ବୀରମହାରାଜପୁର: ଓଡ଼ିଆ ବୈଜ୍ଞାନିକ ସଂଜୀବ କୁମାର କର୍ମୀ ଗୁଜୁରାଟରେ ବିରଳ ଉଦ୍ଭାବନ କରିଛନ୍ତି। ସେ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଜୈବଶକ୍ତି ସୃଷ୍ଟି କରିପାରିଛନ୍ତି। ତିନି ବର୍ଷର କଠିନ ପରିଶ୍ରମର ଫଳ ସ୍ୱରୂପ ଗୋଟିଏ ପଦ୍ଧତିରେ ତିନିଟି ଜୈବଶକ୍ତି ସୃଷ୍ଟି କରିପାରିଛନ୍ତି ସଂଜୀବ।

Advertisment

ସଂଜୀବ କୁହନ୍ତି, ବର୍ତ୍ତମାନ ପରିସ୍ଥିତିରେ ସାରା ବିଶ୍ୱ ତିନିଟି ସମାସ୍ୟାର ସମାଧାନ କରି ନ ପାରି ଘାଣ୍ଟି ହେଉଛି। ଏହା ହେଉଛି ତୈଳଦର ବୃଦ୍ଧି, ପାଣିପାଗ ପରିବର୍ତ୍ତନ ଓ ବାୟୁ ପ୍ରଦୂଷଣ। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଗବେଷଣା ଜାରି ରଖିଛନ୍ତି ସମଗ୍ର ବିଶ୍ୱର ବୈଜ୍ଞାନିକ। ଭାରତ ମଧ୍ୟ ନିଜର ଉଦ୍ୟମ ଜାରି ରଖିଛି। ଗୁଜୁରାଟର ସର୍ଦ୍ଦାର ପଟେଲ ଶକ୍ତି ଗବେଷଣା କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ ସଂଜୀବ କୁମାର କର୍ମୀ ନୂତନ ଉଦ୍ଭାବନରେ ଆଉ କ’ଣ ଯୋଡା ହୋଇପାରିବ ସେଥିପାଇଁ ଅଧିକ ଗବେଷଣା କରୁଛନ୍ତି।

ସଂକ୍ଷେପରେ ସଂଜୀବ କୁମାର

ଗ୍ରାମ: ଟେଭାପଦର, ପଂଚାୟତ: ପିତାମହୁଲ
ବ୍ଲକ: ବୀରମହାରାଜପୁର, ଜିଲ୍ଲା: ସୁବର୍ଣ୍ଣପୁର
ଜନ୍ମ ତାରିଖ: ୧୯୭୭ ଜୁନ ୧୦
ବାପା: ବିଶ୍ୱନାଥ କର୍ମୀ, ମା’: କମଳିନୀ କର୍ମୀ
ଶିକ୍ଷା: ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା, ସୁବଳୟା ହାଇସ୍କୁଲରୁ ଦଶମ ପାସ, ସୋନପୁର କଲେଜରୁ ଯୁକ୍ତ ୨ ବିଜ୍ଞାନ, ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରି।

ସଂଜୀବ କୁମାର ଦିନେ ବୈଜ୍ଞାନିକ ହୋଇ ଦେଶ ବିଦେଶରେ ନାଁ ରଖିବେ, ଏ କଥା କେହି ଭାବି ନଥିବେ। କିନ୍ତୁ ନିଜର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସେ ପ୍ରମାଣିତ କରି ଏହା ଦେଖାଇ ଦେଇଛନ୍ତି।

ସଂଜୀବ ଜର୍ମାନୀର ଆଚେନ୍‌ ବିଶ୍ୱବିଦ୍ୟାଳୟ ସହିତ ନେଦରଲ୍ୟାଣ୍ଡର ଡେଲଫ୍‌ ବିଶ୍ୱବିଦ୍ୟାଳୟରେ ସ୍କଲାର୍‌ ଭାବରେ ଦକ୍ଷତା ସହିତ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ହଂକଂ, ସିଙ୍ଗାପୁର ସହିତ ଅନେକ ବିଶ୍ୱବିଦ୍ୟାଳୟ ସଫଳତାର ସହିତ କାର୍ଯ୍ୟ କରି ସେ ପ୍ରଶଂସିତ ହୋଇଛନ୍ତି। ବର୍ତମାନ ସେ ଗୁଜରାଟର ସର୍ଦ୍ଦାର ପଟେଲ ନବୀକରଣୀୟ ଶକ୍ତି ଗବେଷଣା କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଭାବରେ କାର୍ଯ୍ୟ କରି ବେଶ ସଫଳ ହାସଲ କରିଛନ୍ତି।

publive-image

ପ୍ରକଳ୍ପ ନେଇ କ’ଣ କୁହନ୍ତି ସଂଜୀବ

ଏହି ଗବେଷଣା ଦ୍ଵାରା ବର୍ଜ୍ୟବସ୍ତୁ ଅର୍ଗାନ ଓ ନାଇଟ୍ରୋଜେନ୍‌ ଗ୍ୟାସ ବ୍ୟବହାର କରି ପାରରୋଲିସିସ କରାଯାଇ ସେଥିମଧ୍ୟରୁ ତିନୋଟି ଜୈବଶକ୍ତି ସୃଷ୍ଟି ହୋଇପାରିଛି। ସେଗୁଡିକ ହେଲା ବାୟୋ ଅଏଲ୍‌ ଯାହାକି ପେଟ୍ରୋଲ ଓ ଡିଜେଲର ବିକଳ୍ପ ହୋଇପାରିବ। ଦୁଇ ନମ୍ବର ହେଲା ପାଇରୋ ଗ୍ୟାସ୍‌। ମସଲା ଜାତୀୟ ସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପ ଗୁଡିକରେ ଏହି ଗ୍ୟାସ୍‌ ବହୁଳ ଭାବରେ ବ୍ୟବହାର କରାଯାଇଥାଏ। ତୃତୀୟ ଜିନିଷ ହେଉଛି ବାୟୋ ଚାର୍‌, ଯାହାକି କୃଷି କ୍ଷେତ୍ରରେ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ ଉତ୍ପାଦନ ବୃଦ୍ଧି କରାଯାଇ ପାରିବ। ପନ୍ଦର କେଜି ବର୍ଜ୍ୟବସ୍ତୁରୁ ପାଇରୋଲିସିସ୍‌ କରି ସେଥିମଧ୍ୟରୁ ୪୦ ପ୍ରତିଶତ ହାରାହାରି ବାୟୋ ଅଏଲ୍‌, ୩୦ ପ୍ରତିଶତ ବାୟୋଚାର ଓ ୨୦ ପ୍ରତିଶତ ବାୟୋ ଗ୍ୟାସ୍‌ ସୃଷ୍ଟି ହୋଇପାରିବ। ଭବିଷ୍ୟତରେ ପାଇରୋଲେସିସ୍‌ ପ୍ରକ୍ରିୟାକୁ ବୃଦ୍ଧି କରିବା ପାଇଁ ଆହୁରି ଚେଷ୍ଟା ଚାଲିଛି ବୋଲି ଡ. କର୍ମୀ କହିଛନ୍ତି। ଏହି ପ୍ରକ୍ରିୟା ଯଦି ଭାରତରେ ସଠିକ୍‌ ଭାବରେ କରାଯାଏ, ତାହେଲେ ଭାରତ ଆଗାମୀ ଦିନରେ ବିଶ୍ୱର ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହୋଇପାରିବ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ବର୍ଜ୍ୟବସ୍ତୁରୁ ତିନୋଟି ଜୈବଶକ୍ତି ଉତ୍ପାଦନ ହେବା ଏହା ପୃଥିବୀର ପ୍ରଥମ ଉଦ୍ଭାବନ।