ରାୟପୁର ବସ ଟ୍ରାଜେଡ଼ି : ଦୁର୍ଘଟଣାଗସ୍ତ ବସ୍‌ର ଫିଟନେସ୍‌ କି ଇନସ୍ୟୁରାନ୍ସ ନ ଥିଲା

ହର୍ଣ୍ଣ ବାଜୁ ନ ଥିଲା, ପରିବହନ କ୍ଷମତା ଠାରୁ ଅଧିକ ଥିଲେ ଯାତ୍ରୀ

ବେପାରୁଆ ଚାଳନା ଯୋଗୁଁ ଘଟିଲା ଦୁର୍ଘଟଣା
ସବୁ ଜାଣି ଚେଇ ଶୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ
୪ ମାସ ନ ଯାଉଣୁ ପ୍ରବାସୀ ପ୍ରତି ଥିବା ଦରଦ ହଜିଗଲା

ବ୍ରହ୍ମପୁର : ସୂତାକଳ ବନ୍ଦ ପରେ ଜୀବିକା ହରାଇ ଗଞ୍ଜାମକୁ ଫେରିଥିବା ଶହ ଶହ ଓଡ଼ିଆ ଶ୍ରମିକ ଏବେ ପୁଣି ସୁରତ ଫେରୁଛନ୍ତି। ସୁରତରୁ ପ୍ରତ୍ୟେକ ଏକାଧିକ ବସ ଆସି ବିପଦଶଙ୍କୁଳ ଭାବେ ଶ୍ରମିକଙ୍କୁ ନେଇ ସୁରତ ଯାଉଛି। ତିନି ମାସ ତଳେ ପ୍ରବାସୀଙ୍କ ପ୍ରତି ଦରଦ ଦେଖାଇଥିବା ପ୍ରଶାସନ ସବୁ ଜାଣି ନିରବ ଦ୍ରଷ୍ଟା ସାଜିଛି। ଓଡ଼ିିଆ ଶ୍ରମିକ ବିପଦସଙ୍କୁଳ ଯାତ୍ରାର ପରିଣତି ଛତିଶଗଡ଼ ଠାରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣା। ଦୁର୍ଘଟଣା ଗସ୍ତ ହୋଇଥିବା ବସ୍‌ର ଫିଟନେସ୍‌ ନ ଥିଲା କି ହର୍ଣ୍ଣ ବାଜୁ ନ ଥିଲା। ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଇନସ୍ୟୁରାନ୍ସ ବି ନ ଥିଲା। ଆଉ ପରିବହନ କ୍ଷମତା ଠାରୁ ଅର୍ଥାତ ୬୭ଜଣ ଯାତ୍ରୀ ରହିଥିଲେ। ଏହି ବିପଦପୂର୍ଣ୍ଣ ଯାତ୍ରାରେ ୮ଜଣଙ୍କ ଜୀବନ ଯାଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ ଶ୍ରମିକଙ୍କ ପରିବାର ଆଜି ବେସହାରା ପାଲଟିଛନ୍ତି। କିଏ ରୋଜଗାର ପୁଅ ହରାଇଛି ତ ଆଉ କାହା ମଥାରୁ ସିନ୍ଦୁର ଲିଭିଯାଇଛି। ପରିବାର ଆଥିର୍କ ସ୍ଥିତିକୁ ସଜାଡିବା ଲାଗି ପାଦ କାଢିଥିବା ଶ୍ରମିକଙ୍କ ଲାଗି ଏହା ଶେଷ ଯାତ୍ରା ହେବ ତାହା କେବେ ବି ସେମାନେ କଳ୍ପନା କରିପାରି ନ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ବସ ଯୋଗେ ସୁରତ ଫେରୁଥିବା ବେଳେ ରାୟପୁର ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ୮ଜଣଙ୍କ ଜୀବନ ଯାଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଏନ୍‌ଏଲ-୦୩- ବି ୦୯୮୭ ବସ୍‌ଟି ଗୁରୁବାର ଆସିକାରେ ପହଞ୍ଚିଥିଲା। ଗତକାଲି ଅର୍ଥାତ ଶୁକ୍ରବାର ପୂର୍ବାହ୍ନ ୧୧ଟା ପ୍ରାୟ ୬୭ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ଆସିକାରୁ ସୁରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବସ୍‌ରେ ଆସିକା, ବେଲଗୁଣ୍ଠା, ଭଞ୍ଜନଗର, ହିଞ୍ଜିଳି ଓ ଛତ୍ରପୁର ଆଦି ଅଞ୍ଚଳର ଶ୍ରମିକ ରହିଥିଲେ। ତେବେ ଆଜି ରାତି ପ୍ରାୟ ୩ଟା ବେଳେ ଛତିଶଗଡ଼ ରାଜ୍ୟ ରାୟପୁର ନିକଟସ୍ଥ ଚେରିଖେଡ଼ି ନିକଟରେ ବସଚାଳକଙ୍କ ଖାମଖିଆଲି ନୀତି ଲାଗି ବସ୍‌ଟି ଦୁର୍ଘଟଣା ଗସ୍ତ ହୋଇଥିଲା। ତେବେ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ଗସ୍ତ ହୋଇଥିବା ବସ୍‌ ବିପୁଲ ଭାଇ ନାମକ ବ୍ୟକ୍ତିଙ୍କ ନାମରେ ରହିଛି। ବସ୍‌ଟି ୨୦୧୬ ଡିସେମ୍ବ ୫ତାରିଖରେ ପଞ୍ଜୀକରଣ(ରେଜିଷ୍ଟ୍ରେସନ) ହୋଇଛି। କିନ୍ତୁ ବସଟରି ୧ବର୍ଷ ତଳୁ ଫିଟନେସ ନାହିଁ। ୨୦୧୯ ମେ ୭ତାରିଖରୁ ବସ୍‌ର ଫିଟନେସ୍‌ ଅବଧି ଶେଷ ହୋଇଛି। ୨୦୧୯ ସେପ୍ଟେମ୍ବର ୨୫ତାରିଖ ଠାରୁ ଉକ୍ତ ବସ୍‌ର ଇନ୍‌ସ୍ୟୁରାନ୍ସ ନାହିଁ। ଟ୍ୟାକ୍ସ ଅବଧି ମଧ୍ୟ ୨୦୧୮ ସେପ୍ଟେମ୍ବର ୩୦ତାରିଖରୁ ଶେଷ ହୋଇଯାଇଛି। ଫିଟନେସ୍‌, ଇନସ୍ୟୁରାନ୍ସ ନ ଥାଇ ବସ୍‌ଟି ୩ଟି ରାଜ୍ୟର ୧୭୫୦ କିମି ଅତିକ୍ରମ କରି କିଭଳି ଗଞ୍ଜାମ ଆସିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ସବୁଜାଣି ଆଖିବୁଜି ଦେବା କାରଣରୁ ଏଭଳି ଏକ ଦୁର୍ଘଟଣା ଘଟିଛି। ବାହାର ରାଜ୍ୟରୁ ପ୍ରବାସୀଙ୍କୁ ନେବା ଆସୁଥିବା ବସ୍‌ ଗୁଡ଼ିକୁ ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଥାନ୍ତା ତେବେ କେତେକା˚ଶରେ ଏଭଳି ପରିସ୍ଥିତିକୁ ଏଡାଇ ଦିଆଯାଇ ପାରିଥାନ୍ତା ବୋଲି କୁହାଯାଉଛି।

ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏହି ବସ୍‌ ଦୁର୍ଘଟଣା ପରେ ଏବେ ଆଲୋଚନା ପର୍ଯ୍ୟାୟଲୋଚନା ଆରମ୍ଭ ହୋଇଛି। ତେବେ ଗଞ୍ଜାମକୁ ବସ ଆସି ପ୍ରବାସୀଙ୍କୁ ନେଇଯିବା ନୂଆ କଥା ନୁହେଁ। ଗତ ଜୁଲାଇ ୧୫ ତାରିଖ ଠାରୁ ଜିଲ୍ଲାରେ ଏହି ଧାରା ଚାଲିଛି। ଶେରଗଡ଼ ଅଞ୍ଚଳର ୨୫ଜଣ ଶ୍ରମିକ ଏକ ବସ୍‌ ଯୋଗେ ଝାରସୁଗୁଡ଼ା ଯାଇ ସେଠାରୁ ଟ୍ରେନ ଯୋଗେ ସୁରତ ଯାଇଥିଲେ। ଏହାପରେ ଜୁଲାଇ ୧୭ତାରିଖରେ ଏକ ବସ୍‌ରେ ୩୭ଜଣ ଆସିକାରୁ ସୁରତ ଯାଇଥିଲା। ଏହାପରଠାରୁ ଜିଲ୍ଲାରୁ ପ୍ରତ୍ୟହ ଏକାଧିକ ବସ ସୂତାକଳ ଶ୍ରମିକଙ୍କୁ ନେଇ ସୁରତ ଯାଉଛି। ସୂରତର କିଛି ଦଲାଲ ଏହାକୁ ନେଇ ବେପରା ଚଳାଇଛନ୍ତି। ଇତି ମଧ୍ୟରେ ଜିଲ୍ଲାରୁ ୨ଶହରୁ ଊର୍ଦ୍ଧ୍ବ ବସରେ ପ୍ରବାସୀ ଶ୍ରମିକ ଗୁଜୁରାଟର ସୁରତ, ଅହମଦ୍ଦାବାଦ୍‌, ତାମିଲନାଡ଼ୁ, କେରଳ ଆନ୍ଧ୍ର ଆଦି ରାଜ୍ୟକୁ ଗଲେଣି। ଜିଲ୍ଲାରୁ ଯାଇଥିବା ବସ୍‌ ମଧ୍ୟରେ ୭୦ ପ୍ରତିଶତ ଅନ୍ୟ ରାଜ୍ୟରୁ ଶ୍ରମିକ ନେବା ଲାଗି ଗଞ୍ଜାମକୁ ଆସିଥିବା ବେଳେ ବାକି ୩୦ ପ୍ରତିଶତ ସ୍ଥାନୀୟ ବସ୍‌। ସୁରତ ଓ ଅହମ୍ମଦାବାଦରୁ ଆସୁଥିବା ବସ୍‌ ଗୁଡ଼ିକ ପ୍ରାୟ ୩୫ଶହ କିମି ଯାତାୟତ କରି ଆସୁଛନ୍ତି। ଏହି ବସ ଯାତାୟତ ଲାଗି ପ୍ରାୟ ୫ ରୁ ୬ଦିନ ସମୟ ଲାଗୁଛି। ଗୁଜୁରାତ, ମହାରାଷ୍ଟ୍ର, ଛତିଶଗଡ଼ ଦେଇ ଓଡ଼ିଶାରେ ପହଞ୍ଚି ଗଞ୍ଜାମ ଆସୁଛନ୍ତି। ତେବେ ବାହାର ରାଜ୍ୟ ବସ ଗୁଡ଼ିକର ସ୍ଥିତି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ ହୁଏ ନାହିଁ। ବସ୍‌ର ଯାତ୍ରୀ ପରିବହନ କ୍ଷମତା, ଫିଟନେସ, ମୁଖ୍ୟତଃ ବସର ଇନ୍‌ସ୍ୟୁରେନ୍ସ ଅଛି କି ନାହିଁ ତାହା ଯାଞ୍ଚ କରାଯାଏ ନାହିଁ। ରାଜ୍ୟରୁ ବାହାର ରାଜ୍ୟକୁ ଯାଉଥିବା ବସ ଗୁଡ଼ିକ ଠାରୁ ପରିବହନ ଟିକସ ବାଧ୍ୟତାମୂଳକ ଆଦାୟ କରାଯାଉଥିବା ବେଳେ ବାହାର ରାଜ୍ୟରୁ ଆସୁଥିବା ବସ୍‌ ଗୁଡ଼ିକ ଠାରୁ ଟଙ୍କାଟିଏ ଟିକସ ଆଦାୟ କରାଯାଇନି। ବିନା ଟିକସରେ ବାହାର ରାଜ୍ୟରୁ ଆସୁଥିବା ଗାଡ଼ି ଗୁଡ଼ିକ ସୋହେଲା ଦେଇ ବରଗଡ଼, ବଉଦ, କଳିଙ୍ଗା ଦେଇ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରେ। ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପାର୍ଶ୍ବ ଦେଇ ଶେରଗଡ଼ ଧରାକୋଟ, ବେଲଗୁଣ୍ଠା, ପୋଲସରା, ବୁଗୁଡ଼ା, କବିସୂର୍ଯ୍ୟନଗର ଆଦି ଅଞ୍ଚଳକୁ ଯାଏ। ହେଲେ ଏହି ବସ୍‌ ଗୁଡ଼ିକ ଉପରେ କାହାର ଦୃଷ୍ଟି ପଡେ଼ ନାହିଁ। ବୀମା ନ ଥିବା ବସ ଗୁଡ଼ିକ ଦୁର୍ଘଟଣା ଘଟିଲେ ସେଥିରେ ଥିବା ଯାତ୍ରୀଙ୍କ ଦୁର୍ଘଟଣାଜନିତ କ୍ଷତିପୂରଣ ମିଳିବା ସହଜ ହେବ ନାହିଁ। ଏହାସତ୍ତ୍ବେ ବି ପ୍ରଶାସନ ପକ୍ଷରୁ ଯାଞ୍ଚ ହୁଏ ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଲ୍ଲାକୁ କେତେ ପ୍ରବାସୀ ଆସିଛନ୍ତି ଜିଳ୍ଲା ପ୍ରଶାସନ ତାହାର ଡାଟାବେସ୍‌ ପ୍ରସ୍ତୁତ କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲା କେତେ ପ୍ରବାସୀ ସୁରତ ଓ ବାହାର ରାଜ୍ୟକୁ ଗଲେଣି ତାହା ହିସାବ ପ୍ରଶାସନ ନିକଟରେ ନାହିଁ। ଏ ସ˚କ୍ରାନ୍ତରେ ପ୍ରତ୍ୟେହ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ଥିଲେ ହେଁ ପ୍ରଶାସନ ଦୃଷ୍ଟି ଦେଉନାହିଁ। ଅନ୍ୟପକ୍ଷରେ ଏବେ ବି ଜିଲ୍ଲାରେ ସୁରତର ଦଲାଲ ମାନେ ଡେରା ପକାଇ ରହିଛନ୍ତି। ଶ୍ରମିକଙ୍କୁ ପ୍ରଲୋଭନ ଦେଖାଇ ନେଉଛନ୍ତି। ରୋଜଗାର ପାଉ ନ ଥିବା ପ୍ରବାସୀ ପରିବାର ସ୍ଥିତିରେ ସୁଧାର ଆଣିବା ଆଶାରେ ଦଲାଲ ପ୍ରଲୋଭନର ଶୀକାର ହୋଇ ବିପଦ ସଙ୍କୁଳ ଭାବେ ଯାଇ ଏଭଳି ପରିସ୍ଥିତିର ସାମ୍ନା କରୁଛି।

ପ୍ରକାଶ ଥାଉ କି, ବିଭିନ୍ନ ରାଜ୍ୟରେ ଜିଲ୍ଲାର ୪ ରୁ ୫ଲକ୍ଷ ଲୋକ କାମ କରୁଥିଲେ। ସୁରତର ସୂତାକଳ ଗୁଡ଼ିକରେ ଗଞ୍ଜାମର ପ୍ରାୟ ୩ ଲକ୍ଷ ଶ୍ରମିକ କାମ କରି ଜୀବିକା ନିର୍ବାହ କରୁଥିଲେ। କରୋନା ଭୂତାଣୁ ସ˚କ୍ରମଣ ଦୃଷ୍ଟିରେ ରଖି ମାର୍ଚ୍ଚ ୨୨ରେ ଦେଶ ଲକ୍‌ଡାଉନ୍‌ ହେବା ପରେ ସୂତାକଳ ଗୁଡ଼ିକରେ ତାଲା ଝୁଲିଥିଲା। ସୂତାକଳ ଶ୍ରମିକମାନେ ଜୀବିକା ହରାଇଥିଲେ। ଲକ୍‌ଡାଉନ୍‌ କଟକଣା କୋହଳ ପରେ ଏପ୍ରିଲ ୨୬ରୁ ବସ୍‌ ଯୋଗ ଓ ପରବର୍ତି ସମୟରେ ଅର୍ଥାତ ମେ ୫ତାରିଖ ଠାରୁ ଟ୍ରେନ ଯୋଗେ ଜୀବନକୁ ବିପନ୍ନ କରି ଶ୍ରମିକମାନେ ଫେରିଥିଲେ। ୨୦୦୦ହଜାର ବସ୍‌ ଓ ୨ଶହ ଟ୍ରେନ ଯୋଗେ ପ୍ରବାସୀମାନେ ବିଭିନ୍ନ ରାଜ୍ୟରୁ ଗଞ୍ଜାମକୁ ପ୍ରାୟ ୩ଲକ୍ଷ ୫୦ ହଜାର ପ୍ରାବସୀ ଫେରିଥିଲେ। ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ୭୦ପ୍ରତିଶତ ସୁରତରୁ ଆସିଥିଲେ।

ସମ୍ବନ୍ଧିତ ଖବର