ଏମ୍‌କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ; ନାକ ନାହିଁ, ଗୋଟିଏ ସ୍ଥାନରେ ଦୁଇଟି ଆଖି

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲରେ ଆଜି ଏକ ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ କରିଛି। ଶିଶୁର ନାକ ନଥିବା ବେଳେ ଗୋଟିଏ ଜଗାରେ ଦୁଇଟି ଆଖି ରହିଛି। ଶିଶୁଟି ମୃତ ଅବସ୍ଥାରେ ଜନ୍ମଗ୍ରହଣ କରିଥିବା ଏମ୍‌କେସିଜି ମେଡିକାଲର ବରିଷ୍ଠ ଶିଶୁରୋଗ ବିଭାଗ ଡା. ସୁନୀଲ କୁମାର ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି। ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ ଏମ୍‌କେସିଜି ମେଡିକାଲରେ ପ୍ରଥମ ବୋଲି କୁହାଯାଉଛି। ଜେନେଟିକ୍‌ ସମସ୍ୟା ଯୋଗୁଁ ଶରୀର ଗଠନରେ ଅସୁବିଧା ହୋଇ ଏଭଳି ସମସ୍ୟା ହୋଇଥାଏ ବୋଲି ଡା. ଅଗ୍ରୱାଲ୍‌ କହିଛନ୍ତି।

କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଡାମେରକିଆ ଗ୍ରାମର ଗୌତମ ଦୀପ୍‌ଙ୍କ ପତ୍ନୀ ଯସ୍ମିନ୍‌ କୁମାରୀ ଦୀପ୍‌ ଗର୍ଭବତୀ ଥିବାରୁ ତାଙ୍କୁ ଏମ୍‌କେସିଜି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ଆଜି ମଧ୍ୟାହ୍ନରେ ସେ ପ୍ରସବ ବେଦନା ଅନୁଭବ କରିବାରୁ ତାଙ୍କୁ ଲେବର୍‌ ରୁମ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତରଙ୍କ ପରୀକ୍ଷା ପରେ ଗର୍ଭରେ ଥିବା ସନ୍ତାନର ସେଭଳି କୌଣସି ପ୍ରତିକ୍ରିୟା ଜଣାପଡ଼ୁ ନଥିଲା। ଏଣୁ ଶିଶୁଟି ମୃତ୍ୟୁବରଣ କରିଥିବା ଡାକ୍ତରମାନେ ଅଶଙ୍କା କରିଥିଲେ। ମା’ର ଜୀବନ ବଞ୍ଚାଇବା ପାଇଁ ଶେଷରେ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ କରିଥିଲା। ପରେ ଡାକ୍ତରମାନେ ଶିଶୁକୁ ମୃତ ଘୋଷଣା କରିଥିଲେ। ଏଭଳି ଅଦ୍ଭୁତ ଶିଶୁ ଜନ୍ମ ଘଟଣା ଆଜି ଏମ୍‌କେସିଜି ମେଡିକାଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର