କୋରାପୁଟ: ଓଡ଼ିଶାରେ ଅନୁପ୍ରବେଶ କରି ଶାସନ ପାଇଁ ସ୍ବପ୍ନ ଦେଖିଥିବା ଆନ୍ଧ୍ରକୁ ଶକ୍ତ ଝଟ୍‌କା ଲାଗିଛି। ବଳିଷ୍ଠ ଯୁକ୍ତ ସହ ଠୋସ୍‌ ପ୍ରମାଣର କୌଣସି ଉତ୍ତର ଦେଇପାରିଲାନି। ଶେଷରେ ଅନୁପ୍ରବେଶ ଭଳି ଭୁଲ କରିଥିବା ସ୍ବୀକାର କରିଛି। ଆଗକୁ ଓଡ଼ିଶା ସୀମାରେ ଅନୁପ୍ରବେଶ କରିବ ନାହିଁ କିମ୍ବା ନିଜ ରାଜ୍ୟର କୌଣସି ଯୋଜନା କାର୍ଯ୍ୟକାରୀ କରିବ ନାହିଁ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତର ରାଇପାହାଡ଼ ସୀମା ବିବାଦର ସମାଧାନ ପରେ ଏମିତି ଘୋଷଣା କରିଛି ଆନ୍ଧ୍ର ପ୍ରଶାସନ।

Advertisment

କୋଟିଆ ଭଳି ରାଇପାହାଡ଼ ଅକ୍ତିଆର ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିଲା ଆନ୍ଧ୍ର ପ୍ରଶାସନ। ବିଳମ୍ବରେ ଏ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଜାଣିବା ପରେ ବିରୋଧ କରିଥିଲା। ଦୁଇ ରାଜ୍ୟ ମଧ୍ୟରେ ଛକାପଞ୍ଝା ବଢ଼ିବାରୁ ବିଷମ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଅଧିକ ସାଂଘାତିକ ହେବା ପୂର୍ବରୁ ଆ ପୋସ ଆଲୋଚନାରେ ଏହି ସୀମା ବିବାଦର ସମାଧାନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ତେଣୁ ଜୁଲାଇ ୧୨ତାରିଖରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀ ଏକାଠି ବସି ଆଲୋଚନା କରିଥିଲେ। ଓଡ଼ିଶା ଯେଉଁ ଦସ୍ତାବିଜ୍‌ ଦେଖାଇଥିଲା ତାହା କୌଣସି ଜବାବ ଦେଇନଥିଲେ ଆନ୍ଧ୍ର ଅଧିକାରୀ। ବିନା ପ୍ରସ୍ତୁତି ତଥା ବିନା କାଗଜପତ୍ରରେ ଆସିଥିବାରୁ ମହଲତ ମାଗିଥିଲେ। ତେଣୁ ଦୁଇ ସପ୍ତାହ ପରେ ଦ୍ବିତୀୟ ବୈଠକ ଜୁଲାଇ ୨୭ତାରିଖରେ ହୋଇଥିଲା। ଏଥର ବି ଆନ୍ଧ୍ର ଅଧିକାରୀ ସମୟ ଗଡ଼ାଇବା ଉଦ୍ଦେଶ୍ୟରେ ଆସିଥିଲେ। ଡମ୍ବୁରିଗୁଡ଼ା ତହସିଲଦାର ପରବର୍ତ୍ତୀ ବୈଠକ ପାଇଁ ଦିନ ଧାର୍ଯ୍ୟ କରିବାକୁ କହି ଚାଲିଯାଇଥିଲେ।

ଦୁଇ ଥର ବୈଠକ ବସିଥିଲେ ସୁଦ୍ଧା ସମାଧାନର ରାସ୍ତା ବାହାରି ନଥିଲା। ଅନ୍ୟପଟେ ଅନୁପ୍ରବେଶକୁ ନେଇ ଓଡ଼ିଶାରେ ପ୍ରବଳ ଅସନ୍ତୋଷ ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେଣୁ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ୍‌. ଅଖତର ନିଜେ ଏହି ସୀମା ବିବାଦ ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ। ସେ ଟେଲିଫୋନ୍‌ ଯୋଗେ ସିଧାସଳଖ ଆନ୍ଧ୍ରର ଆଲୁରି ସୀତାରାମ ରାଜୁ (ଏଏସ୍‌ଆର୍‌) ଜିଲ୍ଲାପାଳ ସୁମିତ କୁମାରଙ୍କ ସହ ଆଲୋଚନା କରିଥିଲେ। ନନ୍ଦପୁର ରାଜସ୍ବ ମ୍ୟାପ୍‌, ବନ ବିଭାଗର ମ୍ୟାପ୍‌ ସହ ମାଡ୍ରାସ୍‌ ପ୍ରେସିଡେନ୍ସି ସମୟର ମ୍ୟାପ୍‌କୁ ପ୍ରମାଣ ସ୍ବରୂପ ଦେଖାଇଥିଲେ। ଯାହାକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଥିଲେ ଏଏସ୍‌ଆର ଜିଲ୍ଲାପାଳ। ବିବାଦକୁ ଆଉ ଆଗକୁ ନବଢ଼ାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ଆନ୍ଧ୍ର ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସବୁ ଯୋଜନାକୁ ତତ୍କାଳ ଆଦେଶରେ ବନ୍ଦ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ଘର ରାଇପାହାଡ଼ରେ ନିର୍ମାଣ କରାଯିବ ନାହିଁ। ରାଇପାହାଡ଼ରେ ନିୟୋଜିତ ଆଶାକର୍ମୀ ଆନ୍ଧ୍ରକୁ ଚାଲିଯିବେ ବୋଲି ଜଣାଇଛନ୍ତି।

କୋରାପୁଟ ଜିଲ୍ଲାପାଳ କହିଛନ୍ତି, ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ରାଇପାହାଡ଼କୁ କେନ୍ଦ୍ର କରି ଦୀର୍ଘ ଦିନ ଧରି ରହିଥିବା ବିବାଦର ସମାଧାନ ହୋଇଛି। ଆନ୍ଧ୍ର ଜାରି କରିଥିବା ସମସ୍ତ କାର୍ଯ୍ୟାଦେଶକୁ ବାତିଲ କରିଛି। ଏପରିକି ଅନୁପ୍ରବେଶ କରିବା ଭୁଲ ଥିଲା ଏବଂ ଆଗକୁ ଆଉ ଅନୁପ୍ରବେଶ କରିବେ ନାହିଁ ବୋଲି ଜଣାଇଛନ୍ତି। ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ ସମାଧାନର ରାସ୍ତା ବାହାରିଥିବା ଜିଲ୍ଲାପାଳ କହିଛନ୍ତି।