ବର୍ଷାଦିନିଆ ତରଭୁଜ ଚାଷ, ଦେଢ଼ଶହ ଟନ୍‌ରୁ ୨୭ ଲକ୍ଷ ରୋଜଗାର

ତେଲକୋଇ: ତରଭୁଜ ସାଧାରଣତଃ ଖରାଦିନେ ଅମଳ ହୋଇଥାଏ। କିନ୍ତୁ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ର ମାଟି ତରଭୁଜ ଚାଷ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଏଠାକାର ଯୁବଚାଷୀମାନେ ବର୍ଷକୁ ଦୁଇଥର ତରଭୁଜ ଚାଷ କରୁଛନ୍ତି। ବିଶେଷ କରି ଶୀତଦିନେ ଅମଳ ହେଉଥିବା ଏହି ତରଭୁଜର ଚାହିଦା ଅଧିକ ରହୁଛି। ସୁଦୂର ଆସାମ ଓ ପଶ୍ଚିମବଙ୍ଗ ରାଜ୍ୟକୁ ରପ୍ତାନି କରି ଏଠାକାର ଚାଷୀମାନେ ବେଶ ଭଲ ରୋଜଗାର କରୁଛନ୍ତି। ଚଳିତବର୍ଷ ଦେଢ଼ଶହ ଟନ୍‌ର ତରଭୁଜ ବିକ୍ରି କରି ୨୭ ଲକ୍ଷ ଟଙ୍କା ପାଇଛନ୍ତି।

ଗ୍ରୀଷ୍ମ ପ୍ରବାହ ସମୟରେ କ୍ଲାନ୍ତି ମେଣ୍ଟାଇବା ପାଇଁ ସମସ୍ତେ ତରଭୁଜ ଖାଇବାକୁ ଭଲପାଆନ୍ତି। ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ମାସରୁ ତରଭୁଜ ଚାଷ ଆରମ୍ଭ କରାଯାଇଥାଏ। ଜମି ହଳ କରିବା, ମନ୍ଦା ପ୍ରସ୍ତୁତି ଓ ମଞ୍ଜି ପୋତିବା କାମ ଏହି ସମୟରେ କରାଯାଇଥାଏ। ମାର୍ଚ୍ଚ ମାସ ବେଳକୁ ତରଭୁଜ ଅମଳ ଆରମ୍ଭ ହୋଇଥାଏ। ତେଲକୋଇ ତରଭୁଜ ରାଜ୍ୟର କୋଣ ଅନୁକୋଣକୁ ଯାଇଥାଏ। ଏବେ ବର୍ଷର ସବୁ ସମୟରେ ତରଭୁଜ ଚାହିଦା ରହୁଥିବାରୁ ବର୍ଷାଦିନେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚାଷ କରିବା ଆରମ୍ଭ କରି ଶୀତଦିନେ ଅମଳ କରୁଛନ୍ତି। ତେଲକୋଇ ବ୍ଲକ୍‌ର ଦେଉଳଡିହା, ନୂଆଗଡ଼ ମଣ୍ଡେଇସାହି, କମଳାଙ୍ଗ, କରଦାଙ୍ଗି ଆମ୍ବତଇଳା, ବିଞ୍ଝବାହାଳ, ରଗଡ଼, ସନ୍ତେଇଭଞ୍ଜ ଆଦି ସ୍ଥାନରେ ୭୦ ଏକର ଜମିରେ ବର୍ଷାଦିନିଆ ତରଭୁଜ ଚାଷ କରାଯାଇଥିଲା। ମର୍ଚିଙ୍ଗ ପଦ୍ଧତିରେ ପଲିଥିନ ସହାୟତା ନେଇ କରାଯାଉଛି। ଏକର ପ୍ରତି ହାରାହାରି ୨୦ ହଜାର ଟଙ୍କା ବ୍ୟୟ ହେଉଥିବା ବେଳେ ୬୦ ହଜାର ଆୟ କରାଯାଉଛି। ସାଧାରଣତଃ ଖରାଦିନ ଅପେକ୍ଷା ବର୍ଷାଦିନେ ଅମଳ ଅବଧି କମ୍ ରହୁଛି। ଦୁଇରୁ ଅଢ଼େଇ ମାସ ମଧ୍ୟରେ ତରଭୁଜ ଅମଳ ହୋଇପାରୁଛି। କମ୍ ସାର ଓ କୀଟନାଶକ ପ୍ରୟୋଗ କରାଯାଉଥିବା ଚାଷୀମାନେ କହିଛନ୍ତି।

୪ ବର୍ଷ ତଳେ ଅର୍ଥାତ୍ ୨୦୧୯ରେ ଉଦୟଗିରି ଗ୍ରାମର ପ୍ରଭାତ କୁମାର ସାହୁ ଓ ଦେଉଳଡିହା ଗ୍ରାମର ଟିକୁ ପ୍ରଧାନ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ବର୍ଷାଦିନିଆ ତରଭୁଜ ଚାଷ ଆରମ୍ଭ କରିଥିଲେ। ସେତେବେଳେ ପରୀକ୍ଷା ମୂଳକଭାବେ ୨ ଏକର ଜମିରେ ଚାଷ କରି ଆଶାନୁରୂପ ସଫଳତା ପାଇବା ପରେ ଅନ୍ୟମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ରାଇନା, କାଜଲ, ନିଓନ-୯, ଆରୋହୀ, ଅଗସ୍ତା ଆଦି ଉନ୍ନତ କିସମର ବିହନ ବ୍ୟବହାର କରି ଚାଷ କରାଯାଉଛି। ଚଳିତବର୍ଷ ପ୍ରଭାତ ଓ ତାଙ୍କ ସହଯୋଗୀ ମଣ୍ଡେଇସାହି, କମଳାଙ୍ଗରେ ୬ ଲକ୍ଷ ଟଙ୍କା ବିନିଯୋଗ କରି ୩୦ ଏକର ଜମିରୁ ୧୮ ଲକ୍ଷ ଟଙ୍କା ରୋଜଗାର କରିଥିବା କହିଛନ୍ତି। ସେହିଭଳି ଆମ୍ବତଇଳାର ଫକୀର ମହାନ୍ତ ଓ ଧରଣୀ ମହାନ୍ତ ୫୦ ଡିସିମିଲ ଜମିରେ ୧୧ ହଜାର ଟଙ୍କା ଖର୍ଚ୍ଚ କରି ୪୯ ହଜାର ଟଙ୍କା ରୋଜଗାର କରିଛନ୍ତି। ତରଭୁଜ କେଜି ୧୫ରୁ ୨୨ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଚଳିତବର୍ଷ ଦେଢ଼ଶହ ଟନ୍‌ ତରଭୁଜ ଭୁବନେଶ୍ବର ସମେତ, ଆସାମ ଓ ପଶ୍ଚିମବଙ୍ଗ ଯାଇଛି। ସେଠାକାର ବ୍ୟବସାୟୀ ଆସି ତରଭୁଜ କିଣି ନେଇଇଛନ୍ତି। ବିନା ସରକାରୀ ପ୍ରୋତ୍ସାହନ ଓ ପରାମର୍ଶରେ ସ୍ଥାନୀୟ ଅଞ୍ଚଳର ଯୁବଚାଷୀ ପ୍ରଶାନ୍ତ କୁମାର ସାହୁ, ଅବନୀ ପରିଡ଼ା, କୁନା ପ୍ରଧାନ, ଟିଙ୍କୁ ମହାନ୍ତ, ଟିଟୁ ମୁଣ୍ଡା, ସତ୍ୟା ମୁଣ୍ଡା, ଧୀରେନ ସାହୁ, ବାପି ସାହୁ, ଦୁଷ୍ମନ୍ତ କୁମାର ପ୍ରଧାନ, ଲିପୁନ ପ୍ରଧାନ ପ୍ରମୁଖ ଭଲ ରୋଜଗାର କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର