କୋରାପୁଟ : ଗାଁର ଅବସ୍ଥିତି ଓଡ଼ିଶାରେ। କିନ୍ତୁ କିଛି ମାସ ପୂର୍ବରୁ ରାସ୍ତା ନଥିଲା। ସରକାରୀ ରେକର୍ଡରେ ନାମ, ବୟସ, ଠିକଣା ରହିଛି। ଅଥଚ କୌଣସି ସରକାରୀ ଯୋଜନାରେ ନାମ ନାହିଁ। ନା ମିଳୁଛି ଜୀବିକା, ନା ମିଳୁଛି ମୌଳିକ ସୁବିଧା। ବର୍ଷ ବର୍ଷ ଧରି ନିଜ ଭାଗ୍ୟକୁ ଆଦରି ରହିଛନ୍ତି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ରାଇପାହାଡ଼ ଗ୍ରାମବାସୀ। ଆନ୍ଧ୍ର ଅନୁପ୍ରବେଶ କରିନଥିଲେ ଏହି ଗାଁର ବାସ୍ତବ ଚିତ୍ର ଆଦୌ ସାମ୍ନାକୁ ଆସିନଥାନ୍ତା। ସେହିପରି ଆନ୍ଧ୍ର ‌ନିଜ ଯୋଜନା କାର୍ଯ୍ୟକାରୀ କରିନଥିଲେ ଓଡ଼ିଶା ମଧ୍ୟ ତତ୍ପରତା ଦେଖାଇନଥାନ୍ତା।

Advertisment

ନୁଆଁଣିଆ ଝାଟିମାଟି ଘରେ ଆଶ୍ରୟ ନେଇଛନ୍ତି ରାଇପାହାଡ଼ ଗ୍ରାମବାସୀ। କିଛି ମାସ ତଳେ ଆନ୍ଧ୍ର ୬ପରିବାରକୁ ପକ୍କାଘର ପାଇଁ କାର୍ଯ୍ୟାଦେଶ ଦେଇଛି। ନିର୍ମାଣ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ସଂପୂର୍ଣ୍ଣ ହୋଇନାହିଁ। ଓଡ଼ିଶା ପକ୍ଷରୁ ପକ୍କାଘର କେବଳ ଘୋଷଣାରେ ସୀମିତ ହୋଇ ରହିଯାଇଛି। ସେହିପରି ଗାଁର ୧୨ଜଣ ବୃଦ୍ଧବୃଦ୍ଧା ଭତ୍ତା କଣ, ସରକାର କାହିଁକି ଦେଉଛନ୍ତି ଜାଣିନାହାନ୍ତି। କାରଣ ଏମାନଙ୍କୁ ଭତ୍ତା ଯୋଜନାରେ ସାମିଲ କରାଯାଇନି। ଖାଦ୍ୟ ସୁରକ୍ଷା ଯୋଜନାର କୌଣସି ଚିହ୍ନବର୍ଣ୍ଣ ଏହି ଦୁର୍ଗମ ତଥା ଅବହେଳିତ ଗାଁରେ ନାହିଁ। ସ୍ବାସ୍ଥ୍ୟସେବା କହିଲେ ଭଗବାନ ଭରସା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଲେ ଆନ୍ଧ୍ର ଡାକ୍ତରଖାନା ଉପରେ ନିର୍ଭରଶୀଳ। ଜଣେ ବି ପରିବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି। ପାହାଡ଼ କୋଳରେ ରହିଥିବା ଏହି ଗାଁର ବାସିନ୍ଦାଙ୍କ ଜୀବିକା କଥା କିଏ ବା କାହିଁ ଚିନ୍ତା କରିବ। ତେଣୁ ମନରେଗା ମଧ୍ୟ କାର୍ଯ୍ୟକାରୀ ହେଉନି। ଏହି ଗାଁର ଜଣେ ମାତ୍ର ବୃଦ୍ଧାଙ୍କ ଓଡ଼ିଶାରେ ବ୍ୟାଙ୍କ ଆକାଉଣ୍ଟ ରହିଛି।

publive-image
ଅନ୍ୟପକ୍ଷରେ ଆନ୍ଧ୍ର ପକ୍ଷରୁ ବହୁ ପୂର୍ବରୁ ହିଁ ଅନେକ ଯୋଜନାରେ ସାମିଲ କରାଯାଇଥିଲା। ଆନ୍ଧ୍ରର ରାସନକାର୍ଡରେ କିଛି ବର୍ଷ ପର୍ଯ୍ୟନ୍ତ ଶସ୍ତାରେ ଚାଉଳ ପାଉଥିଲେ ଗ୍ରାମବାସୀ। ୨୦୧୯ ମସିହାରେ ସେହି ରାସନକାର୍ଡର ଅବଧି ଶେଷ ହୋଇଯିବାରୁ ଆଉ ଚାଉଳ ମିଳୁନି। ସ୍ବାସ୍ଥ୍ୟସେବା ନିମନ୍ତେ ଆନ୍ଧ୍ର ବୀମାଭୁକ୍ତ କରିଥିଲା, ଯାହାର ଅବଧି ୨୦୧୯ ମସିହାରେ ଶେଷ ହୋଇଛି। ଅନ୍ୟ ଯୋଜନାରେ ବି ଗ୍ରାମବାସୀଙ୍କୁ ଆନ୍ଧ୍ର ସାମିଲ କରିଥିଲା। ସେଥିରୁ କିଛି ଯୋଜନାର ଅବଧି ଶେଷ ହୋଇଛି ଏବଂ କିଛି ଯୋଜନା ଏବେ ବି କାର୍ଯ୍ୟକାରୀ ହେଉଛି। ବିଡ଼ମ୍ବନା ହେଲା କେନ୍ଦ୍ର ସରକାରଙ୍କ ଯୋଜନାକୁ ଏହି ଗାଁରେ ଲାଗୁ କରିବାକୁ ମଧ୍ୟ ପ୍ରଶାସନ ଭୁଲି ଯାଇଛି। ଉଜ୍ଜ୍ବଳା, ସୌଭାଗ୍ୟ, ପାଇଖାନା ଭଳି ଯୋଜନାରେ ଗ୍ରାମବାସୀ ଉପକୃତ ହେଉନାହାନ୍ତି।

ଓଡ଼ିଶା ପକ୍ଷରୁ କାହିଁକି କୌଣସି ଯୋଜନାରେ ଗ୍ରାମବାସୀ ଉପକୃତ ହେଉନାହାନ୍ତି ତାହାର ଅନୁସନ୍ଧାନ କରିବାରୁ ଚକିତ କରିବା ଭଳି ତଥ୍ୟ ମିଳିଥିଲା। ଅଧିକାଂଶ ଗ୍ରାମବାସୀଙ୍କୁ ଆଧାରକାର୍ଡ ଏବଂ ପାନକାର୍ଡ ଆନ୍ଧ୍ର ପକ୍ଷରୁ ଦିଆଯାଇଛି। ସେହି କାର୍ଡକୁ ନେଇ ପ୍ରଶାସନ ନିକଟକୁ ଗଲେ ତେଲୁଗୁରେ ଉଲ୍ଲେଖ ହୋଇଥିବାରୁ ତାହାକୁ ଗ୍ରହଣ କରାଯାଉ ନାହିଁ। ସଠିକ ପରିଚୟପତ୍ର ବିନା କୌଣସି ଯୋଜନାରେ ସାମିଲ କରାଯିବ ନାହିଁ ବୋଲି ଫେରାଉ ଦେଉଛନ୍ତି।
ଆନ୍ଧ୍ରର ଆଧାରକାର୍ଡ ପାଇଁ ଏମିତି ହୀନସ୍ତା ହୋଇଥିବା ଗାଁର ବୃଦ୍ଧା ମୋତି କହିଛନ୍ତି। ଅନେକ ଥର ସରକାରୀ ଯୋଜନା ପାଇଁ ଗୋଲୁର ପଞ୍ଚାୟତ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିଛନ୍ତି, ପ୍ରତ୍ୟେକ ଥର ନିରାଶ ହୋଇ ଫେରିଛନ୍ତି। ଶେଷରେ ସରକାର କିମ୍ବା ପ୍ରଶାସନ ଉପରେ ଆଉ ନିର୍ଭର ହେବେନାହିଁ ବୋଲି ସ୍ଥିର କରିଛନ୍ତି। କେବଳ ମୋତି ନୁହଁନ୍ତି ଲକ୍ଷ୍ମୀ, ରାଜେଶ୍ବରୀ, ଖଣ୍ଡମା, ରାଜମ୍ମା ମଧ୍ୟ ସମାନ କଥା ଦୋହରାଇଛନ୍ତି। ଜୀବିକା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ପାହାଡ଼ିଆ ଜମିରେ ଋତୁ ଭିତ୍ତିକ ଚାଷ କରୁଛନ୍ତି। ଜଙ୍ଗଲରେ ଯାହା ମିଳୁଛି ତାହାକୁ ଗାଲୁର ହାଟକୁ ନେଇ ବିକ୍ରି କରୁଛନ୍ତି।