ ମସିହାରେ ଏକ ଏକ ଆଞ୍ଚଳିକ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଧ୍ୟକ୍ଷ ଭାବେ ରହିଥିଲା ବେଳେ ସଭ୍ୟ ଭାବେ କାକଟପୁର ବିଧାୟକ, ନିମାପଡା ବିଧାୟକ, ଜିଲ୍ଲାପାଳ, କୋଣାର୍କ ଏନ୍‌ଏସି ଅଧ୍ୟକ୍ଷ , କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କୁ ରଖାଯାଇଛି। ମାତ୍ର ଦୁର୍ଭାଗ୍ୟର ବିଷୟ, ଗତ ୮ ବର୍ଷ ଭିତରେ ଏହି କମିଟିର ମାତ୍ର ଥରୁଟିଏ ବୈଠକ ହୋଇଛି। ସ୍ଥାନୀୟ ନେତା ଓ କମିଟି ଅଧ୍ୟକ୍ଷଙ୍କର ମଧ୍ୟ ଏହି ବିଶ୍ୱ ଐତିହ୍ୟ ପ୍ରତି ଆନ୍ତରିକତା ନଥିବା କମିଟିର କାର୍ଯ୍ୟକ୍ରମରୁ ଜଣାପଡୁଛି। କୋଣାର୍କ ମନ୍ଦିର ରକ୍ଷଣାବେକ୍ଷଣ ପ୍ରସଙ୍ଗରେ ସରକାର ତୁରନ୍ତ ହସ୍ତକ୍ଷେପ ନକଲେ ମନ୍ଦିର ମାଟିରେ ମିଶିବ ବୋଲି ଅଞ୍ଚଳବାସୀ ଆଶଙ୍କା କରିଛନ୍ତି।

ସମ୍ବନ୍ଧିତ ଖବର