ବର୍ଷାଦିନିଆ ରୋଗ ଚିନ୍ତା, ପ୍ରାର୍ଥନା ସମୟରେ ପିଲାଙ୍କୁ କରାଯିବ ସଚେତନ

ଭୁବନେଶ୍ବର : ବର୍ଷାଦିନିଆ ରୋଗ ପାଇଁ ଶିକ୍ଷକମାନଙ୍କୁ ସଚେତନ କରାଯିବ। ଆସନ୍ତା ୧୯ତାରିଖରେ ସ୍କୁଲ ଖୋଲିବା ପରେ ରାଜଧାନୀର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଏଥିରେ ସାମିଲ କରାଯିବ। ଫଳରେ ସେମାନେ ଛାତ୍ରଛାତ୍ରୀମାନଙ୍କୁ ଏ ସଂପର୍କରେ ଶିକ୍ଷା ଦେବା ସହିତ ସଚେତନ କରିପାରିବେ।

ବର୍ଷାଦିନେ ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ଭଳି ରୋଗ ବ୍ୟାପିଥାଏ। ଏଥିପାଇଁ ସଚେତନତା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବିଶେଷକରି ମଶା ଜନ୍ମ ହେବାର ଉତ୍ସକୁ ନଷ୍ଟ କରିବା ଓ ଏଥିପାଇଁ ଆବଶ୍ୟକ ଲିଫଲେଟ୍‌ ଆଦିର ବଣ୍ଟନ ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ରାଜଧାନୀର ୭୦/୭୫ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କୁ ନେଇ ଅଧା ଦିନ/ହାଫ୍ ଡେ’ ସଚେତନତା କାର୍ଯ୍ୟକ୍ରମ କରାଯିବ। ଚଳିତମାସ ୨୫ତାରିଖ ପରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରାର୍ଥନା ସମୟରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ବର୍ଷାଦିନିଆ ରୋଗ ସଂପର୍କରେ ସଚେତନ କରିବେ। କେବଳ ଶିକ୍ଷକ/ଛାତ୍ରଛାତ୍ରୀ ନୁହନ୍ତି ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ମହିଳା ଆରୋଗ୍ୟ ସମିତି ବା ମାସ୍‌କୁ ମଧ୍ୟ ସଚେତନତା କରାଯିବ। ଗୋଟିଏ ଗୋଟିଏ ସମିତିରେ ୧୦/୧୫ଜଣ ମହିଳା ରହିଛନ୍ତି। ରାଜଧାନୀରେ ୫୭୫ଟି ମହିଳା ଆରୋଗ୍ୟ ସମିତି ରହିଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନିକଟରେ ଡାକ୍ତର ଓ ଆଶା କର୍ମୀମାନଙ୍କୁ ବର୍ଷାଦିନିଆ ରୋଗ ସଂପର୍କରେ ସଚେତନ କରାଯାଇଛି। ଆସନ୍ତା ୨/୩ ମାସ ପର୍ଯ୍ୟନ୍ତ ଏଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର