ରାୟପୁର ଦୁର୍ଘଟଣା: ବିବାଦରେ ରହିଥିଲା ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର

ରମଣ ସିଂହଙ୍କ ସରକାର ଅମଳରେ କିଣା ଯାଇଥିଲା
କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ବିରୋଧୀ କଂଗ୍ରେସ

ସମ୍ବଲପୁର : ଗୁରୁବାର ରାତି ୯ଟା ୧୦ରେ ରାୟପୁର ସ୍ବାମୀ ବିବେକାନନ୍ଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ‌ଯେଉଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ତାହା ଆରମ୍ଭରୁ ବିବାଦ ଘେରରେ ରହିଥିଲା। ଏହି ଦୁର୍ଘଟଣା ଯୋଗୁ ସମ୍ବଲପୁରର ମୂଳନିବାସୀ ପାଇଲଟ ଗୋପାଳକୃଷ୍ଣ ପଣ୍ଡା ଏବଂ ସାଥୀ ପାଇଲଟ୍‌ ଏପି ଶ୍ରୀବାସ୍ତବଙ୍କ ପରଲୋକ ହୋଇଯାଇଛି। ନିୟମିତ ବିମାନ ଉଡ଼ାଣ ଅଭ୍ୟାସ ସମୟରେ ବୈଷୟିକ ତ୍ରୁଟି ପାଇଁ ଏହି ଦୁର୍ଘଟଣା ଘଟିଥିଲା। ଫଳରେ, ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ କ୍ୟାପଟେନ୍ ଶ୍ରୀବାସ୍ତବଙ୍କ ମୃତ୍ୟୁ ଘଟିଥିବାବେଳେ ଗୋପାଳକୃଷ୍ଣ ଗୁରୁତର ଆହତ ହୋଇଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥି‌ଲେ। ୧୫ ବର୍ଷ ପୁରୁଣା ଏହି ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ପୋଡ଼ି ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ହେଲିକପ୍ଟର କିଣାଯିବା ଦିନଠାରୁ ବିବାଦ ଘେରରେ ରହିଥିଲା। ୨୦୦୭ ମସିହାରେ ଛତିଶଗଡ଼ରେ ରମଣ ସିଂହଙ୍କ ବିଜେପି ସରକାର ଥିବା ସମୟରେ ଏହି ହେଲିକପ୍ଟର କିଣାଯାଇଥିଲା। ସେ‌ତେବେଳେ ବିରୋଧୀ କଂଗ୍ରେସ ଦଳ ଅଧିକ ଦରରେ ଏହି ହେଲିକପ୍ଟର କିଣାଯାଇଥିବା ନେଇ କୋର୍ଟର ଦ୍ବାରସ୍ଥ ହୋଇଥିଲା। ହେଲିକପ୍ଟର କିଣା ଯିବାପରେ କିଛି ବର୍ଷ ପର୍ଯ୍ୟନ୍ତ ବୈଷୟିକ ତ୍ରୁଟି ଯୋଗୁ ବ୍ୟବହାର ନହୋଇ ପଡ଼ିରହିଥିଲା। ପରବର୍ତ୍ତୀ ସମୟରେ ଏହାର ମରାମତି ସହିତ ନିୟମିତ ବ୍ୟବହାର କରାଯାଉଥିଲା। କ୍ଷମତାକୁ ଆସିବାପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ଏହାର ବ୍ୟବହାର କରୁଥିଲେ। ‌ତେବେ, ନିକଟରେ ବିଭିନ୍ନ ବିଧାନସଭା ‌କ୍ଷେତ୍ର ଗସ୍ତ ନିକଟରେ ଆଉ ଏକ ନୂଆ ହେଲିକପ୍ଟର କିଣିଥିଲେ। ରାୟପୁରରେ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ ଏହାର ପ୍ରଥମ ‌ଘଟଣା ବୋଲି କହାଯାଉଛି। ବିମାନ ଦୁର୍ଘଟଣା ପରେ ଛତିଶଗଡ଼ ସରକାରଙ୍କ ଗୋଇନ୍ଦା ବିଭାଗର ଆଇଜି, ରାୟପୁର ପୁଲିସ ଆଇଜି, ଜିଲ୍ଲାପାଳ, ଏସ୍‌ଏସ୍‌ପିଙ୍କ ସହିତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହି ଘଟଣାପରେ ରାତିରେ ରାୟପୁର ବିମାନ ବନ୍ଦରରୁ ବିମାନ ଉଡ଼ାଣ ମଧ୍ୟ ବନ୍ଦ ରହିଥିଲା। ପ୍ରାରମ୍ଭିକ ଅନୁଧ୍ୟାନ ବେଳେ ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିବା ରାୟପୁର ପୁଲିସ ଆଇଜି ଓ.ପି.ପାଲ କହିଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ୍ ବକ୍ସ ଉଦ୍ଧାର କରାଯାଇଛି। ଏବେ ବୈଷୟିକ ତ୍ରୁଟି କାରଣରୁ ଏହି‌ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ତେବେ, ବ୍ଲାକ୍ ବକ୍ସ ଯାଞ୍ଚପରେ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ମିଳିପାରିବ। ନାଗରିକ ବିମାନ ମହାନିର୍ଦ୍ଦେଶାଳୟ(ଡଜିସିଏ)ର ଏକ ଟିମ୍ ଏହି ଦୁର୍ଘଟଣାର ତଦନ୍ତ କରିବ। ଅପରପକ୍ଷରେ ଛତିଶଗଡ଼ ସରକାରଙ୍କ ଏକ ଟିମ୍ ମଧ୍ୟ ଏହାର ତଦନ୍ତ କରିବ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ ଉଭୟ ଗୋପାଳକୃଷ୍ଣ ଓ ଏପି ଶ୍ରୀବାସ୍ତବଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ରାଜ୍ୟପାଳ ଅନୂସୟା ଉଇକେ, ଛତିଶଗଡ଼ ବିଧାନସଭାର ବାଚସ୍ପତି ଚରଣଦାସ ମହନ୍ତ, ବିରୋଧୀ ଦଳ ନେତା ଧର୍ମପାଳ କୌଶିକ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷ‌ରେ, ଗତକାଲି ରାତିରେ ଖବର ମିଳିବା ପରେ ସମ୍ବଲପୁର ହୀରାକୁଦ କଲୋନିରେ ରହୁଥିବା ତାଙ୍କ ଭାଇ ଡାକ୍ତର ବିମଳ ପଣ୍ଡା ସପତ୍ନୀକ, ମା’ ମୀରା ପଣ୍ଡାଙ୍କ ସହିତ ରାୟପୁର ଅଭିମୁଖେ ବାହାରି ଯାଇଥିଲେ। ଆଜି ସକାଳେ ତାଙ୍କ ଅନ୍ୟ ସଂପର୍କୀୟମାନେ ରାୟପୁର ଯାଇଥିଲେ। ସନ୍ଧ୍ୟାରେ ରାଷ୍ଟ୍ରୀୟ ସମ୍ମାନ ସହିତ ରାୟପୁରରେ ଗୋପାଳକୃଷ୍ଣଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଗୋପାଳକୃଷ୍ଣ ତାଙ୍କ ପଛରେ ପତ୍ନୀ ଡ. ଅଳକା ପଣ୍ଡା ଏବଂ ଦୁଇ ପୁଅଝିଅଙ୍କୁ ଛାଡ଼ି ଯାଇଛନ୍ତି।

ଗୋପାଳକୃଷ୍ଣ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ବାହାମ ଗ୍ରାମରେ ମୂଳନିବାସୀ। ତାଙ୍କ ପିତା ସ୍ବର୍ଗତ ଦୁର୍ଗାଶଙ୍କର ପଣ୍ଡା ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଆର୍‌ଡିସି କାର୍ଯ୍ୟାଳୟରେ ରାଜସ୍ବ ସୁପରଭାଇଜର ଭାବେ କାର୍ଯ୍ୟ କରିଥିଲେ। ଗୋପାଳକୃଷ୍ଣ ସମ୍ବଲପୁର ସହରର ଫାଟକ ପାଖ ପ୍ରାଥମିକ ବିଦ୍ୟାଳୟ ଏବଂ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରେ ଅଧ୍ୟୟନ ପରେ ସୈନିକ ସ୍କୁଲରେ ନାମ ଲେଖାଇଥିଲେ। ପରେ ସେ ଏନ୍‌ଡିଏକୁ ଯାଇଥିଲେ। ଭାରତୀୟ ବାୟୁସେନାରେ ୨୨ ବର୍ଷ ଧରି ଦେଶର ସେବା କରିବା ପରେ ୱିଙ୍ଗ୍‌ କମାଣ୍ଡର ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ଏହାପରେ ସେ ରାୟପୁର ଚାଲି ଯାଇଥିଲେ। ୨୦୧୦ ମସିହାରୁ ଛତିଶଗଡ଼ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଥିଲେ। ଗୋପାଳକୃଷ୍ଣଙ୍କ କାକା ଆଦିଶଙ୍କର ପଣ୍ଡା ମଧ୍ୟ ଜଣେ ପାଇଲଟ ଥିଲେ। ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେ ଏହି କ୍ୟାରିଅର ଭାବେ ବାଛି ନେଇଥିଲେ।

ଗୋପାଳକୃଷ୍ଣଙ୍କର ୫ ଭାଇଭଉଣୀ ମଧ୍ୟରୁ ସାନଭାଇ ବିମଳ ପଣ୍ଡା ଏବେ ବୁର୍ଲା ଭିମ୍‌ସାରର ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ୩ ଭଉଣୀ ସବିତା, ସୁଜାତା ଓ ସଂଗୀତା ଶିକ୍ଷୟିତ୍ରୀ ଥିଲେ। ବଡ଼ ଭଉଣୀ ସବିତାଙ୍କ ଇତିମଧ୍ୟରେ ପରଲୋକ ହୋଇଯାଇଛି। ଗୋପାଳକୃଷ୍ଣଙ୍କ ବିୟୋଗରେ ସମ୍ବଲପୁରରେ ଶୋକର ଛାୟା ଖେଳିଯାଇଛି।
ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁରଙ୍କ ନାତି ତଥା ଆପ୍‌ ବିଧାୟକ ଆଦର୍ଶ ଶାସ୍ତ୍ରୀଙ୍କ ସଂପର୍କୀୟ ହେଉଛନ୍ତି କ୍ୟାପଟେନ୍ ଏପି ଶ୍ରୀବାସ୍ତବ। ଶ୍ରୀବାସ୍ତବ ଉତ୍ତରପ୍ରଦେଶର ମୂଳନିବାସୀ ହୋଇଥିବାବେ‌ଳ ତାଙ୍କ ପରିବାର ନଏଡାରେ ରହୁଛନ୍ତି। ଶ୍ରୀବାସ୍ତବ ରାତ୍ରିକାଳୀନ ବିମାନ ଉଡ଼ାଣ ପ୍ରଶିକ୍ଷଣ ବିଶେଷଜ୍ଞ ଥିଲେ। ରାତିରେ ବିମାନ ଉଡ଼ାଣରେ ତାଙ୍କ ବିଶେଷ ଦକ୍ଷତା ରହିଥିଲା।

ସମ୍ବନ୍ଧିତ ଖବର